Categories
ଆଜିର ଖବର ରାଜ୍ୟ ଖବର

ବାଣ ବିକ୍ରୀ କରୁଥିବା ବେଳେ ଧରିଲା ପୋଲିସ, ବିପୁଳ ପରିମାଣ ବାଣ ଜବତ, ଦୁଇଜଣ ଅଟକ

ଯାଜପୁର, ଦୀପାବଳୀରେ ବାଣ ଫୁଟାଇବା ଓ ବିକ୍ରୀ ମନା କରାଯାଇଥିବା ବେଳେ କେତେ ସ୍ଥାନରେ ବାଣ ବିକ୍ରେତାମାନେ ଚୋରାରେ ବାଣ ବିକ୍ରୀ କରୁଛନ୍ତି। ସେ ସବୁକୁ ଜବତ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିବାରେ ଲାଗିଛି। ସେହିପରି ଯାଜପୁର ଜିଲ୍ଲାର ବରୀରାମଚନ୍ଦ୍ରପୁର ପୋଲିସ ବିଭିନ୍ନ ସ୍ଥାନ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଛି। ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏ ନେଇ ପୃଥକ ଭାବେ ଦୁଇଟି ମାମଲା ଋଜୁ କରାଯାଇଛି ବୋଲି ପୋଲିସ କହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେବଳ ଜମି ରେଜିଷ୍ଟ୍ରେନ ଫି ବାବଦକୁ ଖର୍ଚ୍ଚ ହେଲା 161 କୋଟି ଟଙ୍କା

ଲକ୍ଷ୍ମୌ, ଉତ୍ତର ପ୍ରଦେଶରେ ସବୁଠାରୁ ମହଙ୍ଗା ଜମି ରେଜିଷ୍ଟ୍ରେସନ ଗତ ଶୁକ୍ରବାର ଦିନ ହୋଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ରେଜିଷ୍ଟ୍ରେସନ ଫି ବାବଦକୁ ଦିଆଯାଇଛି ପ୍ରାୟ 161 କୋଟି ଟଙ୍କା। ଏହାକୁ ନେଇ ଉତ୍ତର ପ୍ରଦେଶରେ ବେଶ ଚର୍ଚ୍ଚା ଚାଲିଛି। ଏହି ରେଜିଷ୍ଟ୍ରେସନଟି ଆମେଥୀ ଜିଲ୍ଲାର ମୁସାଫିରଖାନା ତହସିଲରେ ହୋଇଛି।

ଘଟଣାରୁ ଜଣାପଡିଛି ଯେ ଆଦିତ୍ୟ ବିର୍ଲା ଗ୍ରୁପର ଦୁଇ କଂପାନୀ ମଧ୍ୟରେ ଉତ୍ତର ପ୍ରଦେଶର ଏକ ଜମି ଲିଜ ପରିବର୍ତ୍ତନ ପାଇଁ ଏହି ଟଙ୍କା ଦିଆଯାଇଛି। କଂପାନୀର ଗ୍ରାମସୀ ଇଣ୍ଡଷ୍ଟ୍ରୀ ଲିମିଟେଡ ତାହାର ଏକ ଜମି ଆଦିତ୍ୟ ବିର୍ଲା ନୁଭୋ ଲିମିଟେଡକୁ ଲିଜରେ ଦେଇଛି। ଏହି ଜମିର ପରିମାଣ ହେଉଛି 833.04 ଏକର। ଏହି ପରିବର୍ତ୍ତନ ଉତ୍ତର ପ୍ରଦେଶ ଶିଳ୍ପ ବିକାଶ ପ୍ରାଧୀକରଣ ଦ୍ବାରା କରାଯାଇଛି।

କଂପାନୀର ଯୁଗ୍ନ ସଭାପତି ସୁରେଶ ଚନ୍ଦ୍ର ଏହି ଟଙ୍କା ଇ ପେମେଣ୍ଟ ମାଧ୍ୟମରେ ତହସିଲକୁ ପ୍ରଦାନ କରିଛନ୍ତି। ଷ୍ଟାମ୍ପ ପ୍ପର ବାବଦକୁ 141 କୋଟି 59 ଲକ୍ଷ 52 ହଜାର 60 ଟଙ୍କା ଏବଂ ରେଜିଷ୍ଟ୍ରେସନ ଫି ବାବଦକୁ  20 କୋଟି 22 ଲକ୍ଷ 78 ହଜାର 9 ଶହ 40 ଟଙ୍କା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ: ୭୧ ଜଣ ସୁସ୍ଥ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୫ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି ୭୧ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୫୧ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୭୦ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୯ ହଜାର ୧୪୫ ଜଣ ସୁସ୍ଥ ହୋଇଥିବାବେଳେ ୧୯୨ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୭୧୨ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ ୨୫ ବର୍ଷୀୟ ଯୁବକ

ବୀରମହାରାଜପୁର: ନିଜ ଦେହରେ କିରୋସିନ ଢାଳି ‌ଜଣେ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗ୍ରାମର ତପନ ପଧାନ ଆଜି ସକାଳେ ହଠାତ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ତପନଙ୍କ ଦେହରେ ନିଆଁ ଜଳୁଥିବାର ଦେଖି ଘର ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସେମାନେ ତପନଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଆସନ୍ତା ସୋମବାରଠାରୁ ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମସ୍ଥଳ ଖୋଲାଯିବ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମତି

ମୁମ୍ବାଇ, ଆସନ୍ତା ସୋମବାରଠାରୁ ମହାରାଷ୍ଟ୍ର ସମସ୍ତ ମନ୍ଦିର ଓ ଧର୍ମସ୍ଥଳ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ମହାରାଷ୍ଟ୍ର ସରକାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି। ଫଳରେ ରାଜ୍ୟ ସମସ୍ତ ମନ୍ଦିରର ଠାକୁରଙ୍କ ସୋମବାରଠାରୁ ଭକ୍ତମାନେ ଦର୍ଶନ କରିପାରିବେ। ତେବେ ଏ ନେଇ ମହାରାଷ୍ଟ୍ର ସରକାର କେତେକ କଟକଣା ମଧ୍ୟ ଜାରୀ କରିଛନ୍ତି।

