ଭୁବନେଶ୍ୱର: ଓଡିଶାରେ କ୍ରମବର୍ଦ୍ଧିଷ୍ଣୁ ଲଜ୍ୟାଜନକ ଦୁଷ୍କର୍ମ ଘଟଣା ଗୁଡିକରେ ଯୋଡିହୋଇଛି ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ। ପୁରୀ ବାଲିହରଚଣ୍ଡୀ ପର୍ଯ୍ୟଟନ ସ୍ଥଳରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛି।
ମୁଖପାତ୍ର ସୋନାଲି ସାହୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପରେ ଦୋଷାରୋପ କରି କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିଜ ଜିଲ୍ଲା ପୁଣି ବାଲିହରଚଣ୍ଡି ଭଳି ଜନ ସମାଗମ ଲାଗି ରହିଥିବା ସ୍ଥାନରେ ମହିଳା ଆଜି ଅସୁରକ୍ଷିତ। ସରକାର ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି।
ଦୁଷ୍କର୍ମର ମଣିପୁର ପାଲଟି ଯାଇଛି ଓଡିଶା, ସେପଟେ ଗୋଷ୍ଠୀଗତ ସମସ୍ୟାରେ ମଣିପୁର ଜଳୁଥିବାବେଳେ ଏପଟେ ନାରୀ ଦୁଷ୍କର୍ମରେ ଓଡିଶା ଜଳୁଛି। ବାଲିହରଚଣ୍ଡି ପର୍ଯ୍ୟଟନ ସ୍ଥଳୀରେ ଜଣେ ଛାତ୍ରୀଙ୍କୁ ଯୁବକ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କୁ ଦିନ ଦ୍ବିପହରରେ ଦୁଷ୍କର୍ମ କରାଗଲା। ଅବଶ୍ୟ ପୋଲିସ କମ ସମୟ ମଧ୍ୟରେ ଅପରାଧୀଙ୍କୁ ଧରିଛି, ଯେଉଁମାନେ ପୁଲିସକୁ ସହାୟତା କରିଛନ୍ତି ସେମାନଙ୍କୁ ଧନ୍ୟବାଦ ବୋଲି କଂଗ୍ରେସ କହିଛି।
ହେଲେ ଦଳ ଅଭିଯୋଗ କରିଛି ଯେ, ସେଇ ସମାନ ଜିଲ୍ଲାର ବଳଙ୍ଗାରେ ଦୁର୍ବୃତ୍ତମାନେ ନାବାଳିକାକୁ ପୋଡିକି ମାରିଦେଲେ। କିନ୍ତୁ ପୋଲିସ ଅପରାଧୀଙ୍କୁ ଧରି ପାରିଲା ନାହିଁ। ବଲାଙ୍ଗୀରରେ ଖୋଦ ଜଣେ ବିଜେପି ଯୁବନେତା ଦୁଷ୍କର୍ମ କରିଛନ୍ତି ବୋଲି ପୀଡିତା ଅଭିଯୋଗ କରିଛନ୍ତି। ଶାସକ ଦଳର କର୍ମୀ କାହା ସାହସରେ ଏଭଳି ଦୁଷ୍କର୍ମ ଭଳି ଲଜ୍ୟାଜନକ କାର୍ଯ୍ୟ କରିବାକୁ ପଛାଇଲା ନାହିଁ, ଏହା ଅନୁସନ୍ଧାନର ବିଷୟ ବୋଲି ସୋନାଲି କହିଛନ୍ତି।
ସେହିପରି ଦଳ ଅନ୍ୟ ଏକ ଘଟଣାରେ ମହିଳା କନେଷ୍ଟବଳ ଶୁଭମିତ୍ରା ଦୀର୍ଘ 11 ଦିନ ହେଲା ନିଖୋଜ ଅଛନ୍ତି। ଖୋଦ ପୋଲିସ ବିଭାଗର କର୍ମୀ ହୋଇ ମଧ୍ୟ ତାଙ୍କୁ ନ ପାଇବା ପୋଲିସର ପାରିବା ପଣିଆ ଜଣାପଡୁଛି। ତେବେ ଏହା ପଛରେ ସରକାରଙ୍କ କିଛି ଷଡଯନ୍ତ୍ର ନାହିଁ ତ ବୋଲି ପ୍ରଶ୍ନ ଉତ୍ଥାପନ କରିବା ସହ ଶୁଭମିତ୍ରାଙ୍କ ବାପା ସନ୍ଦେହ କରିଛନ୍ତି ଯେ, କମିଶନରେଟ ପୋଲିସ ଅଫିସର ଆକାଉଣ୍ଟସ ବିଭାଗରେ କାମ କରୁଥିବା ଜଣେ କର୍ମୀ ତାଙ୍କ ଝିଅଙ୍କ ନିଖୋଜ ପାଇଁ ଦାୟୀ। ଶୁଭମିତ୍ରା ଘଟଗାଁ ତାରିଣୀ ଯାଇଥିବା ମଧ୍ୟ ତାଙ୍କ ବାପା ପ୍ରକାଶ କରିଛନ୍ତି ବୋଲି କଂଗ୍ରେସ କହିଛି।
ତେବେ ଏତେ ସବୁ ପ୍ରମାଣ ଥାଇ ସୁଦ୍ଧା ପୋଲିସ କାହିଁକି ନିଖୋଜ ଶୁଭମିତ୍ରାଙ୍କୁ ଖୋଜି ପାରୁନି। କଣ କିଛି ଲୁଚେଇବା ପାଇଁ ସରକାର ଷଡଯନ୍ତ୍ର କରୁନାହିଁ ତ ବୋଲି ଗଣମାଧ୍ୟମ ଆଗରେ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ସୋନାଲି। ପୁଣି ସେ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡ଼ାଙ୍କୁ ପ୍ରଶ୍ନ ପଚାରିଛନ୍ତି, ଆପଣଙ୍କ ହାପ ପ୍ୟାଣ୍ଟ ପିନ୍ଧା ଠେଙ୍ଗା ବାହିନୀ ଓ ଏକାମ୍ରର ଥିବା ଠେଙ୍ଗା ବାହିନୀ ନାରୀ ଅସୁରକ୍ଷିତ ଥିବାବେଳେ କୁଆଡେ ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ଅନ୍ୟତମ ମୁଖପାତ୍ର ଡ. ମନୀଷା ଦାସ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ ଅସମ୍ମାନ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ତତ୍ପର ହୋଇ ଆଖିରୁ ଲୁହ ଗଡେଇଲେ। ଆଉ ଦୁଇ ପାଦ ଆଗକୁ ଯାଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସଚିବାଳୟକୁ ଦଳୀୟ ଅଫିସ ଭଳି ବ୍ୟବହାର କରି ବିବୃତ୍ତି ଦେଲେ। କିନ୍ତୁ ସୌମ୍ୟାଶ୍ରୀ ଡାକ ଶୁଭିଲା ନାହିଁ, ବଳଙ୍ଗା ପୀଡିତାକୁ ନ୍ୟାୟ ମିଳିଲା ନାହିଁ କିମ୍ବା ରାଜ୍ୟର କୌଣସି ପୀଡ଼ିତାଙ୍କ କୋହ ବାଧିଲା ନାହିଁ ବୋଲି କଂଗ୍ରେସ କହିଛି।
ଏହି ସାମ୍ୱାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ, ଡଃ ମନୀଷା ଦାସ ପଟ୍ଟନାୟକଙ୍କ ସହ ମୁଖପାତ୍ର ଅମ୍ରିତା ଦାସ ଉପସ୍ଥିତ ଥିଲେ।