Categories
ଆଜିର ଖବର ସ୍ବାସ୍ଥ୍ୟ

ନଡିଆ ତେଲ ଆମ ସ୍ବାସ୍ଥ୍ୟ ପାଇଁ କେତେ ହିତକର ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ, ବିଭିନ୍ନ ଉଦ୍ଦେଶ୍ୟରେ ବିଶ୍ବରେ ବ୍ୟବହୃତ ହେଉଥିବା ଜିନିଷ ମଧ୍ୟରୁ ନଡିଆ ତେଲ ଅନ୍ୟତମ। ନଡ଼ିଆ ତେଲରେ ଫ୍ୟାଟି ଏସିଡ୍ ର ଏକ ନିଆରା ମିଶ୍ରଣ ଅଛି। ଏହି ଫ୍ୟାଟି ଏସିଡ୍ ଯୋଗୁଁ ନଡିଆ ତେଲ ଆମ ଶରୀର ପାଇଁ ବିଭିନ୍ନ ଉପକାରରେ ଆସିଥାଏ। ନଡିଆ ତେଲରେ ଥିବା ଫ୍ୟାଟି ଏସିଡ୍ ଆମ ଶରୀରକୁ ଚର୍ବି ତରଳିବାକୁ ସାହାର୍ଯ୍ୟ କରିଥାଏ। ଏହା ମସ୍ତିଷ୍କ ଏବଂ ଶରୀରକୁ ଶୀଘ୍ର ଶକ୍ତି ଯୋଗାଇ ଥାଏ।

ନଡିଆ ତେଲ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବାୟଲ୍ ପ୍ରଭାବ ରହିଥାଏ କାରଣ ଏଥିରେ ଲାଓରିକ ଏସିଡ୍ ଥାଏ। ଆମ ଶରୀରରେ ଏହନ ଏସିଡ୍ ହଜମ ହୋଇ ମୋନୋଲାରିନ୍ ନାମକ ଏକ ରାସାୟନିକ ପଦାର୍ଥ ସୃଷ୍ଟି କରେ। ଏହି ଏସିଡ୍ ଏବଂ ମୋନୋଲୋରିନ ଜୀବାଣୁ, ଭୂତାଣୁ ନିଷ୍କ୍ରିୟ କରିବାରେ ସାହାର୍ଯ୍ୟ କରିଥାଏ। ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବାୟଲ୍ ଥିବାରୁ ପାଟି ଧୋଇବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଇପାରେ। ଏହା ଜୀବାଣୁକୁ ମାରି ଦାନ୍ତର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ।

ନଡ଼ିଆ ତେଲର ଆମ ଶରୀରର ତ୍ବଚା ପାଇଁ ଅନେକ ଲାଭଦାୟକ। ନଡିଆ ତେଲ ଲଗାଇଲେ ଆପଣଙ୍କ ଚର୍ମ, କେଶ ଏବଂ ଦାନ୍ତକୁ ସୁରକ୍ଷା ଦେଇଥାଏ। କସମେଟିକ୍ ଦ୍ରବ୍ୟରେ ନଡିଆ ତେଲ ବ୍ୟବହୃତ ହୁଏ। ନଡିଆ ତେଲ ଶୁଷ୍କ ଚର୍ମ ଥିବା ବ୍ୟକ୍ତିଙ୍କ ପାଇଁ ଏକ ଭୂମିକା ଗ୍ରହଣ କରିଥାଏ। କାରଣ ଏହା ଚର୍ମକୁ ଆର୍ଦ୍ରତା ଯୋଗାଇଥାଏ। ନଡ଼ିଆ ତେଲ କେଶ ଝଡିବାକୁ ମଧ୍ୟ ରୋକିଥାଏ। କାରଣ ଏହା ସନକ୍ରିମ ଭାବରେ କାମ କରିଥାଏ।

ନଡ଼ିଆ ତେଲ ସୂର୍ଯ୍ୟର ଅତିବାଇଗଣୀ ରଙ୍ଗର ବିକିରଣର ପ୍ରାୟ କୋଡ଼ିଏ ପ୍ରତିଶତକୁ ପ୍ରତିରୋଧ କରିଥାଏ। ନଡ଼ିଆ ତେଲରେ ମଧ୍ୟମ ଚେନ୍ ଟ୍ରାଇଗ୍ଲେସିରାଇଡ୍ (MCT) ଥାଏ।  MCT ର ଉପସ୍ଥିତି ଯୋଗୁଁ ଏହା ଭୋକ ପରିମାଣ ହ୍ରାସ କରିଥାଏ। ଏହା ଦ୍ବାରା ଶରୀରର ଓଜନ ହ୍ରାସ ପାଇଁ ବେଶ୍ କାମ ଦେଇଥାଏ।

Categories
ବିଶେଷ ଖବର ବ୍ୟବସାୟ

ଏହି ଦୀପାବଳିରେ କାହାର ଭାଗ୍ୟରେ ଆସିବ ପରିବର୍ତ୍ତନ, ଆପଣଙ୍କ ରାଶିଫଳରୁ ଏହା ଜାଣି ନିଅନ୍ତୁ

ନୂଆଦିଲ୍ଲୀ, ପ୍ରାୟତଃ ଆମେ ଆମର ରାଶିଫଳ ଦେଖୁ ଯାହା ଦ୍ବାରା ଆମେ ଆମର ଭବିଷ୍ୟତର ଅନୁଭବ ପାଇଥାଉ ଏବଂ ଆମେ ସତର୍କ ମଧ୍ୟ ହୋଇଥାଉ। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜି କାହାର ଭାଗ୍ୟ ଭଲ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କୁ ଶୁକ୍ରବାରର ରାଶିଫଳ ବିଷୟରେ କହିବାକୁ ଯାଉଛୁ। ଏଥିରେ କାହାର ଭାଗ୍ୟ ବଦଳିବ ଜାଣନ୍ତୁ

ମେଷ: ମାନସିକ ଏବଂ ଶାରୀରିକ ସ୍ତରରେ ଅନେକ ନିୟନ୍ତ୍ରଣ ରଖନ୍ତୁ ଏବଂ ବିଦ୍ରୋହର ଭାବନା କ୍ଷତିକାରକ ହୋଇପାରେ। ଆପଣ ଆଜି ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇପାରନ୍ତି । ସେଥିପାଇଁ ଭାବି ଚିନ୍ତି କାମ କରନ୍ତୁ। ଆଜି ବ୍ୟବସାୟିକ ପରିସ୍ଥିତି ମଧ୍ୟ ଅଡୁଆ ସୃଷ୍ଟି ହୋଉପାରେ।

ବୃଷ: ଆଜି ଆପଣଙ୍କ ଶତ୍ରୁମାନେ ପରାସ୍ତ ହେବେ। ଭଲ ଖବର ଶୁଣିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ମଧ୍ୟ ଲାଭଦାୟକ ହେବ। ଦୀପାବଳି ପୂର୍ବରୁ ଆପଣଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଅଛି ଯାହା ବେଶ୍ ଲାଭ ଦେବ।

ମିଥୁନ୍: ସଠିକ୍ ସମୟରେ ଆପଣଙ୍କ ମନ ଭିତରକୁ ଆସିଥିବା ଶକ୍ତିକୁ ବ୍ୟବହାର କରନ୍ତୁ। ବର୍ତ୍ତମାନ ଏହାକୁ ବ୍ୟବହାର କଲେ କ୍ଷତି ହେବାର ସମ୍ଭାବନା ଅଛି। ବର୍ତ୍ତମାନ କେବଳ ଯୋଜନା ପ୍ରସ୍ତୁତ କରନ୍ତୁ। ବାକି ସମୟ ମଧ୍ୟ ଭଲ ରହିବ।

କର୍କଟ: ମାନସିକ ସ୍ଥିତି ଭଲ ରହିବ ନାହିଁ। ମନ ଭିତରେ ଭୟ ଆସିପାରେ। ଶାରୀରିକ, ମାନସିକ, ବୃତ୍ତିଗତ ସ୍ଥିତି ମଧ୍ୟମ ରହିବ। ଆଗାମୀ ଦିନଗୁଡିକ ଆପଣଙ୍କ ପାଇଁ ଶୁଭ ଦାୟକ ହେବ।

ସିଂହଁ: ଆପଣଙ୍କର ଦୃଢତା ବୃଦ୍ଧି ପାଇବ। ମନରେ ସ୍ଥିରତା ଆସିବ। ମାନସିକ, ଶାରୀରିକ ପାଇଁ ଆବଶ୍ୟକ ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଗାମୀ ଦିନରେ ସବୁକିଛି ଠିକ ହୋଇଯିବ।

କନ୍ୟା: ଟିକିଏ ଧ୍ୟାନ ଦେଇ ଚାଲନ୍ତୁ, ଆଘାତ ହୋଇପାରେ। କିଛି ଅସୁବିଧାରେ ପଡ଼ିପାରନ୍ତି। କୈଣସି ବିପଦ ପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ବ୍ୟବସାୟ ପରିସ୍ଥିତି ଆଗକୁ ଭଲ ହେବ।