ଯେଉଁମାନେ ମନ୍ଦିର କିମ୍ବା ଧର୍ମସ୍ଥଳକୁ ଯିବେ ସେମାନେ ମାସ୍କ ପିନ୍ଧିବା ଜରୁରୀ ଅଟେ। ଏଥିସହିତ ମନ୍ଦିର ଭିତରେ ଶାରୀରିକ ଦୂରତା ବଜାଇ ରଖି ଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣାକୁ ମନ୍ଦିର କର୍ତ୍ତୁପକ୍ଷ ତଦାରଖ କରିବା ପାଇଁ କୁହାଯାଇଛି। ଏଥିରେ କେଉଁଠି ବିଚ୍ୟୁତି ଦେଖାଦେଲେ ମନ୍ଦିର କର୍ତ୍ତୁପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମାତ୍ର 12 ଖଣ୍ଡ ଭୋଟରେ ହାରିଲେ, ପ୍ରାର୍ଥୀଙ୍କ ଅନୁରୋଧ ପରେ ପୁନଃଗଣତି ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ, ମାତ୍ର 12 ଖଣ୍ଡ ଭୋଟରେ ହାରି ଯାଇଛନ୍ତି ବିହାରର ଜଣେ ପ୍ରାର୍ଥୀ। ସେ ହେଉଛନ୍ତି ହିଲସା ନିର୍ବାଚନ ମଣ୍ଡଳିର ଆରଜେଡି ପ୍ରାର୍ଥୀ ଶକ୍ତି ସିଂ ଯାଦବ। ସେ ଜେଡିୟୁ ପ୍ରାର୍ଥୀ କ୍ରୀଷ୍ଣାମୁରାରୀ ସହରାନଙ୍କ ଠାରୁ ମାତ୍ର 12 ଖଣ୍ଡ ଭୋଟରେ ହାରିଛନ୍ତି। କ୍ରୀଷ୍ଣାମୁରାରୀ 61616 ଇଭିଏମ ଭୋଟ ପାଇଥିବା ବେଳେ ଯାଦବ 61603 ଖଣ୍ଡ ଭୋଟ ପାଇଛନ୍ତି।

ତେବେ ପୋଷ୍ଟାଲ ବାଲଟ ଭୋଟରେ ଏପଟସେପଟ ହୋଇଥିବାର ଆରଜିଡି ସନ୍ଦେହ କରିଛି। ସେଥିପାଇଁ ଦଳ ତରଫରୁ ତେଜସ୍ବୀ ଯାଦବ ଏହାର ପୁନଃଗଣତି ପାଇଁ ନିର୍ବାଚନ କମିସନରଙ୍କ ନିକଟରେ ଆବେଦନ କରିଥିଲେ। ତାହାକୁ ଗ୍ରହଣ କରି ନିର୍ବାଚନ କମିଶନର ପୁନଃଗଣତି ପାଇଁ ଅନୁମତି ଦେଇଛନ୍ତି।

2015 ନିର୍ବାଚନରେ ଶକ୍ତି ସିଂ ଯାଦବ 26076 ଖଣ୍ଡ ଭୋଟରେ ଜିତି ସେହି ବିଧାନସଭାରେ ବିଧାୟକ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ଶିମଲା: ହିମାଚଳ ପ୍ରଦେଶ ଗସ୍ତରେ ଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ ହୋଇପଡିଛନ୍ତି। ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଇନ୍ଦିରା ଗାନ୍ଧୀ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ ଟିମ୍ ଲଗାତାର ତାଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର ଏହା ପୂର୍ବରୁ ଅଗଷ୍ଟ ମାସରେ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ୨ସପ୍ତାହ ଯାଏଁ କ୍ବାରେଣ୍ଟାଇନରେ ରହିବା ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା।

Categories
ଜାତୀୟ ଖବର ବିଶେଷ ଖବର

କଥା ବୁଲେଇଲେ ନୀତିଶ କୁମାର, କହିଲେ ମୋର ଏହା ଶେଷ ନିର୍ବାଚନ ବୋଲି କେଉଁଠି କହି ନାହିଁ

ପାଟନା, ନୀତିଶ କୁମାରଙ୍କ ନେତୃତ୍ୟରେ ଏନଡିଏ ଦଳ ଆଉ କିଛି ଦିନ ପରେ ବିହାର ଶାସନ ଭାର ଗ୍ରହଣ କରିବ। ସେ ନେଇ ତତ୍ପତରତା ପରିବର୍ତ୍ତେ ବର୍ତ୍ତମାନ ବିହାରରେ ନିର୍ବାଚନ ପ୍ରଚାର ମାନସ ମନ୍ଥନ ଜୋରଦାର ଚାଲିଛି। ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନୀତିଶ କୁମାର କହିଛନ୍ତି ଯେ, ସେ କେବେ କେଉଁଠି ଏହା ମୋର ଶେଷ ନିର୍ବାଚନ ବୋଲି କହି ନାହିଁ। ସେ ଏପରି ମନା କରିବା ପରେ ବିହାର ରାଜନୀତିରେ ବର୍ତ୍ତମାନ ଚର୍ଚ୍ଚା ଯୋର ଧରିଛି।

ନୀତିଶ ଆହୁରି କହିଛନ୍ତି ଯେ, ସେ ଏହି ନିର୍ବାଚନ ପରେ ରାଜନୀତିରୁ ଅବସର ନେବେ ବୋଲି କେବେ ଘୋଷଣା କରି ନାହାଁନ୍ତି। ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହାର ଭୁଲ ଅର୍ଥ କରାଯାଇଛି। ନୀତିଶ କହିଛନ୍ତି ଯେ ସେ ନିର୍ବାଚନ ପ୍ରଚାର ଶେଷ ସଭାରେ କହିଥିଲେ ଯେଉଁଠି ଶେଷ ଭଲ ହେବ, ସେଠାରେ ସବୁ ଭଲ ହେବ। ଏହାକୁ ଗଣମାଧ୍ୟମ ଭୁଲୁ ଉପସ୍ଥାପନା କରିଛି ବୋଲି ନୀତିଶ ସଫେଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିହାର ରାଜନୀତିରେ ହଟଚମଟ, ଦୁଇ କଂଗ୍ରେସ ବିଧାୟକ ଏନଡିଏକୁ ସମର୍ଥନ ଦେବା ନେଇ ଚର୍ଚ୍ଚା

ପାଟନା, ଦୁଇଜଣ କଂଗ୍ରେସ ବିଧାୟକ ଏନଡିଏକୁ ସମର୍ଥନ ନେଇ ଚାଲିଛ ଚର୍ଚ୍ଚା। ଗତକାଲି ରାତିରେ ମହାମେଣ୍ଟର କଂଗ୍ରେସ ଦଳ ବିଧାୟକଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ଦୁଇଜଣଙ୍କୁ ଛାଡି ଅନ୍ୟ ସମସ୍ତେ ଯୋଗ ଦେଇଥିଲେ। ହେଲେ ନବ ନିର୍ବାଚିତ ବିଧାୟକ ବୈଠକରେ ଏହି ଦୁଇ ଜଣ ଯୋଗ ନ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିହାରରେ ଏନଡିଏ ମ୍ୟାଜିକ ନମ୍ବରରୁ ମାତ୍ର 3ଟି ଆସନ ଅଧିକ ଅଛି। ସେଥିପାଇଁ ଏନଡିଏ ତରଫରୁ କଂଗ୍ରେସ ବିଧାୟକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ଚର୍ଚ୍ଚା ଚାଲିଛି। ଯେଉଁ ଦୁଇ ବିଧାୟକ ବୈଠକରେ ଅନୁପସ୍ଥିତ ଥିଲେ ସେମାନେ ହେଲେ ମନୋହାରୀ ବିଧାନସଭାର ବିଧାୟକ ମଣିହରା ପ୍ରସାଦ ସିଂ ଏବଂ ଅରରିୟା ବିଧାୟକ ହବିବ୍ ରହେମାନ।

