ଆଜି ରାଜ୍ୟକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଡ଼ୋଜ: ଆସନ୍ତାକାଲି ପାଳନ ହେବ ଟୀକା ଉତ୍ସବ

Published: Apr 10, 2021, 11:26 am IST

ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଡ଼ୋଜ ଟୀକା ଆସୁଛି। ଆଉ କିଛି ସମୟ ପରେ ଭୁବନେଶ୍ଵରରେ ଏହି ଟୀକା ପହଞ୍ଚିବ। ଆଜି ସବୁ ଜିଲ୍ଲାକୁ ଟୀକା ବଣ୍ଟାଯିବ ଏବଂ ଆସନ୍ତାକାଲି ରାଜ୍ୟର ସବୁ କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ଚାଲିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେଣୁ ଆସନ୍ତାକାଲି ଟୀକା ଉତ୍ସବ ପାଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ତେବେ ଟୀକାର ଅଭାବ ଯୋଗୁଁ ଅନେକ କେନ୍ଦ୍ରରେ ଟୀକାକରଣ ବନ୍ଦ ହୋଇଥିଲା। ଏଥିପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖି ଟୀକା ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲା। ଏହି ଉତ୍ସବ ସମୟରେ ଯେପରି ଟୀକାକରଣ ବାଧାପ୍ରାପ୍ତ ନହୁଏ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ପଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ଟୀକା ଉତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏହି ଉତ୍ସବ ସମୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ସହ ଟୀକା ଅପଚୟ ନକରିବା ପାଇଁ ପ୍ରଧାନମନ୍ତ୍ରୀ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ।

Related posts