ରିପୋର୍ଟ- ଶରତ ପାଇକାରୟ
ଭୁବନେଶ୍ବର: ଖୁବ ଶିଘ୍ର ବାଲୁଗାଁ ଏନଏସି ଓ ବାଣପୁର ଏନଏସକୁ ମିଶାଇ କରାଯିବ ଏକ ମ୍ୟୁନିସିପାଲିଟି। ଆଜି ବାଣପୁରରେ ଏହି ଘୋଷଣା କରିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବାଣପୁର ପଲଟନ ପଡିଆ ନିକଟରେ ଆୟୋଜିତ ବାଣପୁର ଏନଏସର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ମ୍ୟୁନିସିପାଲିଟି କରିବାକୁ ହେଲେ 30 ହଜାରରୁ ଅଧିକ ଜନସଂଖ୍ୟାର ଆବଶ୍ୟକତା ରହିଛି। ବର୍ତ୍ତମାନ ବାଣପୁର ଏନଏସିର ଜନସଂଖ୍ୟା 15 ହଜାରରୁ ଉର୍ଦ୍ଧ ରହିଛି। ଯଦି ବାଣପୁର ଏନଏସ ସହିତ ପାଖରେ ଥିବା ପଞ୍ଚାୟତକୁ ମିଶାଇଲେ ଏହି ଜନସଂଖ୍ୟା ହୋଇଯିବ ତେବେ ବାଲୁଗାଁ ଏନଏସି କୁ ମିଶାଯିବ ନାହିଁ। ହେଲେ ସେହି ନିର୍ଦ୍ଧାରିତ ଜନସଂଖ୍ୟା ନ ହୁଏ ତେବେ ବାଲୁଗାଁ ବାଣପୁର ଏନଏସି ଓ ପାଖ ପଞ୍ଚାୟତକୁ ମିଶାଇ ଏକ ବଡ ମ୍ୟୁନିସିପାଲିଟି କରିପାରିବା ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏ ନେଇ ନଗର ଉନ୍ନୟନ ବିଭାଗ ସହିତ କଥା ହୋଇଛି, ବୋଧହୁଏ ଆସନ୍ତା ବର୍ଷ ଚିଲିକା ନିର୍ବାଚନ ମଣ୍ଡଳି ଏକ ମ୍ୟୁନିସିପାଲିଟି ଦେଖିବ।
ମନ୍ତ୍ରୀଙ୍କ ଏହି ଘୋଷଣା ପରେ ବାଣପୁର ବାଲୁଗାଁରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଯଦି ମ୍ୟୁନିସିପାଲିଟି ଘୋଷଣା ହୁଏ ତେବେ ଚିଲିକା ନିର୍ବାଚନ ମଣ୍ଡଳିରେ ଆଉ ବାଲୁଗାଁ ଏନଏସ ଓ ବାଣପୁର ଏନଏସି ରହିବ ନାହିଁ। ଦୁଇଟି ଏନଏସି ମିଶି ଗୋଟିଏ ମ୍ୟୁନିସିପାଲିଟି ହେବ। ଏହାର ଏକ ବୃହତ ଅଫିସ ଭିନ୍ନ ଏକ ସ୍ଥାନରେ ନିର୍ମାଣ କରାଯିବ। ସେହିପରି ଦୁଇ ଏନଏସର ୱାର୍ଡଗୁଡିକର ମଧ୍ୟ ପୁନଃଗଠନ ହେବ। କାରଣ ବାଲୁଗାଁ ଏନଏସି ପାଖରେ ଥିବା ପଞ୍ଚାୟତ ଏବଂ ବାଣପୁର ପାଖରେ ଥିବା ପଞ୍ଚାୟର କେତେକ ଗ୍ରାମ ବା ୱାର୍ଡ ମ୍ୟୁନିସିପାଲିଟିରେ ସାମିଲ ହେବ।
ବର୍ତ୍ତମାନ ଓଡିଶାରେ 54 ଟି ମ୍ୟୁନିସିପାଲିଟି ରହିଛି। ଏଗୁଡିକର ଆକାରକୁ ଦେଖି ସରକାର ବଜେଟ ପ୍ରଦାନ କରିଥାନ୍ତି। ସାଧାରଣ ଗୋଟିଏ ମ୍ୟୁନିସିପାଲିଟି ପାଇଁ ବାର୍ଷିକ ପ୍ରାୟ 200 କୋଟି ଟଙ୍କା ଅନୁଦାନ ଦିଆଯାଉଥିବା ବେଳେ ବଡ ମ୍ୟୁନିସିପାଲିଟି ଯାହାର ଲୋକସଂଖ୍ୟା ଅଧିକ ରହିଛି ସେଗୁଡିକୁ ପ୍ରାୟ 500 କୋଟି ଟଙ୍କାରୁ ଉର୍ଦ୍ଧ ଅନୁଦାନ ଯୋଗାଇ ଦିଆଯାଉଛି। ଏହାଦ୍ବାରା ସେହି ଅଞ୍ଚଳର ରାସ୍ତା, ବିଲିଡିଂ, ଡ୍ରେନେଜ, ମଇଳା ସଂଗ୍ରହ ଏବଂ ଜଳ ଯୋଗାଣ ପରି ବହୁ ଉନ୍ନୟନ କାର୍ଯ୍ୟ କରାଯାଇଥାଏ।
