ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ଜଣେ ଯୁବତୀଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣା ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ବଢ଼ୁଥିବା ଜନଅସନ୍ତୋଷ ଏବଂ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ଜାତୀୟ ମହିଳା କମିସନ (NCW) ସ୍ୱତଃପ୍ରବୃତ୍ତ ଭାବେ ହସ୍ତକ୍ଷେପ କରିଛନ୍ତି। ଆୟୋଗ ଏହି ଘଟଣାକୁ ନାରୀ ସୁରକ୍ଷା ଓ ମାନବାଧିକାର ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ ଭାବେ ଗ୍ରହଣ କରି ତୁରନ୍ତ ମାମଲା ରୁଜୁ କରିଛନ୍ତି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାତୀୟ ମହିଳା କମିସନ ଓଡ଼ିଶା ପୁଲିସ ଓ ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ନିକଟରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ଏଥିସହ ପୀଡ଼ିତାଙ୍କ ସୁରକ୍ଷା, ଚିକିତ୍ସା ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣା ପରେ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ତଦନ୍ତ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି। ପୁଲିସର ବିଭିନ୍ନ ଟିମ୍ ଘଟଣାର ପ୍ରତ୍ୟେକ ଦିଗକୁ ଖତିଆନ କରୁଛନ୍ତି।
ତଦନ୍ତ ବେଳେ ପୁଲିସ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି। ଭିଡ଼ ହିଂସା ଘଟଣାର ତଦନ୍ତ ସମୟରେ ଘଟଣାସ୍ଥଳ ନିକଟରୁ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ମୋବାଇଲଟି ପୀଡ଼ିତାଙ୍କର ହୋଇଥିବା ସନ୍ଦେହ କରାଯାଉଛି। କଲ୍ୟାଣସିଂହପୁରରୁ କଳାହାଣ୍ଡିକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଥିବା ଏକ ଜମିରୁ ଏହା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଗତକାଲି ସନ୍ଧ୍ୟାରେ ରାୟଗଡ଼ା ଏସ୍ପି ରାଜପ୍ରସାଦ ଏବଂ ଏସ୍ଡିପିଓ ଗୌରହରି ସାହୁ ଘଟଣାସ୍ଥଳ ପରିଦର୍ଶନ କରି ସୂକ୍ଷ୍ମ ତଦନ୍ତ କରୁଥିବା ସମୟରେ ଏହି ମୋବାଇଲ ଫୋନ୍ ଠାବ କରିଥିଲେ। ଉଭୟ ଅଧିକାରୀ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିବା ସହ ବିଭିନ୍ନ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଥିଲେ।
ଏହି ଘଟଣା ପରେ ବିଭିନ୍ନ ମହିଳା ସଂଗଠନ, ମାନବାଧିକାର କର୍ମୀ ଏବଂ ସାମାଜିକ ଅନୁଷ୍ଠାନମାନେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦାବି କରିଛନ୍ତି। ଜାତୀୟ ମହିଳା କମିସନଙ୍କ ହସ୍ତକ୍ଷେପ ପରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶା ବଢ଼ିଛି।
ତେବେ ମାମଲାର ତଦନ୍ତ ଚାଲିଥିବାରୁ ପୁଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ। ତଦନ୍ତ ଆଗକୁ ବଢ଼ିବା ସହ ଘଟଣାର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।


