କରୋନା ଓ ତାଲାବନ୍ଦ ଦ୍ୱାରା ପ୍ରଭାବିତ ଅଟୋଚାଳକଙ୍କୁ ୱାଇ.ଏସ.ଡିର ସହାୟତା

Published: May 14, 2020, 9:13 pm IST

ହେମାଙ୍ଗ ରାଉଳ

ବ୍ରହ୍ମପୁର : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲୁଥିବା ତାଲାବନ୍ଦ ଫଳରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନ ମଜୁରିଆ, ରିକ୍ସା ଚାଳକ, ଅଟୋଚାଳକ, ଅନ୍ୟ ଘରେ କାର୍ଯ୍ୟ କରୁଥିବା ମହିଳା, ରାଜ୍ୟ ଓ ଜିଲ୍ଲା ବାହାରୁ ଫେରିଥିବା ଦାଦନ, ଅଟକିଥିବା ଜିଲ୍ଲା ଓ ରାଜ୍ୟ ବାହାର ଦାଦନ ଓ ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କ ରୋଜଗାର ବାଧାପ୍ରାପ୍ତ  ହେବା ସହ  ଖାଦ୍ୟ ଅଭାବ ଲାଗି ରହିଛି। ଏହାକୁ ଅନୁଭବ କରି ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ଦ୍ୱାରା ଅଜିମ ପ୍ରେମଜି ଫିଲାନଥ୍ରୋପିକ ଇନିସିଏଟିଭ, ଆଇଡିଆରଏଫ ଓ ପିଟିଏଫ ସହାୟତାରେ ବ୍ରହ୍ମପୁର ସହରରେ ଅଟୋଚାଳକଙ୍କ ପାଇଁ  ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ୧୫୦ ଜଣଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହିକ୍ରମରେ ଜଣେ ଅଟୋଚାଳକଙ୍କୁ ୫ କି.ଗ୍ରା ଚାଉଳ, ୧ କି.ଗ୍ରା ଡାଲି, ଲୁଣ ଏକ କି.ଗ୍ରା, ଏକ ଲିଟର ଖାଇବା ତେଲ, ୧ କି.ଗ୍ରା ସୋୟାବିନ ବଡି, ୧ ପ୍ୟାକେଟ ହଳଦୀ ଗୁଣ୍ଡ, ୧ ପ୍ୟାକେଟ ଲଙ୍କା ଗୁଣ୍ଡ ଓ ୧ ପ୍ୟାକେଟ, ଏମ.ଡି.ଏଚ ମସଲା ଗୁଣ୍ଡ ପ୍ରଦାନ କରାଯାଇଛି। ଯାହା ଉକ୍ତ ପରିବାରକୁ ଏହି ତାଲାବନ୍ଦ ସମୟରେ ଖାଦ୍ୟ ଅଭାବକୁ ଦୂର କରିପାରିବ।

ସକାଳେ ବ୍ରହ୍ମପୁର ସହରର ପୁରୁଣା ବସସାଣ୍ଡ ଅଞ୍ଚଳରେ ପାଖାପାଖି ୩୫ ଅଟୋଚାଳକଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ସମୟରେ ଅଟୋଚାଳକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ହାତକୁ ବାରମ୍ବାର ସାନିଟାଇଜର କିମ୍ବା ସାବୁନରେ ହାତ ଧୋଇବା ପାଇଁ ସଚେତନ କରାଯାଇଥିଲା। ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମ ପାଇଁ ୱାଇ.ଏସ.ଡି ର କର୍ମକର୍ତା ଓ ସ୍ୱେଚ୍ଛାସେବୀମାନେ କରୋନା ପ୍ରତିଷେଧକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ତାଲିମ ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବିଭୁ ପ୍ରସାଦ ସାହୁ, ଚନ୍ଦନ କୁମାର ସାହୁ, ନାଗେଶ୍ୱର ପାତ୍ର ଅଭିରାମ କହଁର, ପ୍ରକାଶ ଚନ୍ଦ୍ର ସାହୁ ଓ ରାଜେନ୍ଦ୍ର ବାଡତ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Related posts