ତୂଳା: ଆର୍ଥିକ ଦୃଷ୍ଟିରୁ ଭଲ ହେବ। କେବଳ ନିଜ ମନକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କର ଭାବନାକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ, ପ୍ରେମ, ବ୍ୟବସାୟ କ୍ଷେତ୍ରରେ ମଧ୍ୟମ ଧରଣ ରହିବ। ଅନେକ ବର୍ଷ ପରେ ଆପଣଙ୍କର ସମସ୍ତ ଅସୁବିଧା ସମାପ୍ତ ହେବ ଏବଂ ସବୁ ଭଲ ହୋଇଯିବ।

ବିଛା: ଆପଣ ଏହି ସମୟରେ ଆପଣଙ୍କ ମାତୃ ପାର୍ଶ୍ୱରୁ କିଛି ଆଶୀର୍ବାଦ ପାଇ ପାରନ୍ତି। ଶରୀର ମଧ୍ୟମ ଧରଣର ରହିବ। ପ୍ରେମର ଅବସ୍ଥା ଭଲ ଅଛି। ବ୍ୟବସାୟ ପରିସ୍ଥିତି ଭଲ ହେବ।

ଧନୁ: ଧର୍ମ କର୍ମରେ ମନଯୋଗ ଦେଲେ ଏହା ଆପଣଙ୍କୁ ଶକ୍ତିଶାଳୀ କରିବ। ଆପଣଙ୍କର ଭାଗ୍ୟ ବଳରେ କିଛି ଭଲ ଘଟିବ। ସ୍ବାସ୍ଥ୍ୟ ମଧ୍ୟ ଠିକ ରହିବ। ବ୍ୟବସାୟ ପୂର୍ବ ପରି ସମାନ ରହିବ।

ମକର: ଅସତ୍ କର୍ମ କାରଣରୁ ଅସୁବିଧାରେ ପଡ଼ିପାରନ୍ତି। ଶାରୀରିକ ସ୍ତରରେ ଉନ୍ନତି ହୋଇଛି। ମାନସିକ ଭୟ ସୃଷ୍ଟି ହୋଇପାରେ ଏବଂ ପ୍ରେମ ପୂର୍ବ ଅପେକ୍ଷା ଭଲ ରହିବ। ସମୟ ସମୟରେ ବ୍ୟବସାୟରେ ଉନ୍ନତି ହେବ।

କୁମ୍ଭ: ଜୀବନ ସାଥୀଙ୍କ ସହିତ କିଛି ଗୋଟାଏ ଭଲ ଘଟଣା ଘଟିବାକୁ ଯାଉଛି। ଦୀର୍ଘ ଦିନ ଧରି ଚାଲି ଆସୁଥିବା ବିବାଦ ଦୂର ହେବ। ବ୍ୟବସାୟ କ୍ଷେତ୍ରରେ କିଛି ଆଶ୍ୱାସନା ମିଳିବ। ପ୍ରେମ, ବ୍ୟବସାୟ, ସବୁ ଭଲ ରହିବ।

ମୀନ: ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆସୁଛି। ମାନସିକତାକୁ ନିୟନ୍ତ୍ରଣ ରଖନ୍ତୁ। ବୃତ୍ତିଗତ ସ୍ତରରେ ଆପଣଙ୍କର ଭଲ ରହିବ। ବ୍ୟବସାୟ ପୂର୍ବ ପରି ସମାନ ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଘରୋଇ ବିମାନରେ ଯାତ୍ରୀ ନେବାର କ୍ଷମତା ହେଲା ବୃଦ୍ଧି

ନୂଆଦିଲ୍ଲୀ, ଘରୋଇ ବିମାନ କଂପାନୀମାନେ ସେମାନଙ୍କର ଯାତ୍ରୀ ନେବାର କ୍ଷମତା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଘରୋଇ ବିମାନ 70 ପ୍ରତିଶତ ଯାତ୍ରୀ ନେଇ ଯାଇପାରିବେ। ଏ ନେଇ ଆଜି ବେସାମରିକ ବିମାନ ଚଳାଚଳ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିମାନ ଯାତ୍ରୀଙ୍କ ଭିଡକୁ ଲକ୍ଷ୍ୟ କରି ଏହି ବୃଦ୍ଧି କରାଯାଇଛି ବୋଲି ବିଭାଗ ତରଫରୁ କୁହାଯାଇଛି।

ପୂର୍ବରୁ ବିମାନରେ ଯେତିକି ସିଟ୍ ରହିଛି ସେଥିରୁ 60 ପ୍ରତିଶତ ଯାତ୍ରୀ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବିମାନ ଟିକେଟ ବୁକିଂକୁ ନଜରରେ ରଖି ଏହି ବୃଦ୍ଧି କରାଯାଇଛି। କରୋନା ସଂକ୍ରାମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନରେ ଯାତ୍ରୀ ନେବା ପାଇଁ କଟକଣା ଜାରୀ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ପାରିବାରିକ କଳହ: ଭାଉଜର ଗରମ ପେଜ ଆକ୍ରମଣରେ ଦିଅର ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାଉଜ ନିଜ ଦିଅର ଉପରେ ଗରମ ପେଜ ଢାଳିବା ଦ୍ଵାରା ଦିଅର ଗୁରୁତର ଆହତ ହୋଇଛନ୍ତି। ଏନେଇ ଭେଟେଶ୍ୱର ଗ୍ରାମର କର୍ପୁର ପଲାଇ ଆଜି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଆଜି ସନ୍ଧ୍ୟାବେଳେ ତାଙ୍କ କନିଷ୍ଠ ପୁତ୍ର ଅନୁ ପଲେଇ ଘର ପାହାଚରେ ବସିଥିବା ସମୟରେ ହଠାତ ତାଙ୍କ ବଡ଼ ବୋହୁ ଗରମ ପେଜପାଣି ଅନୁଙ୍କ ଉପରେ ଢ଼ାଳିଦେଇଥିଲେ।

ଅନୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଯଥାଶୀଘ୍ର ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାପାଇଁ ଅନୁଙ୍କ ମା କର୍ପୁର ବାଣପୁର ଥାନାଧିକାରୀଙ୍କୁ ନିବେଦନ କରିଛନ୍ତି। ତେବେ ବାଣପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଦେଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୨୬୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୧୦, ସୁନ୍ଦରଗଡରୁ ୭୯, ବାଲେଶ୍ବରରୁ ୭୬, ବଲାଙ୍ଗିରିରୁ ୭୬, କଟକରୁ ୭୪, କେନ୍ଦୁଝରରୁ ୭୪, ମୟୂରଭଞ୍ଜରୁ ୬୫, ନୂଆପଡାରୁ ୬୧, ଜଗତସିଂହପୁରରୁ ୫୯, ବରଗଡରୁ ୫୭, ପୁରୀରୁ ୪୩, କେନ୍ଦ୍ରାପଡାରୁ ୪୪, ଢେଙ୍କାନାଳରୁ ୩୮, ସମ୍ବଲପୁରରୁ ୩୦, ଯାଜପୁରରୁ ୨୮, କଳାହାଣ୍ଡିରୁ ୨୫, ଗଞ୍ଜାମରୁ ୨୨, ଭଦ୍ରକରୁ ୨୦, କୋରାପୁଟରୁ ୨୦, ନବରଙ୍ଗପୁରରୁ ୧୮, କନ୍ଧମାଳରୁ ୧୩, ଝାରସୁଗୁଡାରୁ ୧୨, ରାୟଗଡାରୁ ୧୧, ଦେବଗଡରୁ ୯, ନୟାଗଡରୁ ୯, ସୋନପୁରରୁ ୮, ମାଲକାନଗିରିରୁ ୬, ଗଜପତିରୁ ୩, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୯୩ ହଜାର ୭୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୯୮୬ ମଧ୍ୟରୁ ୧୦ ହଜାର ୭୦୯ ଜଣ ଚିକିତ୍ସିଧୀନ ଥିବା ବେଳେ ୧୪୮୩ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅର୍ଣ୍ଣବ ଗୋସ୍ବାମୀଙ୍କ ବଡ ଘୋଷଣା, ଓଡିଆ ସହିତ ବିଭିନ୍ନ ଭାଷାରେ କରିବେ ନ୍ୟୁଜ ଚ୍ୟାନେଲ

ମୁମ୍ବାଇ, ଜେଲରୁ ବାହାରିବା ପରେ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ନ୍ୟୁଜ ଚ୍ୟାନେଲ କରାଯିବ। ସେଥିପାଇଁ ଖୁବ ଶିଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଅର୍ଣ୍ଣବ କହିଛନ୍ତି। ଜେଲରୁ ମୁକୁଳିବା ପରେ ଅର୍ଣ୍ଣବ ବେଶ୍ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସବୁ ରାଜ୍ୟରେ ନ୍ୟୁଜ ଚ୍ୟାନେଲ କରିବି, ଯଦି ‘ତାକତ ଅଛି ତେବେ ମୋତେ ରୋକ’।

