ଖୋରଧା: ଆଜି ପୂର୍ବାହ୍ନରେ ଖୋରଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁଷୋତ୍ତମ୍ ଦାସଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ଖୋରଧା) ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ବିଡିଓ (ଟାଙ୍ଗୀ), ଟାଙ୍ଗୀ ତହସିଲଦାର ରୁମାନା ଜାଫ୍ରି ଏବଂ ଆସିଷ୍ଟାଣ୍ଟ କଲେକ୍ଟର (ଅଭିଯୋଗ) ଭୁବନେଶ୍ଵରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ।
ଆଜିର ଅଭିଯୋଗ ଶିବିରକୁ ମୋଟ ୪୫ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୬ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଥିଲା। ଜିଲ୍ଲାପାଳ ଶ୍ରୀ ଋତୁରାଜ ଅଭିଯୋଗ ଶିବିରରେ ୦୭ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଜଙ୍କିଆ ଗ୍ରାମର ରାଣୀ ପଲାଇଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ଜିଲ୍ଲାପାଳ ୨୦ ହଜାର ଆର୍ଥିକ ସାହାଯ୍ୟ ମଜୁରୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଓରାଡ ଗ୍ରାମର ସୁମିତ୍ରା ଚମ୍ପତିଙ୍କୁ ଚିକିତ୍ସା ନିମନ୍ତେ ୨୦ ହଜାର, ଓରାଡ ଗ୍ରାମର ମମତାରାଣି କରଙ୍କୁ ଆର୍ଥିକ ସହାୟତା ନିମନ୍ତେ ୩୦ ହଜାର ଟଙ୍କା, ମଙ୍ଗଳାଯୋଡ଼ି ଗ୍ରାମର ବାପୁ ରାଉତରାୟଙ୍କୁ ଚିକିତ୍ସା ନିମନ୍ତେ ୨୦ହଜାର ଏବଂ ଜଙ୍କିଆ ଗ୍ରାମର ସତ୍ୟଭାମା ସାହୁଙ୍କୁ ଚିକିତ୍ସା ନିମନ୍ତେ ୨୦ ହଜାର ରାଶି ମଞ୍ଜୁରୀ କରିଥିଲେ।
ଜଜନଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ଦ୍ଦେଶକ (ଉଦ୍ୟାନ କୃଷି) ଶ୍ରୀୟା ଶାଶ୍ଵତୀ, ଉପ ନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶଙ୍କର ବେହେରା, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ (ଭାରତୀୟ ଷ୍ଟେଟ୍ ବ୍ୟାଙ୍କ) ଅଶୋକ କୁମାର ବେହେରା, ଅବକାରୀ ଅଧିକ୍ଷକ (ଖୋରଧା) ସୁମତି ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟା/ସଦସ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ ବରିଷ୍ଠ ଅଧିକାରୀ ବୃନ୍ଦ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟ ଯନ୍ତ୍ରୀ ଓ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


