ବାଣପୁର: ମହାନ ଜନଜାତି ଯୁବସ୍ଵାଧୀନତା ସଂଗ୍ରାମୀ, ଭାରତ ବର୍ଷର ଜନଜାତିର ଗର୍ବଗୌରବ, ଜନଜାତିମାନଙ୍କର ସର୍ବମାନ୍ୟ “ଧରତିଆବା” ଭଗବାନ ସ୍ୱରୂପ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉତ୍ସବ ବାଣପୁରର ନେହେରୁ ସେବା ସଂଘ ପରିସରରେ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଭାରତ ସରକାରଙ୍କ ଦ୍ଵାରା ପ୍ରାୟୋଜିତ ବିର୍ସାଙ୍କ ଜୟନ୍ତୀ ଦିବସକୁ ଦେଶର ସର୍ବତ୍ର ଜନ ଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ସେବାସଂଘରେ ଥିବା ସମସ୍ତ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ଉତ୍ସବ ଅତୀବ ଆନନ୍ଦର ସହିତ ପାଳନ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ଶିକ୍ଷାବିତ୍ ପ୍ରଫେସର୍ ବିଜୟ କୁମାର ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁନାୟକ ମୁଖ୍ୟ ଅତିଥି, ଗୋଷ୍ଠୀଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟବକ୍ତା, ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦଦାସ ସମ୍ମାନୀତ ବକ୍ତା, ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ ନିମନ୍ତ୍ରିତ ଅତିଥି, ସଂପାଦିକା ସରୋଜିନୀ ଦାଶ ଏବଂ କୋଷାଧ୍ୟକ୍ଷ ଓମପ୍ରକାଶ ଅଗ୍ରୱାଲ୍ ଯୋଗଦେଇ ସ୍ଵାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ଦେଶର ସ୍ଵାଧୀନତା ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରି ନିଜଜୀବନକୁ ଉତ୍ସର୍ଗ କରି ଜନଜାତିମାନଙ୍କର ତ୍ରାଣକର୍ତ୍ତା ହୋଇପାରିଥିଲେ ସେ ସଂପର୍କରେ ଆଲୋକପାତ କରି ତାଙ୍କ ପରି ଜନ୍ମମାଟିକୁ ଭଲ ପାଇ ତାର ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ପ୍ରତ୍ୟେକେ ସଂକଳ୍ପ ନେବାକୁ ଆହ୍ୱାନ କରି ଭଗବାନବିର୍ସାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନୁଷ୍ଠାନର ସହ ସଂପାଦକ ବିରେନ୍ଦ୍ରକୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପ୍ରଶିକ୍ଷକ ପ୍ରଦୀପ କୁମାର ଦାସ ସଭା ସଂଯୋଜନା କରି ଧନ୍ୟବାଦାର୍ପଣ କରିଥିଲେ। ଅନୁଷ୍ଠାନର ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ କୃତିଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।