ବିହାର ନିର୍ବାଚନରେ କଂଗ୍ରେସ ଯେପରି ସଫଳତା ହାସଲ କରିବା କଥା ତାହା କରିଲା ନାହିଁ। ଫଳରେ ଏଥର କଂଗ୍ରେସ 70ଟି ଆସନରେ ପ୍ରାର୍ଥୀ ଦେଇ ମାତ୍ର 19ଟି ଆସନରେ ବିଜୟ ଲାଭ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଜିଲ୍ଲା ଅଦାଲତ ପ୍ରଶାସନିକ ପକ୍ରିୟା ତଦାରଖ ପାଇଁ ବିଚାରପତିଙ୍କୁ ଜିଲ୍ଲା ଦାୟିତ୍ବ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ

କଟକ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ୧୪ଜଣ ବିଚାରପତିଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଅର୍ପଣ କରିଛନ୍ତି। ଏ ନେଇ ଓଡିଶା ହାଇକୋର୍ଟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ସ୍ତରରେ ଥିବା ଆଇନ୍‍ ଅଦାଲତଗୁଡିକର ପ୍ରଶାସନିକ କାର୍ଯ୍ୟ ତଦାରଖ କରିବା ଏବଂ ସମ୍ପୃକ୍ତ ଜିଲ୍ଲାରେ ଥିବା ଅନ୍ୟ ଟ୍ରିବ୍ୟୁନାଲଗୁଡିକର କାର୍ଯ୍ୟକାରିତା ଉପରେ ଏହି ବିଚାରପତିମାନେ ନଜର ରଖିବେ। ଯେଉଁ ବିଚାରପତିଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ତାହା ହେଲା.

1-ବିଚାରପତି କୁମାରୀ ସଞ୍ଜୁ ପଣ୍ଡା- କଟକ ଓ ଜଗତସିଂହପୁର ଜିଲ୍ଲା

2- ବିଚାରପତି ଏସ୍‍.କେ.ମିଶ୍ର- ଖୋରଧା ଓ ସୋନପୁର

3-ବିଚାରପତି ସି.ଆର.ଦାସ- ପୁରୀ, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲା

4-ବିଚାରପତି ବିଶ୍ୱଜିତ ମହାନ୍ତି- ଗଞ୍ଜାମ ଓ ନୂଆପଡା ଜିଲ୍ଲା

5-ବିଚାରପତି ବି.ଆର.ଷଡଙ୍ଗୀ- ସମ୍ବଲପୁର ଓ ଭଦ୍ରକ

6-ବିଚାରପତି ଦେବବ୍ରତ ଦାସ- ସୁନ୍ଦରଗଡ ଓ ବରଗଡ ଜିଲ୍ଲା

7-ବିଚାରପତି ଶତୃଘ୍ନ ପୂଜାହାରୀ-ବଲାଙ୍ଗିର ଓ କେନ୍ଦ୍ରାପଡା

8-ବିଚାରପତି ବିଶ୍ୱନାଥ ରଥ-ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲା

9-ବିଚାରପତି ଏସ୍‍.କେ.ସାହୁ- ବାଲେଶ୍ୱର ଓ ମାଲକାନଗିରି

10-ବିଚାରପତି ପ୍ରମୋଦ ପଟ୍ଟନାୟକ-ଅନୁଗୁଳ ଓ ନୟାଗଡ ଜିଲ୍ଲା

11- ବିଚାରପତି କୃଷ୍ଣରାମ ମହାପାତ୍ର- କୋରାପୁଟ ଓ କନ୍ଧମାଳ ଜିଲ୍ଲା

12-ବିଚାରପତି ବି.ପି.ରାଉତରାୟଙ୍କୁ କେନ୍ଦୁଝର ଓ ରାୟଗଡା

13-ବିଚାରପତି ଏସ୍‍.କେ.ପାଣିଗ୍ରାହୀଙ୍କୁ କଳାହାଣ୍ଡି ଓ ଗଜପତି

14-ବିଚାରପତି ସାବିତ୍ରୀ ରଥଙ୍କୁ ଦେବଗଡ, ବୌଦ ଓ ଝାରସୁଗୁଡା

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କଲା ବିଜେପି: ଜାଣନ୍ତୁ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କୁ ମିଳିଲା କେଉଁ ରାଜ୍ୟ ଦାୟିତ୍ଵ

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି।

ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ଏହି ସମୟରେ ସେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ବର୍ତ୍ତମାନ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି।

ସେହିପରି ଦୁଇ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ବିତ ପାତ୍ରଙ୍କୁ ମଧ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ କରାଯାଇଥିବାବେଳେ ସମ୍ବିତ ପାତ୍ର ମଣିପୁରର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ। ଏହାସହ ସତ୍ୟା କୁମାରଙ୍କୁ ଆଣ୍ଡାମାନ ଓ ନିକୋବରର, ବି ମୁରଲୀଧରନଙ୍କୁ ଆନ୍ଧ୍ରପ୍ରଦେଶର, ଦିଲ୍ଲୀପ ସୌକିୟାଙ୍କୁ ଅରୁଣାଚଳ ପ୍ରଦେଶର ଏବଂ ଭୁପେନ୍ଦ୍ର ଯାଦବଙ୍କୁ ବିହାରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Categories
ଫଟୋ ଖବର

ଦୀପାବଳି ଉପଲକ୍ଷେ ଯୋଧପୁର ଷ୍ଟେସନକୁ ରଂଗୀନ ଆଲୋକ ମାଳାରେ ସଜାଯାଇଛି

ଯୋଧପୁର, ରେଳବିଭାଗ ତରଫରୁ ଦୀପାବଳି ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତକାଲିଠାରୁ ଯୋଧପୁର ରେଳ ଷ୍ଟେସନକୁ ରଂଗୀନ ଆଲୋକମାଳାରେ ସଜାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ ୨, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦୀପାବଳି ପାଳନ ପାଇଁ ରାଜସ୍ଥାନରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ, ହେଲେ ସେଠାକୁ ଗଲେ କାହିଁକି

ଜୟପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପାଳନ ପାଇଁ ଆଜି ସକାଳେ ରାଜସ୍ଥାନ ସୀମାରେ ପହଁଚିଛନ୍ତି। ସେ ସେଠାରେ ବିଏସଏଫ ସୁରକ୍ଷା ବଳଙ୍କ ସହିତ ଦୀପାବଳି ପାଳନ କରିବେ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଦୀପାବଳି କୌଣସି ନା କୌଣସି ଯବାନମାନଙ୍କ ସହିତ ପାଳନ କରିଥାନ୍ତି। ସେଥିପାଇଁ ଏଥର ରାଜସ୍ଥାନ ସୀମାରେ ଥିବା ସୀମା ସୁରକ୍ଷା ବଳ ସହିତ ପାଳନ କରିବାକୁ ନିଷ୍ପତି କରିଛନ୍ତି। ସେଠାରେ ମୋଦୀ ପ୍ରାୟ ଏକ ଶହ ସୁରକ୍ଷା ବଳଙ୍କ ସହିତ ଏହି ଦିୱାଲି ପାଳନ କରିବେ ବୋଲି ପ୍ରସ୍ତୁତି କରାଯାଇଛି। ମୋଦୀ ସେମାନଙ୍କୁ ମିଠା ଖୁଆଇବା ସହିତ କିଛି ସମୟ ସେମାନଙ୍କ ସହିତ କଥା ବାର୍ତ୍ତା ମଧ୍ୟ ହେବେ। ସେମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର:  ରାଜ୍ୟରେ ଆଜି ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବାବେଳେ ୩୭୯ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୫ ହଜାର ୨୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୯୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୯୦୨ ଜଣ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ସର୍ବାଧିକ ୮୮, ସୁନ୍ଦରଗଡରୁ ୮୫ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୦, ବାଲେଶ୍ଵରରୁ ୩୯,  ବରଗଡରୁ ୩୭, ଭଦ୍ରକରୁ ୮, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୨୬, କଟକରୁ ୭୦,  ଦେବଗଡରୁ ୨,  ଢେଙ୍କାନାଳରୁ ୧୭, ଗଜପତିରୁ ୪,  ଗଞ୍ଜାମରୁ ୮, ଜଗତସିଂହପୁରରୁ  ୪୨, ଯାଜପୁରରୁ ୨୫, ଝାରସୁଗୁଡାରୁ ୨୩, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୩୬, କେଉଁଝରରୁ ୫୧, ଖୋର୍ଦ୍ଧାରୁ ୬୮,  କୋରାପୁଟରୁ ୧୦, ମାଲକାନଗିରିରୁ ୫, ନବରଙ୍ଗପୁରରୁ ୧୫, ନୟାଗଡରୁ ୧୯, ନୂଆପଡାରୁ ୨୬, ପୁରୀରୁ ୨୦,  ସମ୍ବଲପୁରରୁ ୪୩, ସୋନପୁରରୁ ୭, ସୁନ୍ଦରଗଡରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୩ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

 

Categories
ଆଜିର ଖବର ଜାତୀୟ ଖବର

ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ଦୁଇଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ରାଷ୍ଟ୍ରକୁ କଲେ ଉତ୍ସର୍ଗ

ନୂଆଦିଲ୍ଲୀ: ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଦେଶର 2 ଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ଆଜି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ଷମ ହୋଇଥିବା ଏହି ଅନୁଷ୍ଠାନ ଦୁଇଟି ହେଲା ଗୁଜରାଟର ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଏବଂ ରାଜସ୍ଥାନର ଜୟପୁର ସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନ୍‌ଆଇଏ)। ଏହି ଦୁଇଟିଯାକ ପ୍ରତିଷ୍ଠାନ ଆୟୁର୍ବେଦ କ୍ଷେତ୍ରରେ ଦେଶର ପୁରୁଣା ଏବଂ ପ୍ରତିଷ୍ଠିତ ଅନୁଷ୍ଠାନ। ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଏହାର ଉନ୍ନତୀକରଣ ଓ ଅନ୍ୟାନ୍ୟ ସୁବିଧାର ସଂପ୍ରସାରଣ କରାଯାଇଛି। ସଂସଦରେ ଏକ ଆଇନ ପ୍ରଣୟନ କରାଯାଇ ନିକଟରେ ଜାମନଗର ସ୍ଥିତ ପ୍ରତିଷ୍ଠାନକୁ ଇନ୍‌ଷ୍ଟିଚ୍ୟୁସନ ଅଫ୍‌ ନ୍ୟାସନାଲ ଇମ୍ପୋଟାନ୍ସ (ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ) ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଜୟପୁର ସ୍ଥିତ ଆୟୁର୍ବେଦ ପ୍ରତିଷ୍ଠାନକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଡିମ୍‌ଡି ୟୁନିର୍ଭସିଟିର ମର୍ଯ୍ୟାଦା ଦେଇଛି।

ସୂଚନାଯୋଗ୍ୟ ଯେ ଆୟୁଷ ମନ୍ତ୍ରଣାଳୟ 2016 ଠାରୁ ପ୍ରତିବର୍ଷ ଧନ୍ୱନ୍ତରୀ ଜୟନ୍ତୀକୁ ଆୟୁର୍ବେଦ ଦିବସଭାବେ ପାଳନ କରିଆସୁଛି। ଏହି ଦିବସଟି ମଧ୍ୟ ଧନ୍‌ତେରସ ନାମରେ ଖ୍ୟାତ। ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀପଦ ନାଏକ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ, ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡ. ଟେଡରସ ଆଧନମ୍‌ ଘେବ୍ରେୟେସସ୍‌ ଏହି କାର୍ଯ୍ୟକ୍ରମ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ। ଏଥିରେ ସେ ଆୟୁଷ୍ମାନ ଭାରତ ଯୋଜନାକୁ ସାର୍ବଜନୀନ କରିବା ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଓ ସଂକଳ୍ପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆହୁରି ମଧ୍ୟ ପ୍ରମାଣଭିତ୍ତିରେ ଭାରତରେ ପାରମ୍ପରିକ ଔଷଧର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ସ୍ୱାଗତ କରିବା ସହ ଏହାଦ୍ୱାରା ସ୍ୱାସ୍ଥ୍ୟସେବା ଜନିତ ଲକ୍ଷ୍ୟ ସହଜରେ ପୂରଣ ହୋଇପାରିବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଭାରତକୁ ବିଶ୍ୱର ପାରମ୍ପରିକ ଔଷଧ କେନ୍ଦ୍ରଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମନୋନୀତ କରିଥିବାରୁ ସଂପୃକ୍ତ ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଆୟୁର୍ବେଦ ଭାରତର ଏକ ପ୍ରାଚୀନ ଐତିହ୍ୟ। ତେଣୁ ଏହା ଆନନ୍ଦର ବିଷୟ ଯେ ଭାରତର ଏଭଳି ପାରମ୍ପରିକ ବିଦ୍ୟାଦ୍ୱାରା ଅନ୍ୟାନ୍ୟ ଦେଶ ଉପକୃତ ହେଉଛନ୍ତି।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁର୍ବେଦ ଜ୍ଞାନକୁ ବହି, ଶାସ୍ତ୍ର ଏବଂ ଘରୋଇ ଚିକିତ୍ସା ପରିସରରୁ ବାହାରକୁ ଆଣି ଏହି ପ୍ରାଚୀନ ଜ୍ଞାନକୁ ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ସମୃଦ୍ଧ କରିବାକୁ ପଡିବ। ଏଥିପାଇଁ ଦେଶରେ ଏ କ୍ଷେତ୍ରରେ ନୂଆ ନୂଆ ଗବେଷଣା ଚାଲିଛି। ଆମର ପ୍ରାଚୀନ ଚିକିତ୍ସା ଜ୍ଞାନ ଏବଂ ଏକବିଂଶ ଶତାବ୍ଦୀର ଆଧୁନିକ ବିଜ୍ଞାନକୁ ମିଶାଇ କିପରି ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିହେବ ସେଥିପାଇଁ ଏହି ଗବେଷଣା କରାଯାଉଛି। ତିନିବର୍ଷ ତଳେ ଏଠାରେ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ଆୟୁର୍ବେଦ କେବଳ ଏକ ବିକଳ୍ପ ଚିକିତ୍ସା ନୁହେଁ, ବରଂ ଏହା ଭାରତୀୟ ସ୍ୱାସ୍ଥ୍ୟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏକ ଜାତୀୟ ସୋୱା-ରିକ୍‌ପା ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ ଚାଲିଛି। ଏହା ଲେହରେ ସ୍ଥାପନ କରାଯିବ। ଲେହ ଅଞ୍ଚଳର ପ୍ରାଚୀନ ଚିକିତ୍ସା ପଦ୍ଧତି ସୋୱା-ରିକ୍‌ପା ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଏହି ପ୍ରତିଷ୍ଠାନରେ ଗବେଷଣା କରାଯିବ। ସେ ଆହୁରି କହିଥିଲେ ଯେ ଆଜି ଉଭୟ ଗୁଜରାଟ ଓ ରାଜସ୍ଥାନରେ ଯେଉଁ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନ ଅତ୍ୟାଧୁନିକ ରୂପରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ତାହା ଆମର ପାରମ୍ପରିକ ଚିକିତ୍ସା ବିଜ୍ଞାନର ବିକାଶ ଏବଂ ପରିବର୍ଦ୍ଧନ ପ୍ରୟାସର ଏକ ଅଂଶବିଶେଷ।