ଅନ୍ୟପଟେ ମ୍ୟୁନିସିପାଲିଟି ହେଲେ ଲୋକଙ୍କଠାରୁ ମଧ୍ୟ ବିଭିନ୍ନ ଶୁଳ୍କ ଆଦାୟ କରାଯିବ। ଯେପରିକି ସଂପତ୍ତି କର ବା Property tax, ଟ୍ରେଡ ଲାଇସେନସ ଫି, ୱାଟର ଟାକ୍ସ ପ୍ରଭୃତି ଲୋକଙ୍କଠାରୁ ଆଦାୟ କରାଯିବ। ଏହିସବୁ ଟାକ୍ସ ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିରୁ ମଧ୍ୟ ଆଦାୟ କରାଯାଉଛି।
କଣ ହେବ ବାଲୁଗାଁ-ବାଣପୁର ଏନଏସ ନିର୍ବାଚନ
ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଘୋଷଣା ଅନୁସାରେ ଆସନ୍ତା ବର୍ଷ ଚିଲିକା ନିର୍ବାଚନ ମଣ୍ଡଳି ଏକ ମ୍ୟୁନିସିପାଲିଟି ବା ପୌର ପରିଷଦ ଦେଖିବାକୁ ପାଇବ। ଫଳରେ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣ କାମ ଶେଷ ହେବ।
ସେତେବେଳେ ବାଲୁଗାଁ-ବାଣପୁରକୁ ମିଶାଇ ମ୍ୟୁନିସିପାଲିଟି ବା ପୌର ପରିଷଦ ଘୋଷଣା ହେବ। ଫଳରେ ଆସନ୍ତା ପୌର ନିର୍ବାଚନରେ ବାଲୁଗାଁ ଏନଏସି ଓ ବାଣପୁର ଏନଏସିରେ ଆଉ ନିର୍ବାଚନ ନ ହୋଇ ମ୍ୟୁନିସିପାଲିଟି ନିର୍ବାଚନ ହେବାର ସମ୍ଭାବନା ରହିଛି। ଏନଏସି ପରି ମ୍ୟୁନିସିପାଲିଟିରେ ମଧ୍ୟ ଜଣେ ଅଧ୍ୟକ୍ଷ ରହିବା ସହିତ ଆଉ ଜଣେ ଉପାଧ୍ୟକ୍ଷ ରହିବେ। ଏମାନଙ୍କୁ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇ ଆସିଥିବା କାଉନସିଲରମାନେ ନିର୍ବାଚିତ କରିବେ।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଏହି ଦୁଇ ଏନଏନସି ମିଶିବା ପରେ ନୂଆ ମ୍ୟୁନିସିପାଲିଟି ର ନାମ କଣ ହେବ। ଏହା ବାଣପୁର ନା ବାଲୁଗାଁ ନା ଚିଲିକା ମ୍ୟୁନିସିପାଲିଟି ହେବ ସେ ନେଇ ସନ୍ଦେହ ରହିଛି। ସେହିପରି ଏହି ନୂଆ ମ୍ୟୁନିସପାଲଟିରେ କେତୋଟି ୱାର୍ଡ ରହିବ। ସବୁଠାରୁ ବଡ କଥା ହେଲା ଏହି ନୂଆ ମ୍ୟୁନିସିପାଲିଟି ବା ପୌର ପରିଷଦର ଅଫିସ କେଉଁ ସ୍ଥାନରେ ରହିବ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି।
ଅନ୍ୟପକ୍ଷରେ ବାଲୁଗାଁ-ବାଣପୁର ଦୁଇ ଏନଏସି ମିଶି ମ୍ୟୁନିସିପାଲିଟି ହେବା ପରେ ନାଚୁଣୀ, ଗମ୍ଭାରୀମୁଣ୍ଡା ଓ ବଡକୂଳ ସହର କଣ ହେବ। ସେଗୁଡିକର ଏନଏସି ହେବାର ଯୋଗ୍ୟତା ରହିଛି କି ନାହିଁ ତାହା ମଧ୍ୟ ନିଶ୍ଚିତ ଦେଖାଯିବ। ଯଦି ଏହି ତିନି ସହର ମଧ୍ୟରୁ କେହି ଏନଏସିର ଯୋଗ୍ୟତା ହାସଲ କରିବେ ତେବେ ତାହାକୁ ଏନଏସି ଭାବେ ମଧ୍ୟ ଘୋଷଣା କରାଯିବାର ସମ୍ଭାବନା ରହିଛି।
ବହୁ ବର୍ଷ ଧରି ଚିଲିକା ନିର୍ବାଚନ ମଣ୍ଡଳୀରେ ଦୁଇଟି ଏନଏସି ସହିତ ଦୁଇଟି ପଞ୍ଚାୟତ ପରିଷଦ ରହିଛି। ଧିରେ ଧିରେ ଏହାର ଲୋକସଂଖ୍ୟା ବୃଦ୍ଧି ଘଟିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ମ୍ୟୁନିସିପାଲିଟି ସୃଷ୍ଟି ହୋଇପାରି ନାହିଁ। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଭିନ୍ନ ମହଲରେ ଏହାକୁ ବେଶ୍ ସ୍ବାଗତ କରାଯାଇଛି।


