ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ଦିଗ୍ଗଜ ଦ୍ରୁତ ବୋଲର୍ ମହମ୍ମଦ ସାମୀ ଟେଷ୍ଟ୍ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଶୁକ୍ରବାର (୦୬ ନଭେମ୍ବର) ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ସେ ସମସ୍ତଙ୍କୁ ଦୀପାବଳୀ ଶୁଭେଚ୍ଛା ଦେବା ସହ ଟେଷ୍ଟ୍ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି।
ସାମୀ ଟିମ୍ ଇଣ୍ଡିଆ ପାଇଁ ଶେଷ ଟେଷ୍ଟ୍ ଜୁନ୍ ୨୦୨୩ ରେ ଖେଳିଥିଲେ। ସେଟା ଥିଲା ଅଷ୍ଟ୍ରେଲିଆ ବିପକ୍ଷ ୱର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍। ସେବେଠୁ ସେ ଲଗାତାର ଟେଷ୍ଟ୍ ଟିମ୍ରୁ ବାଦ୍ ପଡ଼ୁଥିଲେ।
ତଥାପି ଫେରିବା ଆଶାରେ ସେ ବଙ୍ଗଳା ପାଇଁ ଲଗାତାର ରଣଜୀ ଟ୍ରଫି ଖେଳୁଥିଲେ। ଗତ ସିଜନ୍ ରଣଜୀରେ ସେ କମାଲ୍ ବୋଲିଂ କରି ୩୬ ୱିକେଟ୍ ନେଇଥିଲେ। ଏହି ସିଜନ୍ରେ ମଧ୍ୟ ୩ଟି ମ୍ୟାଚ୍ରେ ୧୪ ୱିକେଟ୍ ନେଇ ସାରିଥିଲେ। କିନ୍ତୁ ଟିମ୍ରେ ସ୍ଥାନ ନ ମିଳିବାରୁ ଶେଷରେ ସେ ସନ୍ନ୍ୟାସ ନିଷ୍ପତ୍ତି ନେଇଛନ୍ତି।
ଭାବବିହ୍ୱଳ ସାମୀ:
ଭିଡିଓରେ ସାମୀ ପ୍ରଥମେ ସମସ୍ତଙ୍କୁ ଦୀପାବଳୀ ଶୁଭେଚ୍ଛା ଦେଇଛନ୍ତି। କ୍ୟାପ୍ସନ୍ରେ ସେ ଲେଖିଛନ୍ତି ଯେ, “ଧଳା ଜର୍ସିରୁ ବିଦାୟ ନେଉଛି, କିନ୍ତୁ ସେଥିରେ ଜଡ଼ିତ ସ୍ମୃତିରୁ କେବେ ନୁହେଁ। ଯେବେ ପ୍ରଥମ ଥର ଭାରତ ଜର୍ସି ପିନ୍ଧିଥିଲି, ସେତେବେଳେ ଗୋଟିଏ ହିଁ ସ୍ୱପ୍ନ ଥିଲା – ଭାରତ ପାଇଁ କିଛି କରି ଦେଖାଇବାର। ଏହା ପରେ ପ୍ରତି ୱିକେଟ୍, ପ୍ରତି ସଂଘର୍ଷ, ପ୍ରତି ଆଘାତ ଓ ପ୍ରତି ପ୍ରତ୍ୟାବର୍ତ୍ତନ ମୋତେ କିଛି ନା କିଛି ଶିଖାଇଛି।”
ରେଡ୍ ବଲ୍ କ୍ରିକେଟ୍ରୁ ବିଦାୟ ନେଲେ ମଧ୍ୟ ସାମୀଙ୍କ ଧଳା ଜର୍ସିର ଯାତ୍ରା କ୍ରିକେଟ୍ ପ୍ରେମୀଙ୍କ ମନରେ ସବୁଦିନ ରହିବ।