ଏହି ଦୁଇ ଅନୁଷ୍ଠାନର ଉନ୍ନତି ବିଧାନ ଓ ସଂପ୍ରସାରଣ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ କହିଥିଲେ ଯେ ଉଭୟ ସଂସ୍ଥାର ଦାୟିତ୍ୱ ଏବେ ବଢିଯାଇଛି। ଉଭୟ ସଂସ୍ଥା ଆନ୍ତର୍ଜାତିକ ମାନକୁ ପୂରଣ କରୁଥିବା ପାଠ୍ୟକ୍ରମ ପ୍ରସ୍ତୁତ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆୟୁର୍ବେଦ ଫିଜିକ୍ସ ଓ ଆୟୁର୍ବେଦ କେମିଷ୍ଟ୍ରି ଭଳି ନୂଆ ବିଭାଗମାନ ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟ ଓ ୟୁଜିସିକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ବୈଶ୍ୱିକ ଜୀବନଶୈଳୀ ତଥା ଚାହିଦାକୁ ଅନୁଧାନ କରି  ଏ କ୍ଷେତ୍ରରେ ଷ୍ଟାର୍ଟ ଅପ୍‌ ଓ ଘରୋଇ ଉଦ୍ୟୋଗମାନ ସାମିଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଭାରତୀୟ ଔଷଧୀୟ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ ଆୟୋଗ (ଏନ୍‌ସିଆଇଏସ୍‌ଏମ୍‌) ଏବଂ ଜାତୀୟ ହୋମିଓପ୍ୟାଥିକ୍‌ ଆୟୋଗ (ଏନ୍‌ସିଏଚ୍‌) ସଂସଦର ଏହି ଅଧିବେଶନରେ ଗୃହୀତ ପ୍ରସ୍ତାବ ଅନୁସାରେ ଗଠିତ ହୋଇଛି। ଏ  କ୍ଷେତ୍ରରେ ଜାତୀୟ ଶିକ୍ଷାନୀତି ମଧ୍ୟ ସମନ୍ୱିତ ଆଭିମୁଖ୍ୟ ପୋଷଣ କରୁଛି। ଏହି ନୀତିର ମୌଳିକ ଲକ୍ଷ୍ୟ ହେଲା ଆୟୁର୍ବେଦିକ ଶିକ୍ଷାରେ ଏଲୋପ୍ୟାଥିକ୍‌ ଚିକିତ୍ସା ପଦ୍ଧତିର ପ୍ରୟୋଗକୁ ବାଧ୍ୟତାମୂଳକ କରିବା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ କାଳରେ ଆୟୁର୍ବେଦିକ ଔଷଧପତ୍ରର ଚାହିଦା ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବଢିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତର ଆୟୁର୍ବେଦିକ ସାମଗ୍ରୀର ରପ୍ତାନୀ ପରିମାଣ 45 ଶତାଂଶ ବଢିଛି। ହଳଦୀ, ଅଦା ଭଳି ପଦାର୍ଥ ଯାହା ଶରୀରର ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତିବୃଦ୍ଧି କରେ ତା ସହିତ ଅନ୍ୟାନ୍ୟ ମସଲାର ଚାହିଦା ବିଦେଶରେ ବଢିଛି। ଭାରତୀୟ ମସଲାରେ ଥିବା ଔଷଧୀୟ ଗୁଣ ହଠାତ୍‌ ବିଶ୍ୱ ବଜାରରେ ଆୟୁର୍ବେଦ ଉପରେ ବିଶ୍ୱାସକୁ ବଢାଇ ଦେଇଛି। ସେ କହିଛନ୍ତି ଯେ ଏବେ ବିଶ୍ୱର ବିଭିନ୍ନ ଦେଶରେ ହଳଦୀରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଔଷଧୀୟ ପାନୀୟ ବ୍ୟବହାର ବଢିଛି। ପୃଥିବୀରେ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟପତ୍ରିକାମାନ ଆୟୁର୍ବେଦରେ ମଧ୍ୟ ନୂଆ ଆଶା ଦେଖୁଛନ୍ତି। ଏହି କରୋନା ମହାମାରୀ ସମୟରେ କେବଳ ଆୟୁର୍ବେଦିକ ସାମଗ୍ରୀ ବ୍ୟବହାର ଉପରେ ଦୃଷ୍ଟି ନିବଦ୍ଧ ନ ଥିଲା; ଏହା ସହିତ ଆୟୁଷ ସଂକ୍ରାନ୍ତ ବିଭିନ୍ନ କ୍ଷେତ୍ରରେ ଆଧୁନିକ ଗବେଷଣା ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସମଗ୍ର ବିଶ୍ୱ ମଧ୍ୟ ଭାରତ ସହିତ ଏ କ୍ଷେତ୍ରରେ କାମ କରୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏକପକ୍ଷରେ ଭାରତ କରୋନା ଟିକା ପରୀକ୍ଷା କରୁଛି ଏବଂ ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଆୟୁର୍ବେଦିକ ଗବେଷଣା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ବୃଦ୍ଧି କରିବାରେ ସାହାଯ୍ୟ ସହଯୋଗ ଯୋଗାଉଛି। ସେ କହିଛନ୍ତି ଯେ ଦିଲ୍ଲୀ ପୁଲିସର 80 ହଜାର କର୍ମଚାରୀଙ୍କ ରୋଗ ପ୍ରତିରୋଧ ଶକ୍ତି ସଂପର୍କରେ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସମେତ 100ରୁ ଅଧିକ ସ୍ଥାନରେ ଗବେଷଣା ଚାଲିଛି। ଏହା ବୋଧହୁଏ ବିଶ୍ୱର ସ୍ୱାସ୍ଥ୍ୟ ସଂକ୍ରାନ୍ତ ସର୍ବବୃହତ୍‌ ଗୋଷ୍ଠୀ ଅନୁଧ୍ୟାନ। ଏହି ଗବେଷଣାରୁ ଉତ୍ସାହଜନକ ଫଳ ମିଳୁଛି। ଆଗାମୀ ଦିନରେ ଏ ସଂକ୍ରାନ୍ତ ଆଉ କେତେକ ଆନ୍ତର୍ଜାତିକ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ଏବେ ଆୟୁର୍ବେଦ ଔଷଧ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ଏହା ସହିତ ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ତଥା ପୁଷ୍ଟିକର ଖାଦ୍ୟ ଯାହା ଆମର ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତି ବଢାଏ ତାହା ମଧ୍ୟ ଗୁରୁତ୍ୱ ଲାଭ କରୁଛି। ଏବେ ଚାଷୀମାନଙ୍କୁ ମୋଟା ଶସ୍ୟର ଉତ୍ପାଦନ ବୃଦ୍ଧି ଏବଂ ଜୈବିକ ଫସଲ ଅଧିକରୁ ଅଧିକ ଚାଷ କରିବାକୁ ଉତ୍ସାହିତ କରାଯାଉଛି। ଗଙ୍ଗାତଟ ଏବଂ ହିମାଳୟ ଅଞ୍ଚଳରେ ଏସବୁ ଜୈବିକ ଚାଷ କରିବା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି। ବିଶ୍ୱର ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ଭାରତର ଅବଦାନକୁ ବଢାଇବା ଦିଗରେ ଏକ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରିବାକୁ ଆୟୁଷ ମନ୍ତ୍ରଣାଳୟ ସ୍ୱତନ୍ତ୍ରଭାବେ କାର୍ଯ୍ୟ କରୁଛି। ଏ କ୍ଷେତ୍ରରେ ଆମର ରପ୍ତାନୀ ବଢିବା ସହ ଆମ ଚାଷୀଙ୍କ ଆୟ ମଧ୍ୟ ବଢିବାର ଆବଶ୍ୟକତା ରହିଛି। ସେ କହିଛନ୍ତି କରୋନା ମହାମାରୀ ଆରମ୍ଭ ହେବା ପରେ ଅଶ୍ୱଗନ୍ଧା, ଗିଲୟ, ତୁଳସୀ ଆଦି ଆୟୁର୍ବେଦ ଔଷଧରେ ବ୍ୟବହୃତ ଗୁଳ୍ମର ଚାହିଦା ଯଥେଷ୍ଟ ବଢିଗଲା। ଗତବର୍ଷ ତୁଳନାରେ ଅଶ୍ୱଗନ୍ଧାର ମୂଲ୍ୟ ଦୁଇଗୁଣିତ ହୋଇଛି। ଏହା ଫଳରେ ଏସବୁ ଚାଷ କରୁଥିବା ଚାଷୀମାନେ ଉପକୃତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଓ ଆୟୁଷ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ବିଭାଗଗୁଡିକ ମିଳିତଭାବେ ଭାରତରେ ଉପଲବ୍ଧ ଔଷଧୀୟ ଗୁଳ୍ମ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ସେସବୁର ଚାଷ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବା ଉଚିତ। ଆୟୁର୍ବେଦ ପାଇଁ ଅନୁକୂଳ ପରିବେଶ ମଧ୍ୟ ସ୍ୱାସ୍ଥ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଆଜି ଉଦ୍ଘାଟିତ ହୋଇଥିବା ଜାମନଗର ଓ ଜୟପୁରର ଦୁଇଟିଯାକ ପ୍ରତିଷ୍ଠାନ ଏ ଦିଗରେ  କାର୍ଯ୍ୟକରି ନିଜର ଯଥାର୍ଥତା ଓ ପ୍ରତିଷ୍ଠା ପ୍ରତିପାଦନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଆଇଟିଆରଏ, ଜାମନଗର:

ନିକଟରେ ସଂସଦରେ ଏକ ଆଇନ ବଳରେ ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଗଠିତ ହୋଇଛି। ଏହି ଅନୁଷ୍ଠାନ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଭାବେ ଆତ୍ମପ୍ରକାଶ କରିବାକୁ ଆଗେଇ ଚାଲିଛି। ଆଇଟିଆରଏରେ 12ଟି ବିଭାଗ, 3ଟି କ୍ଲିନିକାଲ ଲ୍ୟାବ ଓ ୩ଟି ଗବେଷଣା ଲ୍ୟାବ ରହିଛି। ଏହି ଅନୁଷ୍ଠାନଟି ପାରମ୍ପରିକ ଔଷଧ ଓ ଚିକିତ୍ସା ପଦ୍ଧତିର ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ପ୍ରତିଷ୍ଠାନ। ଏବେ ଏଠାରେ 33ଟି ଗବେଷଣା ପ୍ରକଳ୍ପ ଚାଲିଛି। ଜାମନଗର ସ୍ଥିତ ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 4ଟି ଆୟୁର୍ବେଦ ପ୍ରତିଷ୍ଠାନକୁ ନେଇ ଆଇଟିଆରଏ ଗଠନ କରାଯାଇଛି। ଏହି 4ଟିଯାକ ପ୍ରତିଷ୍ଠାନ ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି। ଆୟୁଷ ମନ୍ତ୍ରଣାଳୟର ଏହା ପ୍ରଥମ ପ୍ରତିଷ୍ଠାନ, ଯାହା ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ (ଆଇଏନ୍‌ଆଇ)ର ମର୍ଯ୍ୟାଦା ପାଇଛି। ଆୟୁର୍ବେଦ ଶିକ୍ଷା କ୍ଷେତ୍ରରେ ନୂଆ ପାଠ୍ୟକ୍ରମ ପ୍ରଚଳନ ଓ ଏହାର ଉନ୍ନତି ବିଧାନ ନିମନ୍ତେ ଆଇଟିଆରଏକୁ ସ୍ୱୟଂଶାସନ କ୍ଷମତା ପ୍ରଦାନ କରାଯାଇଛି। ଏହି ପ୍ରତିଷ୍ଠାନ  ଆୟୁର୍ବେଦ ଶିକ୍ଷାର ମାନ ବଢାଇବା ସହ ଆଧୁନିକ ଓ ଆନ୍ତର୍ଜାତିକ ମାନର ପାଠ୍ୟକ୍ରମ ପ୍ରଚଳନ କରିବ। ଆୟୁର୍ବେଦକୁ ସମସାମୟିକ ପ୍ରୋତ୍ସାହନ ଯୋଗାଇବା ପାଇଁ ଏହି ଅନୁଷ୍ଠାନ ମଧ୍ୟ ଆନ୍ତଃ ବିଭାଗୀୟ ସହଯୋଗଭିତ୍ତିରେ କାର୍ଯ୍ୟ କରିବ।