ଜଣେ ଇଣ୍ଟିରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟରେ ଜାମିନି ନ ମିଳିବାରୁ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଗତକାଲି ତାଙ୍କୁ ଅନ୍ତରିଣ ଜାମିନି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ରଫ୍‌ ଲୁକ୍‌ରେ ବେଶ୍‌ ଦମଦାର୍‌ ଅଲ୍ଲୁ ଅର୍ଜୁନ: ପୁଷ୍ପାର ଫାଷ୍ଟ ପୋଷ୍ଟର ରିଲିଜ୍‌

ହାଇଦ୍ରାବାଦ : କରୋନା କାଳ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଏକରକମ ବନ୍ଦ ହୋଇ ପଡିରହି ଥିବାବେଳେ ଧୀରେ ଧୀରେ ଏହା ଟ୍ରାକ୍‌କୁ ଫେରୁଛି । କରୋନା ପାଇଁ ବହୁ ପ୍ରୋଜେକ୍ଟ ବନ୍ଦ ହୋଇପଡିଥିବାବେଳେ ଏବେ ଧୀରେ ଧୀରେ ଏହା ସକ୍ରିୟ ହେଉଛି। ଇତି ମଧ୍ୟରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପାର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ପୁରୁଣା ଡ୍ରେସ ପିନ୍ଧି ଜଙ୍ଗଲ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ଜଣେ ଲରି ଡ୍ରାଇଭର ଭୂମିକାରେ ନଜର ଆସିବେ ଅଲ୍ଲୁ । କରୋନା ଭାଇରସ କାରଣରୁ ଫିଲ୍ମର ସୁଟିଂ ପ୍ରାୟ ଛଅ ମାସ ବିଳମ୍ବ ହୋଇଛି । ଗୁରୁବାର ଠାରୁ ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ ହୋଇଛି ।

ଏହି ଫିଲ୍ମରେ ଅଲ୍ଲୁଙ୍କ ବିପକ୍ଷରେ ଅଛନ୍ତି ରଶ୍ମିକା ମନ୍ଦାନା । ଆନ୍ଧ୍ରପ୍ରଦେଶର ମାରେଦୁମୁଲୀ ଜଙ୍ଗଲରେ ଫିଲ୍ମଟି ଶୁଟିଂ ହେଉଛି । ଚନ୍ଦନ କାଠ ତସ୍କରୀ ଉପରେ ଆଧାରିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ‘ରଙ୍ଗସ୍ଥଳମ୍‌’ର ନିର୍ଦ୍ଦେଶକ ସୁକୁମାର। ସୁକମାର ଏହା ପୂର୍ବରୁ ଆର୍ଯ୍ୟା ଏବଂ ଆର୍ଯ୍ୟା-2ରେ ଅଲ୍ଲୁ ଅର୍ଜୁନଙ୍କୁ ନିଦେ୍ର୍ଧଶନା ଦେଇଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଶେଷ ଫିଲ୍ମ ଆଲା ବୈକୁଣ୍ଠପୁରମଲୋ ସୁପରହିଟ୍ ହୋଇଥିବା ବେଳେ ସୁକୁମାରଙ୍କ ରଙ୍ଗସ୍ଥଳମ ବ୍ଲକବଷ୍ଟର ହୋଇଥିଲା । ତେଣୁ ଉଭୟ ନିଜ ଟ୍ରାକ ରେକର୍ଡ ବଜାୟ ରଖିବାକୁ ଚାହିଁବେ । ଏହି ଫିଲ୍ମଟି ଏକ ସାଙ୍ଗରେ ପାଞ୍ଚଟି ଭାଷାରେ ରିଲିଜ ହେବ । ଚାରି ଦକ୍ଷିଣ ଭାରତୀୟ ଭାଷା ବ୍ୟତୀତ ହିନ୍ଦିରେ ମଧ୍ୟ ଫିଲ୍ମଟି ରିଲିଜ ହେବ । ଦେବୀ ଶ୍ରୀ ପ୍ରସାଦ ଏହି ଫିଲ୍ମର ସଙ୍ଗୀତ ନିଦେ୍ର୍ଧଶନା ଦେଇଥିବା ବେଳେ ଫିଲ୍ମଟି 2021ରେ ରିଲିଜ୍‌ ହେବାକୁ ଲକ୍ଷ୍ୟ ରଖିଛି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା : କୋର୍ଟରେ ହାଜର ହୋଇ ସମୟ ନେଲେ ଅନୁଭବ

ଭୁବନେଶ୍ୱର:  ପାରିବାରିକ ହିଂସା ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କୋର୍ଟରେ ଓକିଲଙ୍କ ଜରିଆରେ ଆଜି ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ତେବେ ଆସନ୍ତା ଡିସେମ୍ବର 18 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।

ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ ଆଣି କୋର୍ଟ ଯାଇଥିଲେ ବର୍ଷା । ମଦ୍ୟପାନ କରିବା, ବିରୋଧ କଲେ ବାଡ଼େଇବା ଏମିତିକି ଗୋଇଠା ମାରନ୍ତି ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ସେପଟେ ଅନୁଭବ ମଧ୍ୟ ଛାଡ଼ପତ୍ର ନେଇ କୋର୍ଟ ଯାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅବକାରୀ ବିଭାଗର ଚଢ଼ାଉ: ହଜାର ହଜାର ଲିଟର ପୋଚ ନଷ୍ଟ, ତିନି ମହିଳା ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ତିନି ଜଣଙ୍କୁ  ଗିରଫ କରି ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଲକ ଡ଼ାଉନ ସମୟରେ ଅବକାରୀ ବିଭାଗ ଚିଲିକା ନିର୍ବାଚନମଣ୍ଡଳୀରେ  ବାରମ୍ବାର ଚଢ଼ାଉ କରି ହଜାର ହଜାର  ଲିଟର ଦେଶୀ ମଦ ଜବତ ସହ ବହୁ ଚୋରା ବେପାରୀଙ୍କୁ ଗିରଫ କରିଥିବା ସ୍ଥଳେ ବର୍ତ୍ତମାନ ଲକ ଡ଼ାଉନ ହଟିବାପରେ ମଧ୍ୟ ଚଢ଼ାଉ ଅବ୍ୟାହତ ରହିଛି।

ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଥାନାଧୀକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ନିରୀକ୍ଷକ ମନୋଜ ବାରିକ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ଏକ ବୃହତ ଟିମ ଗଠନ କରାଯାଇ ପୂର୍ବ ସୂଚନା ଅନୁଯାୟୀ ବାଣପୁର ବ୍ଲକର କନ୍ଧଆମ୍ବଝର ମୌଜା ସ୍ଥିତ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅବକାରୀ ବିଭାଗ ଘଟଣାସ୍ଥଳରେ ୨୦୫୦ ଲିଟର ପୋଚ ନଷ୍ଟ କରିବା ସହ ୨୮ ଲିଟର ଦେଶୀ ମଦ ସହ ତିନି ଜଣ ମହିଳାଙ୍କୁ ଗିରଫ କରିଛି। ମହିଳାମାନେ ହେଲେ ଯଶୋଦା ପରିଡ଼ା, ନିଶା ପଲେଇ ଏବଂ ସୁକାନ୍ତି ମହନ୍ତ। ସମସ୍ତେ ଘଟଣାସ୍ଥଳରେ ବେପାର ଉଦେଶ୍ୟରେ ପୋଚ ତିଆରି କରୁଥିଲେ। କୋଭିଡ ଲାଗି ତିନି ଜଣ ଅଭିଯୁକ୍ତଙ୍କୁ ସେକ୍ସନ ୪୧(ଏ)  ରେ ନୋଟିସ ଦେଇ ଅବକାରୀ ବିଭାଗ ଛାଡିଦେଇଥିବା ସ୍ଥଳେ ସମସ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୬୦, ୬୨ ଏବଂ ୬୩ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇଲେ ଯତିନ୍‌ ମହାନ୍ତି

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତି ପାଇଲେ ଯତିନ୍‌ ମହାନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଯତିନ୍‌ ମହାନ୍ତିଙ୍କୁ ନିଯୁକ୍ତି କରାଯାଇଛି।

ଯତିନ୍‌ ମହାନ୍ତି ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଓ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଛାତ ସଂସଦ ନିର୍ବଚନରେ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଡ. ମହାନ୍ତି ପୂର୍ବରୁ ରାଜ୍ୟ ସମ୍ପାଦକ ଓ ରାଜ୍ୟର ମୁଖ୍ୟପାତ୍ର ଭାବେ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ନେତୃତ୍ବରେ ଜିଲ୍ଲାର ସଙ୍ଗଠନ ନିଶ୍ଚିତ ଭାବେ ମଜବୁତ୍‌ କରାଯାଇପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମିରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା କାରଣରୁ ତାଙ୍କୁ ଦାୟିତ୍ବମୁକ୍ତ କରାଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ସାବଧାନ ରୁହନ୍ତୁ: ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇପାରନ୍ତି। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ କରିବାକୁ ଦିଅନ୍ତୁ ନାହିଁ।

ଦୀପାବଳୀ ଯେତିକି ପାଖେଇ ଆସୁଛନ୍ତି, ପୂର୍ବ ତଟ ରେଳପଥ ଯାତ୍ରୀ ଏବଂ ମେଲ/ ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି। ଟ୍ରେନ୍ ଯାତ୍ରା ସମୟରେ ଜ୍ୱଳନ୍ତ ଜିନିଷ ବହନ କରିବା କଠୋର ନିଷେଧ। ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ କରାଯାଇ ଏହାର ସମସ୍ତ ତିନୋଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲ୍ଟେୟାରକୁ କଡା ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଛି।

ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ ନେଉଥିବାର ଦେଖାଯାଏ, ତେବେ ଟ୍ରେନ ଯାତ୍ରୀମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ ପରିଚାଳକ, ଟ୍ରେନର ଗାର୍ଡ ମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପ ଲାଇନ୍ ନମ୍ବର ୧୮୨ କୁ ଫୋନ କଲ କରିପାରିବେ। ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ଫଟକା ଏବଂ ବିସ୍ଫୋରକ ପଦାର୍ଥ ପରିବହନ କରିବାର ବିପଦ ବିଷୟରେ ଅବଗତ କରାଇବା ପାଇଁ ପୂର୍ବ ତଟ ରେଳପଥ ସୁରକ୍ଷା ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ଫଟକା ପରିବହନ ନେଇ କୌଣସି ସନ୍ଦେହ ହେଲେ ଏହି ପରିପ୍ରେକ୍ଷୀରେ ଯାତ୍ରୀମାନେ ରେଳବାଇ କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଅଛି ଏବଂ ରେଳବାଇ ପକ୍ଷରୁ ଟ୍ରେନରେ ଏହି ଅନିୟମିତତା ସମ୍ବନ୍ଧରେ କଡାକଡି ଯାଞ୍ଚ କରାଯାଉଛି।

ଏହା ବ୍ୟତୀତ ଷ୍ଟେସନରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଗ୍ରହଣ କରାଯାଇଅଛି। ସରକାରୀ ରେଳ ପୋଲିସ (GRP), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳ କର୍ମଚାରୀଙ୍କୁ ନିୟୋଜିତ କରି ଅନିୟମିତତା ସମ୍ବନ୍ଧରେ ଯାଞ୍ଚ କରାଯିବ ଏବଂ ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ କଡାକଡି ଯାଞ୍ଚ ପାଇଁ ବିଶେଷ ଧ୍ୟାନ ଦିଆଯାଉଅଛି।

ଏଗୁଡିକ ବ୍ୟତୀତ ଟ୍ରେନ୍ ଏବଂ ଷ୍ଟେସନରେ ଜ୍ୱଳନ୍ତ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଟ୍ରେନ୍ ଏସକର୍ଟିଂ ଦଳ ଏବଂ ମେରୀ ସହେଲୀ ଦଳମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ଷ୍ଟେସନ୍, ଗୁଡ୍ ଶେଡ୍, ଗାର୍ଡ ତଥା ଗାର୍ଡର ବ୍ରେକ୍ ଭ୍ୟାନ୍ରୁ ଏବଂ ଏସି କୋଚ୍, ପାନ୍ଟ୍ରି କାର୍ ଏବଂ ଲୋକୋମୋଟିଭରେ ପୃଥକ ପୃଥକ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ନିର୍ବାପକ ଉପକରଣ ଯୋଗାଇ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା କାଲି ଧନତେରାସ୍‌, ଜାଣନ୍ତୁ ଶୁଭ ମୂହୂର୍ତ୍ତ ଓ ପୂଜାର ମହତ୍ତ୍ବ ସମ୍ପର୍କରେ

ଭୁବନେଶ୍ବର : ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରାସ ପାଳନ କରାଯାଇଥାଏ ।  ଦୀପାବଳିର ଦିନକ ପୂର୍ବରୁ ଏହା ପାଳିତ ହୋଇଥାଏ । ଏହି ଦିନ ପ୍ରଭୁ ଧନ୍ୱନ୍ତରୀଙ୍କୁ ପୂଜା କରାଯାଇଥାଏ ଏବଂ ଏହାକୁ ଶୁଭ ଦିନ ଭାବେ ଗଣାଯାଇଥାଏ । ସୁନା, ରୂପାର ଆଭୂଷଣ ଏବଂ ବାସନ ଆଦି ସାମଗ୍ରୀ କିଣିବାକୁ ଶୁଭ ବୋଲି ଧରାଯାଏ । ଏ ବର୍ଷ ଧନତେରାସ ନଭେମ୍ବର 13 ରେ ପଡୁଛି । ପୂଜା ପାଇଁ ସନ୍ଧ୍ୟା ସମୟକୁ ଉପଯୁକ୍ତ ବୋଲି ଜ୍ୟୋତିଷବିତମାନେ କହୁଛନ୍ତି । ସନ୍ଧ୍ୟା 5ଟା 28 ମିନିଟରୁ 5 ଟା 59 ମିନିଟ ପୂଜା ପାଇଁ ଶୁଭ ମୁହୂର୍ତ୍ତ । ଏହା 30 ମିନିଟ ଧନତେରାସ ପୂଜା ପାଇଁ ଭଲ । ଭଗବାନ ଧନ୍ୱନ୍ତରୀ ଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଇଥାଏ । ଯିଏକି ହାତରେ ଅମୃତ କଳସ ଧରିଥାନ୍ତି । ଧନବନ୍ତରିଙ୍କୁ ପୀତଳ ପସନ୍ଦ । ତେଣୁ ଧନତେରାସରେ ପୀତଳ କିମ୍ବା ଅନ୍ୟାନ୍ୟ ଧାତୁ କିଣନ୍ତି ଭାରତୀୟ । ଆରୋଗ୍ୟ ଦେବତା ଧନ୍ୱନ୍ତରି ଏବଂ ଧନର ଦେବତା କୁବେରଙ୍କୁ ଏହି ଦିନ ପୂଜା କରାଯାଇଥାଏ । କୁହାଯାଏ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶ ଦିନ ସମୁଦ୍ର ମନ୍ଥନ ବେଳେ ଭଗବାନ ଧନ୍ୱନ୍ତରୀ ନିଜ ହାତରେ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ । ଏହା ବି କୁହାଯାଏ ଚିକିତ୍ସା ବିଜ୍ଞାନର ପ୍ରସାର ପାଇଁ ଭଗବାନ ଧନ୍ୱନ୍ତରୀ ଅବତାର ନେଇଥିଲେ । ଆୟୁର୍ବେଦର ଦେବା ଭାବେ ଧନ୍ୱନ୍ତରୀ ମାନ୍ୟତା ଦିଆଯାଇଛି । ପୌରାଣିକ ମାନ୍ୟତା ଅନୁସାରେ ଧନତେରାସ ଦିନ ଲକ୍ଷ୍ମୀ ପୂଜା କରିବା ଦ୍ୱାରା ଜୀବନ ଧନଧାନ୍ୟରେ ପୁରି ଯାଏ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ବଜାରରେ ନେତୃତ୍ବ ସୁଦୃଢ କଲା ରିଲାଏନ୍ସ ଜିଓ : ଅଗଷ୍ଟ ମାସରେ  ନୂତନ ୧.୯ ଲକ୍ଷ ଗ୍ରାହକଙ୍କ ସହ ଯୋଡି ହେଲା

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ ଅଗଷ୍ଟ ମାସରେ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଗ କରିଥିବା ଏହି ମାସ ପାଇଁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଏଥିସହିତ ଓଡ଼ିଶାରେ ସମ୍ପ୍ରତି ଜିଓର ୪୦.୨୮% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ମୋବାଇଲ ଗ୍ରାହକ ସଂଖ୍ୟା ୧.୩୪ କୋଟିକୁ ବୃଦ୍ଧିପାଇଛି। ଦେଶର ମାତ୍ର ତିନିଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନପାଇଛି ଯେଉଁଠାରେ ଜିଓ ଦୂରସଂଚାର କ୍ଷେତ୍ରରେ ୪୦% ଗ୍ରାହକ ବଜାର ଅଂଶକୁ ଅତିକ୍ରମ କରିଯାଇଛି।

ଟ୍ରାଇ ପକ୍ଷରୁ ୨୦୨୦ ଅଗଷ୍ଟ ମାସ ନିମନ୍ତେ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରାଜ୍ୟରେ ରିଲାଏନ୍ସ ଜିଓ ଏହି ମାସରେ ସର୍ବାଧିକ ୧.୯୦ ଲକ୍ଷ ବ୍ୟବହାରକାରୀ ଯୋଗକରିଛି। ସେହି ସମୟରେ ଉଭୟ ଏୟାରଟେଲ ଏବଂ ବିଏସଏନଏଲ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ ଆଇଡିଆର ବ୍ୟବହାରକାରୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଅଗଷ୍ଟରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧.୭୮ଲକ୍ଷ ବୃଦ୍ଧିପାଇ ୨୦୨୦ ଅଗଷ୍ଟ ୩୧ ସୁଦ୍ଧା ୩.୩୩ କୋଟିରେ ପହଞ୍ଚିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ନିରବଚ୍ଛିନ୍ନ ଭାବେ ଓଡ଼ିଶା ଏବଂ ସମଗ୍ର ଦେଶରେ ନିଜର ସର୍ବବୃହତ ୪ଜି ନେଟୱର୍କ, ଦ୍ରୁତ ନେଟୱର୍କ ସମ୍ପ୍ରସାରଣ, ଏପର୍ଯ୍ୟନ୍ତ ସଂଯୁକ୍ତ ହୋଇନଥିବା ଅଞ୍ଚଳଗୁଡିକୁ ସଂଯୋଗକରି ତଥା ପ୍ରତ୍ୟେକ ବର୍ଗର ଗ୍ରାହକଙ୍କୁ ସୁହାଇବା ଭଳି ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁଥିବା ଅଫର୍‍ ସହିତ ଲକ୍ଷାଧିକ ନୂଆ ବ୍ୟବହାରକାରୀ ଯୋଗ କରିଚାଲିଛି। ଟ୍ରାଇ ପକ୍ଷରୁ ଏହି କ୍ଷେତ୍ର ଉପରେ ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରେ ଜିଓ ମୋଟ ରାଜସ୍ୱ ଆୟ ହିସାବରେ ୫୦% ବଜାର ଅଂଶ ଅତିକ୍ରମ କରି ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ଆୟଭିତ୍ତିକ ବଜାର ଅଂଶରେ ଏକ ନମ୍ବର ସ୍ଥାନକୁ ସୁଦୃଢ କରିପାରିଛି।

