ବାଣପୁର/ବାଲୁଗାଁ: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବାଣପୁର ଓ ବାଲୁଗାଁ ସହରରେ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଅକ୍ଟୋବର ୧୫ ତାରିଖରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଏବଂ ବାଲୁଗାଁ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟରେ ଏବିଭିପି ର ସମସ୍ତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।
ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ସଂସଦ ନୂତନ ସଭାପତି ସ୍ୱୟଂ ଶଙ୍କର ସୁପକାର, ସାଧାରଣ ସମ୍ପାଦକ ବିଶ୍ୱଜିତ ବରାଳଙ୍କ ସମେତ ଅନ୍ୟ ସମସ୍ତ ବିଜୟୀ କର୍ମକର୍ତ୍ତାମାନେ ଶପଥ ଗ୍ରହଣ ପରେ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା’ ଭଗବତୀଙ୍କ ମନ୍ଦିର ପହଞ୍ଚିଥିଲେ ଏବଂ ପଲଟନ ପଡିଆ ନିକଟରେ ଶୋଭାଯାତ୍ରା ଶେଷ ହୋଇଥିଲା।
ସେହିପରି ଭାବେ ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦର ନୂତନ ସଭାପତି ପୂଜା ଦିହିଡି, ସାଧାରଣ ସମ୍ପାଦକ ରବିନାରାୟଣ ବେହେରା, ଉପ ସଭାପତି ଶୁଭଙ୍କର ରାଉତଙ୍କ ସମେତ ଅନ୍ୟ ସମସ୍ତ ବିଜୟୀ କର୍ମକର୍ତ୍ତାମାନେ ଶପଥ ଗ୍ରହଣ ପରେ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା’ ଉତ୍ତରାୟଣୀଙ୍କ ଦର୍ଶନ କରିଥିଲେ।
ଉଭୟ ସହର ବିଦ୍ୟାର୍ଥୀ ପରିଷଦର ସ୍ଲୋଗାନରେ ପ୍ରକମ୍ପିତ ହୋଇଉଠିଥିଲା। ଶତାଧିକ ଛାତ୍ରଛାତ୍ରୀ ଏବିଭିପିର ଉକ୍ତ ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଏବଂ ବାଲୁଗାଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଉଭୟ ମହାବିଦ୍ୟାଳୟରେ ବିଦ୍ୟାର୍ଥୀ ପରିଷଦର ପ୍ୟାନେଲ ବିଜୟ ହୋଇଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁଭେଚ୍ଛା ଜଣାଇଛନ୍ତି।


