ବାଲୁଗାଁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମୃତ୍ୟୁଞ୍ଜୟ ଶତପଥୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

Published: Jun 10, 2025, 6:33 pm IST

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ଶତପଥୀଙ୍କ ବିୟୋଗରେ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ବିଦ୍ୟାଧର ଜୁଝାରସିଂହ, ସୁବ୍ରତ କୁମାର ତ୍ରିପାଠୀ, ହିମାଂଶୁ କୁମାର ଦାଶ, ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ଡଃ ଅକ୍ଷୟ ମିଶ୍ର, ରୀନା ରାଉତ, ବିମଳ ପଣ୍ଡା, ବିଶ୍ୱଜିତ ଦାସ ପ୍ରମୁଖ ଯୋଗ ଦେଇ ପ୍ରାକ୍ତନ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ଶତପଥୀଙ୍କ ଶୈକ୍ଷିକ ଓ ପ୍ରଶାସନିକ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।

ପ୍ରକାଶ ଥାଉକି ସ୍ୱର୍ଗତ ଶତପଥୀ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଅଠେଇଶ ବର୍ଷ ଓ ଭଞ୍ଜନଗର ମହାବିଦ୍ୟାଳୟରେ ଦୁଇବର୍ଷ ଅଧ୍ୟାପନା କରିବାପରେ ବେଗୁନିଆ ମହାବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟରେ ତିନିବର୍ଷ ଲେଖାଏଁ ଅଧ୍ୟକ୍ଷ ପଦବୀରେ ରହି ଅବସର ଗ୍ରହଣ କରିଥିଲେ। ଦୀର୍ଘ ଛତିଶ ବର୍ଷ ଚାକିରୀ କାଳ ମଧ୍ୟରେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଓ ଦାୟିତ୍ୱ ସମ୍ପନ୍ନ ଅଧ୍ୟକ୍ଷ ତଥା ଗବେଷକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ।

ବାଣପୁର କୋଟବିଦ୍ୟାଧରପୁର ଶାସନରେ ଜନ୍ମିତ ପ୍ରଫେସର ଶତପଥୀ ଏକାଅଶୀ ବର୍ଷ ବୟସରେ ଗତକାଲି ସଂଧ୍ୟା ଛଅ ଘଟିକାରେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହତ୍ୟାଗ କରିବା ପରେ ପୁରୀ ସ୍ବର୍ଗଧାମରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ସାନପୁଅ ଲଲାଟେନ୍ଦୁ ଶତପଥୀ ମୁଖାଗ୍ନି ପ୍ରଦାନ କରିଥିଲେ।

Related posts