ଏନ୍‌ଆଇଏ, ଜୟପୁର:

ଆୟୁର୍ବେଦ କ୍ଷେତ୍ରରେ ଏହି ଅନୁଷ୍ଠାନଟି ସୁନାମ ସାରା ଦେଶରେ ରହିଛି। ଏହାକୁ ୟୁଜିସି ଡିମ୍‌ଡି ୟୁନିର୍ଭସିଟି ମାନ୍ୟତା ଦେବାପରେ ଏହାର ଗୁରୁତ୍ୱ ଅଧିକ ବଢିଯାଇଛି। ଏହି ଅନୁଷ୍ଠାନର 175 ବର୍ଷର ଏକ ଲମ୍ବା ଐତିହ୍ୟ ରହିଛି। ଆୟୁର୍ବେଦର ମୌଳିକ ଓ ନିର୍ଭୁଲ ତଥ୍ୟ, ଦ୍ରବ୍ୟ,  ଔଷଧ ପ୍ରସ୍ତୁତି ଏବଂ ପ୍ରୟୋଗ ଆଦି ନୀତିନିୟମ ଓ ପାଠ ସଂରକ୍ଷଣ କରିବା, ଏହାର ସମୃଦ୍ଧି ଏବଂ ଏହାକୁ ନିର୍ଭୁଲଭାବେ ପ୍ରୟୋଗ କରିବାର ବିଦ୍ୟା ପାଇଁ ଏହି ଅନୁଷ୍ଠାନର ସୁନାମ ଅଛି। ଏବେ ଏନଆଇଏରେ 14ଟି ବିଭିନ୍ନ ବିଭାଗ ରହିଛି। ଏହି ଅନୁଷ୍ଠାନର ଛାତ୍ର ଓ ଶିକ୍ଷକ ଅନୁପାତ ମଧ୍ୟ ବହୁତ ଭଲ। 2019-20 ଶିକ୍ଷା ବର୍ଷରେ ଏଠାରେ 75 ଜଣ ଶିକ୍ଷକ 955 ଜଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରୁଥିଲେ। ଆୟୁର୍ବେଦର ଅନେକ ପାଠ୍ୟକ୍ରମ ଏଠାରେ ପଢାଯାଉଛି। ସାର୍ଟିଫିକେଟ କୋର୍ସଠାରୁ ଡକ୍ଟରାଲ ସ୍ତର ପର୍ଯ୍ୟନ୍ତ ଏଠାରେ ପାଠ୍ୟକ୍ରମ ଓ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ। ଏହି ଅନୁଷ୍ଠାନର ଲ୍ୟାବରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଗବେଷଣା କ୍ଷେତ୍ରରେ ମଧ୍ୟ ଏହା ଏକ ଅଗ୍ରଗାମୀ ଅନୁଷ୍ଠାନ। ଏବେ ଏଠାରେ 54ଟି ବିଭିନ୍ନ ଗବେଷଣା ପ୍ରକଳ୍ପ ଚାଲିଛି। ୟୁଜିସି ଏହାକୁ ଡିମ୍‌ଡି ୟୁନିର୍ଭସିଟି ମାନ୍ୟତା ପ୍ରଦାନ କରିବା ଫଳରେ ଏହି ଜାତୀୟ ପ୍ରତିଷ୍ଠାନଟି ଉଚ୍ଚମାନ, ସ୍ୱାସ୍ଥ୍ୟସେବା ଓ ଯତ୍ନ, ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଆୟୁର୍ବେଦକୁ ନୂଆ ଶିଖରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଦୀପାବଳି ଉପଲକ୍ଷେ ରଂଗବେରଂଗର ଫୁଲରେ ସଜେଇ ହେଲା କେଦାରନାଥ ମନ୍ଦିର

ଡେରାଡୁନ, ଉତ୍ତରାଖଣ୍ଡରେ ଅବସ୍ଥିତ ଭାରତ ପ୍ରସିଦ୍ଧ ଶୈବପିଠ କେଦାରନାଥ ମନ୍ଦିର ରଂଗବେରଂଗର ଫୁଲରେ ସଜା ଯାଇଛି। ମୁଖ୍ୟତଃ ଦୀପାବଳି ଉପଲକ୍ଷେ ବହୁ ଭକ୍ତଙ୍କର ସମାଗମ ଥିବାରୁ ମନ୍ଦିର କର୍ତ୍ତୁପକ୍ଷ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଗତକାଲି ଧନତରାସ ଉପଲକ୍ଷେ ଏହି ସଜାସଜା କରାଯାଇଥିଲା। ଧନତରାସ ଓ ଦୀପାବଳି ଏହି ଦୁଇ ମହାନ ପର୍ବ ପାଇଁ ଏହି ପଦକ୍ଷେପ ନିଆଯାଇଛି। ମନ୍ଦିର ଦୁଇପଟେ ପାହଡ, ଠିକ ମଝିରେ ମନ୍ଦିର ସହିତ ଫୁଲର ସାଜସଜା ବେଶ୍ ଆକର୍ଷଣୀୟ ଦେଖାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ଟେଣ୍ଡର କାର୍ଯ୍ୟରେ ଅନିୟମିତତାକୁ ନେଇ ତାତିଲେ ଜନତା: ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ଗୁରବାର ଅପରାହ୍ଣରେ ଟେଣ୍ଡରର ପକ୍ରିୟାକରଣ କରାଯାଇ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ସର୍ବମୋଟ ୨କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ରେ ୨୫ଟି କାର୍ଯ୍ୟାଦେଶର ସୂଚୀ ଜାରିକରଯାଇଥିଲା। କାର୍ଯ୍ୟାଦେଶରେ ଏନ.ଏ.ସିର ବିଭିନ୍ନ ୱାର୍ଡର ଉନ୍ନତିକରଣକୁ ଉପେକ୍ଷା କରାଯାଇଥିବାବେଳେ ଯେତିକି କାର୍ଯ୍ୟାଦେଶ ଜାରି ହୋଇଛି ସେ ସବୁର ଅଟକଳ ପ୍ରାୟତଃ ମୂଳ ଆନୁମାନିକ ମୂଲ୍ୟରୁ ଦୁଇ ଗୁଣ ଅଧିକା ହୋଇଥିବା ସୂଚନା ରହିଛି। ଏହାସହିତ ସ୍ଥାନୀୟ କିଛି ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା ସବୁ କାର୍ଯ୍ୟାଦେଶ କେତେକ ନିର୍ଦ୍ଦିଷ୍ଟ ଠିକାଦାର ପାଇବାକୁ ଯାଉଥିବାବେଳେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ଗତକାଲି ପୂର୍ବାହ୍ନରେ ଶତାଧିକ ଅଞ୍ଚଳବାସି ଏନଏସି କାର୍ଯ୍ୟାଳୟରେ ଏକତ୍ରିତ ହୋଇ କାର୍ଯ୍ୟନିର୍ବାହୀ ଅଧକାରୀଣି ଆକୃତି ଗୋଏଙ୍କାଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଏନଏସି ଅଞ୍ଚଳବାସିଙ୍କ ଅଭିଯୋଗ ଅନୁଯାୟୀ କୌଣସି ୱାର୍ଡର ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟକୁ ସଠିକ ଭାବେ ତଦାରଖ କରା ନଯାଇ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର କେତେକ ରାଜନୈତିକ ନେତାଙ୍କ ପ୍ରରୋଚନାରେ କାର୍ଯ୍ୟାଦେଶ ଜାରି କରିଛନ୍ତି। କେତେକ ୱାର୍ଡକୁ ପକ୍ଷପାତିତା କରିବା ସହ ଅଧିକାଶଂ ନିର୍ମାଣ କାର୍ଯ୍ୟର ଆବଶ୍ୟକତା ନ ଥାଇ ଅର୍ଥତୋଷରପାତଃ କରିବା ଉଦ୍ଦେଶ୍ୟରେ ଟେଣ୍ଡର କରାଯାଇଛି। ଶ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ପୂର୍ବରୁ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କାର୍ଯ୍ୟ ସମାପ୍ତିର ୬ ମାସ ନ ପୁରୁଣୁ ସେ ସବୁ ନଷ୍ଟ ହେଇଯାଉଛି। ଅଧିକାଂଶ ୱାର୍ଡ ରେ ରାସ୍ତା ନିର୍ମାଣ ଆବଶ୍ୟକତା ଥିବାସତ୍ତ୍ୱେ ତାହାକୁ ଟେଣ୍ଡର ରେ ଗୁରୁତ୍ୱ ଦିଆଯାଇନାହିଁ। ଅଧିକାଂଶ ଭଲ ରାସ୍ତାକୁ ନବୀକରଣ ଆଳରେ ଅର୍ଥ ତୋଷାରପାତ ପାଇଁ ପୁଣି ଟେଣ୍ଡର କରାଯାଇଛି।

