ବାଲୁଗାଁ: ଚିଲିକା ନିର୍ବାଚନମଣ୍ଡଳୀରେ ଦିନେ ପାୱାର କରିଡରର ଶୀର୍ଷରେ ଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦଳ ଓ କର୍ମୀଙ୍କ ପାଇଁ ଅଲୋଡ଼ା ହୋଇପଡିଛନ୍ତି। ଏହାର ନଜିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ରଘୁନାଥଙ୍କ ପାଖକୁ ଆଉ କେହି ବିଜେଡି କର୍ମୀ ଯାଉନାହାନ୍ତି।ଏପରିକି ଖୁଲମଖୋଲା ରଘୁନାଥଙ୍କ ବିରୋଧରେ ବିଷଉଦଗାର କରିବାରେ ଲାଗିଛନ୍ତି।
ନିର୍ବାଚନରେ ପରାଜୟ ପରେ ସେ ଖୋଲାଖୋଲି ଗଣମାଧ୍ୟମରେ ନିଜ ଦଳୀୟ ନେତାଙ୍କୁ ବିରୋଧରେ ବିଷୋଦଗାର କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଫଳରେ ଚିଲିକା ବିଜେଡିର ସମସ୍ତ ଆଗ ଧାଡ଼ିର କର୍ମୀ ଓ ନେତାମାନେ ରଘୁନାଥ ସାହୁଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳୁଛି। କାରଣ ରଘୁନାଥଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ଆଗ ଧାଡ଼ିର କର୍ମୀ ଓ ନେତା ମାନେ ତାଙ୍କୁ ସହଜରେ ଗ୍ରହଣ କରିବାକୁ ନାରାଜ।
‘ଢୋଲ ଭିତରେ ମୂଷା’ ଏବଂ ‘ବିଭୀଷଣ’ ପରି ଉପାଖ୍ୟାନ ମଧ୍ୟ କର୍ମୀ ତାଙ୍କୁ ଦେଇସାରିଛନ୍ତି। ଚଳିତ ନିର୍ବାଚନରେ ରଘୁନାଥ ବିଜୟ ଲାଭ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ବିଜେପିର ମଜଭୁତ ସଂଗଠନ ଆଗରେ ଫେଲ ମାରିଥିଲେ। ପୃଥ୍ୱୀରାଜ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱ ଏବଂ ସାଙ୍ଗଠନିକ ଗୋଟି ଚାଳନା ଆଗରେ ରଘୁନାଥଙ୍କ ସମସ୍ତ ରଣନୀତି ଫେଲ ମାରିଛି। ଚିଲିକାରେ ବର୍ତ୍ତମାନ ବିଜେଡି ନେତୃତ୍ୱବିହୀନ ଥିବାବେଳେ କର୍ମୀମାନେ ନୁଆ ନେତାଙ୍କୁ ଖୋଜୁଥିବାର ଦେଖିବାକୁ ମିଳିଛି।
କହିବାକୁ ଗଲେ ବିଜେଡି କର୍ମୀ ମାନେ ରଘୁନାଥ ସାହୁଙ୍କ ନେତୃତ୍ୱକୁ ଗ୍ରହଣ କରିପାରୁ ନ ଥିବା ବେଳେ ଯଦି ଆଗାମୀ ଦିନରେ ଦଳ ଏଠାରେ ନୁଆ ନେତୃତ୍ୱକୁ ଦାୟିତ୍ୱ ନ ଦିଅନ୍ତି ତେବେ ଆଗାମୀ ସମୟରେ ଚିଲିକାରେ ବିଜେଡି ସଂଗଠନରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଅନ୍ୟପକ୍ଷରେ ରଘୁନାଥ ସାହୁଙ୍କ ବିରୁଦ୍ଧରେ ସମସ୍ତ ଆଗଧାଡିର ବିଜେଡି କର୍ମୀମାନେ ଅସନ୍ତୋଷ ଝାଡୁଥିବା ବେଳେ ତାହା ଆଗାମୀ ଦିନରେ ବିସ୍ଫୋରଣର ରୂପ ନେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।