ଜିଓ ନିଜର ୪ଜି ମୋବାଇଲ ନେଟୱର୍କ ସମ୍ପ୍ରସାରଣ କରିବା ସହିତ ଦେଶର ସର୍ବାଧିକ ଲୋକପ୍ରିୟ ହାଇସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ପ୍ରଦାନକାରୀ ଜିଓଫାଇବର୍‍ର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରୁଛି। ଓଡ଼ିଶାରେ ପର୍ଯ୍ୟାୟକ୍ରମେ ବହୁ ନଗର ଓ ସହରାଞ୍ଚଳରେ ଉପଲବ୍ଧ କରାଯାଉଥିବା ଜିଓଫାଇବର ସେବା ସମ୍ପ୍ରତି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନୁଗୁଳ ଏବଂ ଜଟଣୀ ସମେତ ୧୮ଟି ନଗର ଓ ସହରରେ ଉପଲବ୍ଧ ହେଉଛି।

ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ନିର୍ଭରଯୋଗ୍ୟ ଇଂଟରନେଟ ସଂଯୋଗ ଜରୁରୀ ଆବଶ୍ୟକତା ପାଲଟିଥିବାବେଳେ ଅତ୍ୟନ୍ତ ସୁଲଭ ମୂଲ୍ୟରେ ସେବା ଯୋଗାଣ ସହିତ ଜିଓଫାଇବର୍‍ର ଆକର୍ଷଣୀୟ ପ୍ଲାନ୍‍ଗୁଡିକ ପ୍ରକୃତପକ୍ଷେ ଅସୀମିତ ଇଂଟରନେଟ, ଅସୀମିତ ଭଏସ୍‍ କଲିଂ, ସିମେଟ୍ରିକ ସ୍ପିଡ (ଅପ୍‍ଲୋଡ ସ୍ପିଡ=ଡାଉନଲୋଡ ସ୍ପିଡ) ପ୍ରଦାନ କରୁଛି ଏବଂ ସୁଲଭ ପ୍ଲାନଗୁଡିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ଜିଓଫାଇବର ମଧ୍ୟ ନୂତନ ଗ୍ରାହକଙ୍କ ପାଇଁ ନିଃସର୍ତ୍ତ ୩୦ଦିନ ଅବଧିର ମାଗଣା ଟ୍ରାଏଲ ଯୋଗାଇ ଦେଉଛି, ଯେଉଁଠି ଏହା ଗ୍ରାହକଙ୍କୁ ୧୫୦ ଏମବିପିଏସ୍‍ ଏବଂ ଅସୀମିତ ଇଂଟରନେଟ ସହିତ ୧୦ଟି ପ୍ରିମିୟମ ଓଟିଟି ଆପ୍‍ ମାଗଣାରେ ୩୦ ଦିନ ପାଇଁ ଯୋଗାଇଦେଉଛି ଏବଂ ମାଗଣା ଟ୍ରାଏଲ ପରବର୍ତ୍ତୀ ସମୟରେ ଗ୍ରାହକ ଯଦି ଚାହାନ୍ତି ତେବେ ତାହାକୁ ଫେରସ୍ତ ନେବାର ବିକଳ୍ପ ମଧ୍ୟ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର: ୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର।  ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହି ମଞ୍ଜି ଅଟକିଥିବା ଯୋଗୁଁ  ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା।

ବରଗଡ ଜିଲ୍ଲା ଅତାବିରା ଅଂଚଳର ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ସମୟରେ ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେଇଥିଲା ଯାହାକି ତା’ର ଶ୍ୱାସନଳୀରେ ଅଟକି ଯାଇଥିଲା। ଏହା ଦ୍ୱାରା ଶିଶୁଟିର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିଥିଲା।

ବ୍ୟସ୍ତ ବିବ୍ରତ ହୋଇ ତା’ର ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାକୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ତୁରନ୍ତ ନେଇଯିବା ପାଇଁ କୁହାଯାଇଥିଲା। ଶିଶୁଟିକୁ ଦୀର୍ଘ ୧୦ ଦିନ ଧରି ବାପା-ମା ଅନେକ ହସ୍ପିଟାଲ୍ ଘୁରି ବୁଲିଥିଲେ ମଧ୍ୟ କେହି ତା’ର ସଫଳ ଚିକିତ୍ସା କରିପାରି ନଥିଲେ। ଶେଷରେ ସେମାନେ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଆସିଥିଲେ।

ଗୁରୁତର ଅବସ୍ଥାରେ ଶିଶୁଟି ସମ୍ମମ୍‌ରେ ଭର୍ତି ହୋଇଥିଲା ଓ ପରୀକ୍ଷାରୁ  ତା’ ଶରୀରରେ ରକ୍ତହୀନତା ଥିବା ତଥା ସେ ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣାପଡିଥିଲା। ସମସ୍ତ ପରୀକ୍ଷା ନୀରିକ୍ଷା ପରେ ସମ୍ମମ୍‌ର ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡ. ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଶିଶୁର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତି ନେଇଥିଲେ। ତେବେ ଗୁରୁତର ଅବସ୍ଥାରେ ଥିବା ଶିଶୁଟିକୁ ନିଶ୍ଚେତକ ଦେଇ ଅପରେସନ୍ କରିବା ଖୁବ୍ ବଡ୍ ଆହ୍ୱାନ ଥିଲା। ତେବେ ଡ. ସାହୁ ଏବଂ ସମ୍ମମ୍‌ର ସିନିୟର ଆନେସ୍‌ଥେସିଆ ବିଭାଗର କନ୍‌ସଲ୍‌ଟାଂଟ ଡ. ଦୀପଙ୍କର ପଢ଼ିହାରୀ ଏବଂ ନିଶ୍ଚେତକ ଟିମ୍ ଶିଶୁଟିର ଜୀବନ ବଂଚାଇବା ପାଇଁ ଏହି ଅପରେସନ୍‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ।

ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋରସେପ୍ ବ୍ୟବହାର କରାଯାଇ ଶିଶୁର ଶ୍ୱାସନଳୀରୁ ସଫଳତାର ସହ ଏକ ବଡ ଆତ ମଞ୍ଜି ବାହାର କରାଯାଇଥିଲା। ଏହି ବୟସର ଶିଶୁଙ୍କର ଅମ୍ଳଜାନ ସ୍ତର ଖୁବ୍ ଶୀଘ୍ର କମିଯାଉଥିବାରୁ ସେମାନଙ୍କୁ ଆନେସ୍‌ଥେସିଆ ପ୍ରୟୋଗ କରିବା ସମସ୍ୟା ଜଡିତ ବୋଲି ଡ. ସାହୁ କହିଥିଲେ।

ନିକଟରେ ଡ. ସାହୁ ଏହିଭଳି ଅନେକ ଜଟିଳ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରି ଛୋଟ ଛୋଟ ଶିଶୁଙ୍କର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏଭଳି ପ୍ରକ୍ରିୟାରେ ଅସ୍ତ୍ରୋପଚାର କରିବାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଖୁବ୍ ସଫଳ ହୋଇପାରିଛି।

Categories
ଆଜିର ଖବର ରାଜ୍ୟ ଖବର

କଟକରେ 46.39% ଆଣ୍ଟିବଡି : ଆରଏମ୍ଆରସି ନିର୍ଦ୍ଦେଶିକା

କଟକ : କଟକ ସହରରେ 46.39ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଛି। ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସେରୋ ସର୍ଭେ ନେଇ ଆରଏମ୍‌ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏନେଇ ସୂଚନା ଦେଇଛନ୍ତି। କରୋନାକୁ ନେଇ କଟକ ସହରରେ ମୋଟ 2274 ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। 25ଟି ୱାର୍ଡରୁ 1634, ସମ୍ବେଦନଶୀଳ ଗୋଷ୍ଠୀରୁ 640 ସାମ୍ପଲ ନିଆଯାଇଥିଲା। 25ଟି ୱାର୍ଡରୁ ସଂଗୃହୀତ ସାମ୍ପଲରୁ 41.08% ଆଣ୍ଟିବଡି ତିଆରି ହୋଇଛି। ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହୀତ ସାମ୍ପଲରୁ 56.4% ଆଣ୍ଟିବଡି ତିଆରି ହୋଇଛି। 16 ନଂ ୱାର୍ଡରୁ ସର୍ବନିମ୍ନ 22%, 47 ନଂ ୱାର୍ଡରୁ ସର୍ବାଧିକ 67% ଆଣ୍ଟିବଡି ତିଆରି ହୋଇଛି। ସେହିପରି ଅଳ୍ପ ବୟସ୍କଙ୍କ ଭିତରେ ଆଣ୍ଟିବଡି ବେଶି ବିକଶିତ ହୋଇଛି ବୋଲି ଆରଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଆଉ ଜଣେ ବଲିଉଡ୍‌ ଅଭିନେତା କଲେ ଆତ୍ମହତ୍ୟା, ଜାଣନ୍ତୁ ସେ କିଏ ?