ତେଣୁ ଜାରି କରାଯାଇଥିବା ସମସ୍ତ ଟେଣ୍ଡରଗୁଡିକୁ ବାତିଲ କରି ପୁନଶ୍ଚ ପ୍ରତ୍ୟେକ ୱାର୍ଡରେ ପୁଙ୍ଖାନୁପୁଙ୍ଖ ତଦାରଖ କରି ଆବଶ୍ୟକତା ଅନୁଯାୟୀ ଟେଣ୍ଡର କରିବା ଏବଂ ଦୁର୍ନୀତିଖୋର କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଅଞ୍ଚଳବାସୀ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ନିକଟରେ ଦାବି କରିବା ସହ ଉକ୍ତ ଦାବିପତ୍ରର ଏକକିତା ନକଲ ଏନ.ଏ.ସିର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ହେଲେ ଏ ବିଷୟ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କାଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଦାବିପତ୍ରଟି ଅଞ୍ଚଳବାସୀଙ୍କ ଠାରୁ ପାଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି।

Categories
ଫଟୋ ଖବର

କଟକ ଏସସିବି ମେଡିକାଲରେ ପ୍ଲାଜମା ଦାନ କଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ବର, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ପ୍ଲାଜମା ଦାନ କରିଛନ୍ତି।

Categories
ବିଶେଷ ଖବର ସଂସ୍କୃତି

ଦୀପାବଳିରେ ମା ଲକ୍ଷ୍ମୀଙ୍କ ପୂଜା କରୁଥିଲେ 5ଟି ବିଷୟରେ ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ, ଆଜି ହେଉଛି ଦୀପାବଳି। ଆଜି ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ

1-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ ଲାଗି କରନ୍ତୁ ନାହିଁ।

2-ଲକ୍ଷ୍ମୀ ପୂଜାର ଭୋଗ ଅପେକ୍ଷା ଦୀପ ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଦୀପ ହେଉଛି ମାଙ୍କର ପସନ୍ଦ। ହେଲେ ଏହି ଦୀପକୁ ଠିକ ଦିଗରେ ନ ରଖିଲେ ତାହା ମଧ୍ୟ ପୂଜା ନିତିରେ ଭୁଲ ହୋଇଯିବ। ମା ଲକ୍ଷ୍ମୀଙ୍କ ପୂଜା ବେଳେ ଦୀପକୁ ଡାହାଣ ପାର୍ଶରେ ରଖନ୍ତୁ। କୌଣସି ପରିସ୍ଥିତିରେ ବାମ ପଟେ ଦୀପ ରଖନ୍ତୁ ନାହିଁ।

3-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ଭଗବାନ ବିଷ୍ଣୁଙ୍କୁ ପୂଜା କରିବାରେ ଭୁଲନ୍ତୁ ନାହିଁ। ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜା ନ କରନ୍ତି ତେବେ ଲକ୍ଷ୍ମୀ ପୂଜା ଅଧା ରହିଲା ବୋଲି ଧରିବାକୁ ହେବ। ଆପଣ ପ୍ରଥମେ ଶ୍ରୀ ଗଣେଷଙ୍କୁ ପୂଜା କରନ୍ତୁ, ଏହାପରେ ଲକ୍ଷ୍ମୀ ଏବଂ ଶେଷରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

4-ମା ଲକ୍ଷ୍ମୀଙ୍କୁ କେବେ ବି ଧଳା ଫୁଲରେ ପୂଜା କରନ୍ତୁ ନାହିଁ। କାରଣ ମା ଲକ୍ଷ୍ମୀ ସଦା ସୁହାଗିନୀ। ସେଥିପାଇଁ ଧଳା ଫୁଲ ଲାଗି କରିବା ଅନୁଚିତ। ମା ଲକ୍ଷ୍ମୀ ଲାଲ ଫୁଲକୁ ବେଶୀ ପସନ୍ଦ କରନ୍ତି। ଧଳା ରଂଗର ଫୁଲ ବ୍ୟତିତ ଅନ୍ୟ ରଂଗର ଫୁଲ ଚଢା ଯାଇପାରିବ।

5-ମା ଲକ୍ଷ୍ନୀକୁ ପୂଜା କରିବା ବେଳେ ଭୋଗ ବା ପ୍ରସାଦକୁ ଦକ୍ଷିଣ ଦିଗରେ ରଖନ୍ତୁ। ପୂଜା ସାମଗ୍ରୀ ଯେପରି ଫୁଲ ପ୍ରଭୃତି ମାଙ୍କ ଆଗରେ ରଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୮୪ ନୂତନ ସଂକ୍ରମିତ ଚିହ୍ନଟ: ୫୨୦ ମୃତ୍ୟୁ

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୮୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୦ ଜଣଙ୍କର ମୃତ୍ୟୁ ଘଟିଛି। ୪୪ ହଜାର ୬୮୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୭୩ ହଜାର ୪୭୯ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୧ ଲକ୍ଷ ୬୩ ହଜାର ୫୭୨ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୦ ହଜାର ୭୧୯ ରେ ପହଞ୍ଚିଛି।