
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ପକ୍ଷରୁ ମିଳିତ ଭାବେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ଏକ ମାତୃବନ୍ଦନା ଗାନ କରିବା ସହ ମହିଳା ଦିବସର ପ୍ରାସଙ୍ଗିକତା ଉପସ୍ଥାପନା କରିଥିଲେ।
ଏହାପରେ ବରିଷ୍ଠ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂ ମହିଳାମାନଙ୍କ ମର୍ଯ୍ୟାଦା ସମ୍ପର୍କରେ ପୁରୁଷମାନଙ୍କର ଦୃଷ୍ଟିକୋଣ ପରିବର୍ତ୍ତନ ହେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ ସମ୍ପ୍ରତି ବୌଦ୍ଧିକ ଓ ସାଂସ୍କୃତିକ କ୍ଷେତ୍ରରେ ମହିଳାମାନଙ୍କର ଆଧିପତ୍ୟ ବିଷୟରେ ସୂଚନା ଦେଇଥିଲେ।
ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପୁରୁଷ ପ୍ରଧାନ ସମାଜରେ ଦେଖାଯାଉଥିବା ନାରୀବାଦର ସ୍ୱର ସହିତ “ଯେଉଁଠି ନାରୀ ସେଇଠି ପ୍ରଗତି”ସମ୍ପର୍କରେ ନିଜର ଶାଣିତ ସ୍ୱର ଉପସ୍ଥାପନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ସମଗ୍ର ବିଶ୍ୱରେ ମହିଳା ମାନଙ୍କର ସାମାଜିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ନିଜର ସଭାପତୀୟ ଅଭିଭାଷଣରେ ନାରୀମାନଙ୍କ ସମ୍ପର୍କରେ ଥିବା ନକରାତ୍ମକ ଚିନ୍ତାଧାରାକୁ ପରିହାର କରି ସେମାନଙ୍କ ପ୍ରତି ସମ୍ବେଦନଶୀଳତା ପ୍ରକାଶ କଲେ ସମାଜର ଯଥାର୍ଥ ବିକାଶ ହୋଇପାରିବ ବୋଲି କହିଥିଲେ।
ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ପତିତପାବନ ପଣ୍ଡା, ବନ୍ଦନା ଦାସ, କୀର୍ତ୍ତିମୟୀ ବାରିକ ବିଶ୍ୱ ମହିଳା ଦିବସର ବାର୍ତ୍ତା ବିଶ୍ଳେଷଣ କରିଥିଲେ। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏହି ଅବସରରେ ମହିଳା ଦିବସ ଉପଲକ୍ଷେ ସଭାରେ ଏକ କେକ୍ କଟାଯାଇ ସମସ୍ତଙ୍କୁ ପରିବେଷଣ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ।