ଗାନ୍ଧୀନଗର: ଦିଲ୍ଲୀ ପରେ ଏବେ ଗୁଜରାଟର ଗାନ୍ଧୀନଗରରେ ଏକ ବଡ଼ଧରଣର ବିଲ୍ଡିଂ ଦୁର୍ଘଟଣା ଘଟିଛି। ଗାନ୍ଧୀନଗରର କୁଡାସନ ଅଞ୍ଚଳରେ ନିର୍ମାଣାଧୀନ ‘ବୋସ୍କି ଦି ଏମ୍ପାୟାର’ କମର୍ସିଆଲ୍ କମ୍ପ୍ଲେକ୍ସର ଏକ ବିଶାଳ ଲୁହା ସ୍ଲାବ୍ ହଠାତ୍ ଭୁଶୁଡ଼ି ପଡ଼ିବାରୁ ସେଠାରେ କାମ କରୁଥିବା ପ୍ରାୟ ୧୫ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ତେବେ ସୌଭାଗ୍ୟବଶାତଃ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଯୋଗୁଁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।
ସୂଚନାନୁଯାୟୀ, ବୁଧବାର ରାତିରେ କୋଠାରେ ନିର୍ମାଣ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଖବର ପାଇବା ମାତ୍ରେ ଗାନ୍ଧୀନଗର ନଗର ନିଗମ, ପୋଲିସ, ଅଗ୍ନିଶମ ବାହିନୀ, ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୩୦୦ ଟନ୍ରୁ ଅଧିକ ଓଜନ ଉଠାଇବାକୁ ସକ୍ଷମ ସ୍ୱତନ୍ତ୍ର କ୍ରେନ୍, କଂକ୍ରିଟ୍ ଏବଂ ଲୁହା କଟା ମେସିନ୍ ସାହାଯ୍ୟରେ ଭଗ୍ନାବଶେଷ ହଟାଇ ଶ୍ରମିକମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଗାନ୍ଧୀନଗର ସିଭିଲ୍ ହସ୍ପିଟାଲକୁ ପଠାଯାଇଥିଲା।
ଘଟଣାସ୍ଥଳ ଏବଂ ସିଭିଲ୍ ହସ୍ପିଟାଲ୍ ପରିଦର୍ଶନ କରିବା ପରେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ, ସମୟୋଚିତ ଉଦ୍ଧାର କାର୍ଯ୍ୟ ଯୋଗୁଁ କୌଣସି ଜୀବନହାନି ଘଟିନାହିଁ। ଉଦ୍ଧାର ହୋଇଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତେ ବିପଦମୁକ୍ତ ଅଛନ୍ତି। ଅନ୍ୟ ଶ୍ରମିକମାନେ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।


