ବାଣପୁର: ଆଜି ବାଣପୁର କୋର୍ଟ ପରିସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଯୋଗଦେଇଥିବା ବେଳେ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ମିଳିତ ଭାବେ ସଭା ପରିଚାଳନା କରିଥିଲେ।
ବିଚାରପତି ଶ୍ରୀମତୀ ଦାସ ଅଗଷ୍ଟ ୨୦୨୨ ମସିହାରେ ବାଣପୁର କୋର୍ଟରେ ଯୋଗଦେଇଥିବା ବେଳେ ଦୀର୍ଘ ଅଢେଇ ବର୍ଷ କାର୍ଯ୍ୟାଳୟ ମଧ୍ୟରେ ବାର ଓ ବେଞ୍ଚ ମଧ୍ୟରେ ସୁସମ୍ପର୍କ ରଖି ସଫଳତାର ସହ କାର୍ଯ୍ୟ ନିର୍ବାହ କରିପାରିଛନ୍ତି।
ଏହି ଅବସରରେ ଏକାଧିକ ବରିଷ୍ଠ ଓକିଲ ମାନେ ବିଚାରପତି ଶ୍ରୀମତୀ ଦାସ ଙ୍କ ରହଣି କାଳର ଅନୁଭୂତି ବଖାଣିବା ସହ ମା’ ଭଗବତୀଙ୍କ ନିକଟରେ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଥିଲେ। ଅନୁରୂପ ଭାବେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ମଧ୍ୟ ବିଚାରପତି ଶ୍ରୀମତୀ ଦାସ ଙ୍କ କାର୍ଯ୍ୟପ୍ରଣାଳୀକୁ ପ୍ରଶଂସା କରିବା ସହ ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଥିଲେ।
ସଭା ଶେଷରେ ଓକିଲ ସଂଘ ପକ୍ଷରୁ ବିଦାୟୀ ବିଚାରପତି ଶ୍ରୀମତୀ ଦାସଙ୍କୁ ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ବିଚାରପତି ଶ୍ରୀମତୀ ଦାସ ବାଣପୁର ଓକିଲ ସଂଘକୁ ଏଥିନିମନ୍ତେ କୃତଜ୍ଞତା ଜଣାଇବା ସହ ବାଣପୁରରେ କାର୍ଯ୍ୟକାଳ ତାଙ୍କ ଜୀବନର ଅଭୁଲା ସ୍ମୃତି ହୋଇ ରହିବ ବୋଲି କହିଥିଲେ।