ମୁମ୍ବାଇ : କରୋନା କାଳରେ ବହୁ ଅଭିନେତା ଆମକୁ ଛାଡି ଚାଲିଯାଇଛନ୍ତି । ଅଭିନେତା ଇର୍ଫାନ୍‌ ଖାନ୍‌, ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପରି ବହୁ ଲୋକପ୍ରିୟ କଳାକାର ଆମକୁ ଛାଡି ଚାଲିଯାଇଥିବାବେଳେ ଆଜି ଆଉ ଜଣେ ଅଭିନେତା ମଧ୍ୟ ଆମଠୁ ବିଦାୟ ନେଇଛନ୍ତି ।  ବଲିଉଡ୍ ଅଭିନେତା ଆସିଫ୍‌ ବସ୍‌ରା ଆତ୍ମହତ୍ୟା କରିଥିବାର ଖବର ରହିଛି । ଗୁରୁବାର ଦିନ ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ଧର୍ମଶାଳାରେ ବସ୍‌ରା ମ୍ୟାକେଲାଡ ରେ ଜୋଗିହାଓ୍ବାଡା ରୋଡ୍‌ ନିକଟରେ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି ଏହି ଅଭିନେତା ଜଣକ । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ୍‌ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍‌ ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଅଭିନେତା ଆସିଫ୍‌ ଗତ ପାଞ୍ଚ ବର୍ଷ ଧରି ମ୍ୟାକ୍‌ଲୋଡ୍ଗଞ୍ଜଠାରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ ।

ଗୁରୁବାର ଦିନ ଦ୍ବିପ୍ରହର ସମୟରେ ନିଜ ପୋଷା କୁକୁରକୁ ବାହାରକୁ ବୁଲାଇ ନେଇଥିଲେ । ଏହାପରେ ଘରକୁ ଆସି ସେ ନିଜ ପୋଷା କୁକୁର ଚେନ୍‌ରେ ଫାଶୀ ଦେଇଛନ୍ତି । ପ୍ରାରମ୍ଭିକ ସୂଚନାରୁ ସେ ଅବସାଦଗ୍ରସ୍ତ ଥିଲେ ବୋଲି ସୂଚନା ରହିଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ।

ଆସିଫ୍‌ ବସ୍ରା ଜଣେ ଲୋକପ୍ରିୟ ଟିଭି କଳାକାର । ଅଭିନେତା ଜଣକ କେବଳ ଛୋଟପରଦା ନୁହେଁ ବଡପରଦାରେ ମଧ୍ୟ ନଜର ଆସିଛନ୍ତି । ବଲିଉଡ ଫିଲ୍ମ ‘ପରଜାନିଆ’, ‘କାଇପୋଚେ’, ‘କ୍ରିସ୍‌ 3’, ‘ହିଚ୍‌କୀ’ ‘ବ୍ଲାକ ଫ୍ରାଇଡେ’, ‘ଏକ ଭିଲେନ୍‌’ରେ ନଜର ଆସିଛନ୍ତି । ହଲିଉଡ୍‌ ଫିଲ୍ମ ‘ଆଉଟଫୋର୍ସରେ ମଧ୍ୟ ଆସିଫ୍‌ ବସ୍ରା ନଜର ଆସିଥିଲେ । ଏତଦ୍‌ବ୍ୟତୀତ ବ୍‌ସ୍ରା ହିମାଚଳୀ ଫିଲ୍ମରେ ମଧ୍ୟ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ । ବାସ୍ରା ‘ଓ୍ବାନ୍ସ ଓପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ଇମ୍ରାନ୍‌ଙ୍କ ପିତା ଭୂମିକାରେ ନଜର ଆସିଥିବାବେଳ ‘ଏକ ଭିଲେନ୍‌’ରେ ଶ୍ରଦ୍ଧା କପୁରଙ୍କ ପିତା ଭୂମିକାରେ ନଜର ଆସିଥିଲେ । ଓ୍ବେବସିରିଜ୍‌ ‘ପାତାଲଲୋକ୍‌’ରେ ମଧ୍ୟ ନଜର ଆସିଥିଲେ ଆସିଫ୍‌ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଚାଲାକ୍‌ ଚୋରର ଚୋରିକୁ ଦେଖି ପୋଲିସ୍‌ ହେଲା ଆଶ୍ଚର୍ଯ୍ୟ, ଜାଣନ୍ତୁ କାରଣ କ’ଣ

ହରିୟାଣା : ଚୋରିର ଅନେକ କାହାଣୀ ଆପଣମାନେ ଶୁଣିଥିବେ । କିନ୍ତୁ  ହରିୟାଣାରେ ଚୋରିର ଏପରି ଏକ ମାମଲା ଆସିବଛି ଯାହାକୁ ଶୁରି ଆପଣ ଆଶ୍ଚର୍ଯ୍ୟ ହୋଇଟିବେ । ହରିୟାଣାର ଜିନ୍ଦ ସହରରେ ଚୋରମାନେ ଏକ ଘରର ପୂରା ମୂଳଦୁଆକୁ ଚୋରି କରିଛନ୍ତି । ଚୋର ଘରର ତଳେ ପଶି ଘରର ମୂଳଦୁକୁ ଚୋରି କରି ନେଇଛନ୍ତି । ଚୋର ନିଜ ଚୋରି ଆଇନର ସମସ୍ତ ନିୟମକୁ ପାଳନ କରିଛି ।

ଘରେ  ତଳେ ଦିଆଯାଇଥିବା ମୂଳଦୁଆକୁ ଚୋର ଚୋରି କରି ନେଇଯାଇଛନ୍ତି । ତେବେ ଚୋରରର ଏହି ଅଜବ କାଣ୍ଡ ସମ୍ପର୍କରେ ଘର ଲୋକଙ୍କୁ ଟିକିଏ ବି ସୁରାକ୍‌ ମିଳିନଥିଲା । ତେବେ ଚୋର ଜଣକ ଘରର କୌଣସି କ୍ଷତି କରିନାହିଁ । ଚୋର ନିଜ ନିୟମ ମୁତାବକ ଚୋରି କରିଛି ।

ମିଳିଥିବା ସୂଚନା ଅନୁସାରେ ଜିନ୍ଦର ପଟେଲ୍‌ ନଗରରେ ରହୁଥିବା ଦିଲ୍‌ଓ୍ବାଗ କୋଠାର ମୂଳଦୁଆ ଚୋରି ହୋଇଛି । ଦୁଇହଜାର ସ୍କୋୟାର ଫୁଟ୍‌ରେ ନିର୍ମିତ ଏହି ଦୁଇ ମହଲା କୋଠାକୁ  ଜମି ଉପରୁ ଫୁଟ ଉପରକୁ ଉଠାଇବା ପାଇଁ ଲୁହା ଜ୍ୟାକ୍‌ ବା ମୂଳଦୁଆ ଦିଆଯାଇଥିଲା । ଠିକାଦାର କୁଲବୀର ସିଂହ ଧୀରେ ଧୀରେ ହାଇଡ୍ରୋଲିକ୍ସ ଜ୍ୟାକ୍ସ୍‌ ସାହାଯ୍ୟରେ ଏହି କୋଠାକୁ ଉଠାଇଥିଲେ । ଗତ 20 ଦିନରେ ଏହି କୋଠାଟିକୁ ପ୍ରାୟ ଅଢେଇ ଫୁଟ୍‌ ଉପରକୁ ଉଠାଯାଇଥିଲା । ଏହି କୋଠାକୁ ଉପରକୁ ଉଠାଇବା ପାଇଁ ଠିକାଦାର 170ଟି ଜ୍ୟାକ୍‌ ଲଗାଇଥିଲେ । ଚୋର ଜଣକ ଏହି କୋଠାରେ ଲାଗିଥିବା 170 ଜ୍ୟାକ୍‌ ମଧ୍ୟରୁ 40ଟି ହାଇଡ୍ରୋଲିକ୍‌ ଜ୍ୟାକ୍‌କୁ ରାତାରାତି ଚୋରାଇ ନେଇଯାଇଛି ।

