ୱାସିଂଟନ: ଆମେରିକାର ପଶ୍ଚିମ ଅଞ୍ଚଳରେ ଜଙ୍ଗଲ ନିଆଁ ଭୟାବହ ରୂପ ନେଇଛି। କଲୋରାଡୋ–ଉତା ସୀମା ପର୍ଯ୍ୟନ୍ତ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଅଗ୍ନିକାଣ୍ଡ ନିୟନ୍ତ୍ରଣ ପ୍ରୟାସ ମଧ୍ୟରେ ଦୁଃଖଦ ଘଟଣା ଘଟିଛି। ନିଆଁ ଲିଭାଇବା ସମୟରେ ୩ ଜଣ ଅଗ୍ନିଶମ କର୍ମଚାରୀଙ୍କ ପ୍ରାଣହାନି ଘଟିଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଏହି ସୂଚନା ରବିବାର ୟୁଏସ୍ ୱାଇଲ୍ଡଲ୍ୟାଣ୍ଡ ଅଗ୍ନିଶମ ସେବା ପକ୍ଷରୁ ଦିଆଯାଇଛି।
ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମପ୍ରବାହ, ଶୁଷ୍କ ପରିବେଶ ଓ ପ୍ରବଳ ପବନ ଯୋଗୁଁ ପଶ୍ଚିମ ଆମେରିକାର ବିଭିନ୍ନ ରାଜ୍ୟରେ ଜଙ୍ଗଲ ନିଆଁ ଅଧିକ ଭୟଙ୍କର ରୂପ ଧାରଣ କରିଛି। ଉତା, ଆରିଜୋନା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଡଜନ ଡଜନ ନୂଆ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। କେବଳ ଦକ୍ଷିଣ-ପଶ୍ଚିମ ଉତାରେ ଶନିବାର ସୁଦ୍ଧା ପ୍ରାୟ ୧୪୪ ବର୍ଗ ମାଇଲ ଜଙ୍ଗଲ ଅଞ୍ଚଳ ନିଆଁ କବଳରେ ଆସିଯାଇଛି।
ଏହି ଭୟଙ୍କର ଅଗ୍ନିକାଣ୍ଡରେ ଏକ ପ୍ରମୁଖ ସ୍କି ରିସର୍ଟ ଓ ଅନେକ ସମର କ୍ୟାବିନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଉତାରେ ଶତାଧିକ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରାଯାଇଛି ଏବଂ ଉଦ୍ଧାର ଓ ନିଆଁ ନିୟନ୍ତ୍ରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରୁ ଆମେରିକାରେ ପ୍ରାୟ ୩ ନିୟୁତ ଏକର ଜଙ୍ଗଲ ନିଆଁରେ ପୋଡ଼ି ନଷ୍ଟ ହୋଇସାରିଛି। ବିଶେଷଜ୍ଞମାନେ କହିଛନ୍ତି, ଉଚ୍ଚ ତାପମାତ୍ରା ଓ ଶୁଷ୍କ ପାଗ ଯୋଗୁଁ ଆଗାମୀ ଦିନରେ ମଧ୍ୟ ପରିସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା ରହିଛି।