ତେବେ ଚୋର ଜଣକ ଚୋରି କରିବା ସମୟରେ କୋଠାକୁ କୌଣସି କ୍ଷତି ପହଞ୍ଚାଇନାହିଁ । ଚୋର ଯଦି ସମସ୍ତ ବା 40ରୁ ଅଧିକ ଜ୍ୟାକ୍‌ ଚୋରି କରିଥା’ନ୍ତା ତେବେ ଏହି କୋଠାଟି ତତକ୍ଷଣାତ୍‌ ମାଟିରେ ମିଶିଯାଇଥାନ୍ତା । ତେବେ ଏହି ଚୋର ଜଣକ ଜଣେ ଟେକ୍ନିକାଲ୍‌ ହୋଇଥିବାର ସନ୍ଦେହ କରାଯାଉଛି । କାରଣ ଜଣେ ସାଧାରଣ ଚୋର ପକ୍ଷରେ ଏହାକୁ ଚୋରି କରିବା ଅସମ୍ଭବ ପ୍ରାୟ । ତେବେ ଏହି ଚୋର ଜଣକ କିଏ ତାହାକୁ ନେଇ ପୋଲିସ୍‌ ତଦନ୍ତ ଜାରି ରଖିଛି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ସୁନାର ମେକଅପ୍‌ ନେଇ ଚର୍ଚ୍ଚାରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଦିଓ୍ବାନା ବନାଇଦେଇଥାଏ । ନିଜର ଷ୍ଟାଇଲ୍, ଆଉଟ୍‌ଫିଟ୍‌ ଓ ମେକଅପ୍‌କୁ ବେଶ୍‌ଚର୍ଚ୍ଚାରେ ରହିଥା’ନ୍ତି ଏହି ଅଭିନେତ୍ରୀ ଜଣକ । ନିକଟରେ ତାଙ୍କର ଏକ ଭିଡିଓକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।  ଏହି  ଭିଡିଓରେ ତାଙ୍କର ଲୁକ୍ ସହ ଜବରଦସ୍ତ ମେକଅପ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ମେକ୍‌ଅପରେ ସେ 24 କ୍ୟାରେଟ ଅସଲି ସୁନାର ଆଇ ସ୍ୟାଡୋ ବ୍ୟବହାର କରିଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିବା ‘ଅରବ ଫ୍ୟାଶନ ୱିକ’ରେ ଶୋଷ୍ଟପର ବନିଥିଲେ ଉର୍ବଶୀ । ପ୍ରଥମ ବଲିଉଡ୍ ଅଭିନେତ୍ରୀ ଭାବେ ସେ ଏହି ଗୌରବ ପାଇଛନ୍ତି । ତାଙ୍କର ଏହି ଭିଡିଓ ଦେଖିବା ପରେ ତାଙ୍କପ୍ରଶଂସକମାନେ ବହୁ ସଂଖ୍ୟାରେ ପ୍ରତିକ୍ରିୟା ରଖିଛନ୍ତି । ଭାଇରାଲ୍‌ ହୋଇଥିବା ଏହିଭିଡିଓରେ ଉର୍ବଶୀ ସିଲିଭର୍‌ କଲରର ଆଉଟଫିଟ୍‌ରେ ବେଶ୍‌ ଆକର୍ଷଣୀୟା ଲାଗୁଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର, ଜାଣନ୍ତୁ କାରଣ କ’ଣ

କଟକ:  କଟକରେ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ହେବ । ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସଂକ୍ରମଣ ସଂଖ୍ୟା କମୁଥିବାରୁ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ । କରୋନାରୁ ସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଏସସିବିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି । ଆଜି କଟକ ଜିଲ୍ଲାର କୋଭିଡ ସ୍ଥିତି ନେଇ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ ଏନେଇ ସୂଚନା ଦିଆଯାଇଛି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ କମୁନାହିଁ ।  ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1483କୁ ବୃଦ୍ଧି ପାଇଛି ।

Categories
ଆଜିର ଖବର ଜାତୀୟ ଖବର

ନୀତିଶଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ନମ୍ବର 7 : ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ପାଟନା : ବିହାରରେ ପୁଣି ଥରେ ଏନ୍‌ଡିଏ ସରକାର ଗଢିବାକୁ ଯାଉଛି । ’ସୁଶାସନ ବାବୁ’ ନାମରେ ପରିଚିତ ନୀତିଶ୍‌ କୁମାରଙ୍କ ହାତରେ ପୁଣି ଥରେ ଶାସନ କମାଣ ରହୁଛି । ମହାଗଠବନ୍ଧନକୁ ମାତ୍‌ ଦେଇ ଏନ୍‌ଡିଏ ବାଜିମାତ୍‌ କରିଛି ।  ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 122 ରୁ ଏନଡିଏ ଅନ୍ୟ 3ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର 37 ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ 3ଟି କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । କିନ୍ତୁ 70ବର୍ଷୀୟ ନୀତୀଶ 6 ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦୀପାବଳୀ ପରେ ଶପଥ ନେବେ । ନିତୀଶକୁମାରଙ୍କ ପାଇଁ ଲକି ନମ୍ବର ହେଉଛି 7 ନମ୍ବର ।

1951 ମସିହା ମାର୍ଚ୍ଚ 1 ତାରିଖରେ ଜନ୍ମଗ୍ରହଣ କରିଥିବା ବିହାରର ସୁଶାସନ ବାବୁ ନୀତିଶ୍‌ କୁମାର ଏବେ 70ତମ ପାହାଚରେ ପାଦ ଦେଇଛନ୍ତି । ଚଳିତ ବିହାର ବିଧାନସଭାର ନିର୍ବାଚନ ପରିଣାମ 11 ତାରିଖରେ ଆସିଥିଲା । ଯାହାର ସଂଖ୍ୟା ହେଉଛି 7 ।  ସେହିପରି ଜେଡିୟରୁ ଚଳିତ ଥର ବିହାର ବିଧାନସଭାରେ ଜେଡିୟୁ 43ଟି ଆସନ ଜିତିଛି । ଯାହାର ସମଷ୍ଟି ହେଉଛି 7 । ସେହିପରି ନୀତିଶ୍‌ ନଭେମ୍ବର 16ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଯାହା ମଧ୍ୟ 7କୁ ଦର୍ଶାଉଛି।

ବିହାରର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ମାର୍ଚ୍ଚ 3, 2020ରେ ନୀତିଶ୍‌ ଶପଥ ନେଇଥିଲେ ।  କିନ୍ତୁ ଏହି ସମୟରେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ । ସଂଖ୍ୟା ଗରିଷ୍ଠତା  ଅଭାବରୁ ସରକାର ଗଠନ ହୋଇ ନ ପାରିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନଭେମ୍ବର 24, 2005 ରେ ନୀତୀଶ ବିଜେପି ସମର୍ଥନରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ନଭେମ୍ବର 26, 2010 ରେ ନୀତୀଶ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । କିନ୍ତୁ ସେ ତାଙ୍କ କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ପାରିନଥିଲେ। 2014 ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଜିତନ ରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ ଇସ୍ତଫା ଦେବାର ଠିକ 9 ମାସ ପରେ ପୁଣି ଫେବୃୟାରୀ 22, 2015 ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ନଭେମ୍ବର 20, 2015ରେ ନୀତୀଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆରଜେଡି ସହ ମହାମେଣ୍ଟ କରି ନୀତୀଶ ସଫଳ ହୋଇଥିଲେ । ଏହି ସମୟରେ ନୀତୀଶଙ୍କ ଉପମୁଖ୍ୟ ରହିଥିଲେ ତେଜସ୍ୱୀ ଯାଦବ । 2017 ରେ ନୀତୀଶ ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କ ଦଳ ଠିକ ଦିନକ ପରେ ବିଜେପି ସମର୍ଥନରେ ସରକାର ଗଢ଼ିଥିଲା । ଏହା ପରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଗକୁ ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ଦିପାବଳୀ ପରେ 16 ତାରିଖ ସୁଦ୍ଧା ନୀତିଶ ଶପଥ ନେବା ନେଇ ଚର୍ଚ୍ଚା ହେଉଛି ।

ଚଳିତ ନିର୍ବାଚନଟି ନୀତିଶ୍‌ଙ୍କ ପାଇଁ ବହୁ ପ୍ରତିବନ୍ଧକ ଆଣିଛି । କିନ୍ତୁ ପରିଶେଷରେ ନୀତିଶ୍‌ଙ୍କ ପାଇଁ ଏହା ଠିକ୍‌ ହୋଇଯାଇଛି । ଚଳିତ ଥର ମେଣ୍ଟରେ ଜେଡିୟୁ ଛୋଟ ଭାଇ ହୋଇଛି । ବିଜେପି ଅଧିକ ସଂଖ୍ୟକ ସିଟ୍‌ ହାସଲ କରି ବଡଭାଇ ଭୂମିକାରେ ରହିଛି । ଏହାକୁ ନେଇ କିଛି ବିଜେପି ମନ୍ତ୍ରୀ ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦାବି ରଖିଥିଲେ । କିନ୍ତୁ ପ୍ରଧାନମନ୍ତ୍ୀ ନରେନ୍ଦ୍ର ମୋଦି ନୀତିଶଙ୍କ ଉପରେ ମୋହର ଲଗାଇଛନ୍ତି । ସପ୍ତମ ଥର ପାଇଁ ବିହାରରେ ନୀତିଶ୍‌ ହିଁ ମୁଖ୍ୟମନ୍ତ୍ରୀ ହେବେ । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆତ୍ମନିର୍ଭର ଭାରତ 3.0 ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ ଏଥରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲା । ତେବେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅର୍ଥ ବ୍ୟବସ୍ଥା ମଧ୍ୟ ସବଳ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଏହା ସହିତ ସେ ଆତ୍ମନିର୍ଭରଶୀଳ ଭାରତ 3.0 ଘୋଷଣା କରିଥିଲେ। ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଆରମ୍ଭ କରାଯାଇଛି।ଦେଶର ଅର୍ଥନୀତି ଧୀରେ ଧୀରେ ସୁଧୁରିଥିବା ବେଳେ ମୁଡିସ ପକ୍ଷରୁ ଆଜି ଭାରତୀୟ ଅଭିବୃଦ୍ଧିର ରେଟିଂ ପ୍ରକାଶ କରାଯାଇଥିଲା । ପୂର୍ବରୁ ଚଳିତ ବର୍ଷର ଅଭିବୃଦ୍ଧି ହାର ଋଣାତ୍ମକ 9.6 ପ୍ରତିଶତ ରହିଥିବା ବେଳେ ଆଜି ଏହାକୁ ଋଣାତ୍ମକ 8.9 କୁ ସଂଶୋଧିତ କରାଯାଇଛି । ସେହିପରି 2022 ସୁଦ୍ଧା ଭାରତୀୟ ଅଭିବୃଦ୍ଧି 8.1 ଅନୁମାନ କରାଯାଇଥିବା ବେଳେ ଆଜି ଏହାକୁ ସଂଶୋଧିତ କରାଯାଇ 8.7 ରଖାଯାଇଛି ।

ୱାନ ନେସନ ୱାନ ରାସନ କାର୍ଡକୁ 28ଟି ରାଜ୍ୟରେ ଲାଗୁ କରାଯାଇଥିବା ବେଳେ ପ୍ରାୟ 88.46 କୋଟି ଲୋକ ଏହା ଦ୍ୱାରା ଲାଭବାନ ହୋଇପାରିବେ । ପିଏମ ସ୍ୱନିଧି ଯୋଜନାରେ ପ୍ରାୟ 26.62 ଉଠା ଦୋକାନୀ ଋଣ ପାଇଁ ଆବେଦନ କରିଥିବା ବେଳେ ଏହା ମଧ୍ୟରୁ 13.78 ଲକ୍ଷ ଋଣ ମଞ୍ଜୁର କରାଯାଇଛି । ସେହିପରି ପ୍ରବାସରୁ ଫେରିଥିବା ଶ୍ରମିକ ମାନଙ୍କ ପାଇଁ ଶ୍ରମ ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିତ ଭାବରେ ଏକ ପୋର୍ଟାଲ ନିର୍ମାଣ କରାଯାଉଛି । ଏହା ସହିତ କୃଷି, ମତ୍ସ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥରାଶି ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଏହାଛଡ଼ା ସେ କହିଛନ୍ତି ଯେ,  ଜିଏସଟି ଆଦାୟ 1.05 ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି ।  ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ରୋଜଗାର ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସଂସ୍ଥା ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ ଭରିବେ ବୋଲି ଘୋଷଣା କରାଯାଇଛି । ଏକ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ 24% ଇପିଏଫ କେନ୍ଦ୍ର ଦେବ । ସଂସ୍ଥା ଦେବାକୁ ଥିବା 12% ଓ କର୍ମଚାରୀଙ୍କ 12% କେନ୍ଦ୍ର ଦେବ । ତେବେ 1 ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଇପିଏଫ ଭରଣା ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏହା ଜୁନ 30,  2021 ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଉଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ।

ଏହି ସମୟ ମଧ୍ୟରେ 39.7 ଲକ୍ଷ ଆୟକର ଦାତାଙ୍କୁ 1 ଲକ୍ଷ 32 ହଜାର 800 କୋଟିର ଆୟକର ରିଟର୍ଣ୍ଣ କରାଯାଇଛି । ଜରୁରୀ କାଳୀନ କ୍ରେଡିଟଲାଇନକୁ ମାର୍ଚ୍ଚ 2021ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏନବିଏଫସି ଜରିଆରେ 7227 କୋଟିର ଅର୍ଥ ବ୍ୟବସ୍ଥା କରାଯାଇଛି । କିଷାନ କ୍ରେଡିଟ କାର୍ଡ ଜରିଆରେ 2.5 କୋଟି ଚାଷୀଙ୍କୁ 1.4 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ବିଭିନ୍ନ ଏମଏସଏମଇ ସଂସ୍ଥାକୁ ସୁଦୃଢ କରିବା ପାଇଁ ଋଣ ଫେରସ୍ତ  ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । କ୍ରେଡିଟ ଲାଇନରେ ନେଇଥିବା ଋଣ ପାଇଁ 1 ବର୍ଷର ମୋରାଟୋରିୟମ ସୁବିଧା ଏବଂ 4 ବର୍ଷର ପରିଶୋଧ ସମୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରୀ ଗରିବଙ୍କ ପାଇଁ12 ଲକ୍ଷ ପକ୍କା ଘର ନିର୍ମାଣ ନେଇ ବ୍ୟବସ୍ଥା କରାଯାଇଛି । ବଜେଟ ବାଦ ଏଥିପାଇଁ 18 ହଜାର କୋଟି ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା 12ଲକ୍ଷ ନୂତନ ଘର ଏବଂ ସମୁଦାୟ 18 ଲକ୍ଷ ଘର ନିର୍ମାଣ ହେବ । ଏହା ଦ୍ୱାରା ପ୍ରାୟ 78 ଲକ୍ଷ ନିଯୁକ୍ତି ସୃଷ୍ଟି ହେବା ସହିତ ଷ୍ଟିଲ ଏବଂ ସିମେଣ୍ଟ ସେକ୍ଟର ଗୁଡିକ ମଧ୍ୟ ଆର୍ଥିକ ଭାବରେ ସଶକ୍ତ ହୋଇ ପାରିବ ।

ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ପାଇଁ ରିହାତି ଘୋଷଣା କରିଛନ୍ତି ସରକାର । ଏହା ଦ୍ୱାରା ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ର ସଶକ୍ତ ହୋଇପାରି । ପୂର୍ବରୁ ପର୍ଫମାନ୍ସ ସିକ୍ୟୁରିଟି ବାବଦକୁ 10 ପ୍ରତିଶତର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡୁଥିବା ବେଳେ ଏହାକୁ 3 ପ୍ରତିଶତକୁ ହ୍ରାସ କରାଯାଇଛି । 31  ଡିସେମ୍ବର 2021 ଯାଏଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ସମସ୍ତ ରାଜ୍ୟ ଏହି ପ୍ରକ୍ରିୟା ଆପଣେଇବା ପାଇଁ କୁହାଯାଇଛି ।

ରିୟଲ ଇଷ୍ଟେଟରେ ମଧ୍ୟ ସଂସ୍କାରର ପ୍ରସ୍ତାବ ରଖାଯାଇଛି । 2 କୋଟି ମଧ୍ୟରେ ଉଭୟ ଘର ବିକ୍ରି ଏବଂ କିଣିବା ଉପରେ ଏହି ସଂଶୋଧନ ଲାଗୁ କରାଯାଇଛି । ପୂର୍ବରୁ 10 ପ୍ରତିଶତର ଆୟକର ରିହାତି ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ 20 ପ୍ରତିଶତକୁ ବୃଦ୍ଧି କରାଯାଇଛି ।

କୃଷି କ୍ଷେତ୍ରରେ ବିକାଶ ପାଇଁ 65 ହଜାର କୋଟିର ବ୍ୟବସ୍ଥା କରାଯାଇଛି । କୃଷି କ୍ଷେତ୍ରରେ 17.8 ପ୍ରତିଶତ ଅଧିକ ସାର ବ୍ୟବହାର କରାଯିବ । ପୂର୍ବରୁ ବ୍ୟବସ୍ଥା କରାଯାଇଥିବା 499 ମେଟ୍ରିକ ଟନ ସାର ବଦଳରେ 617 ମେଟ୍ରିକ ଟନ ସାର ପ୍ରଦାନ କରାଯିବ ।

ଗ୍ରାମାଞ୍ଚଳରେ ଗରିବ କଲ୍ୟାଣ ଯୋଜନା ଅଧୀନରେ 116ଟି ଜିଲ୍ଲାକୁ 37 ହଜାର 543 କୋଟିର ବ୍ୟବସ୍ଥା କରାଯାଇଛି । 2020-21 ଆର୍ଥକ ବର୍ଷରେ ମନରେଗାରେ 61500 କୋଟି ଟଙ୍କା ପ୍ରଦାନ କରାଯାଇଛି । 251 କୋଟି ଦିବସର ରୋଜଗାର ସୃଷ୍ଟି କରାଯାଇଥିବା ବେଳେ 73ହଜାର 504 କୋଟିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆହୁରି 10 ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥରାଶି ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।