୧୬ ନମ୍ବର ଜାତୀୟ ରାଜପଥରେ ଗୋମାଂସ ନେଇ ଯାଉଥିବା ଗାଡି ଜବତ

Published: Jan 16, 2022, 9:52 am IST

ଖୋର୍ଦ୍ଧା: କଲିକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ କଣ୍ଟନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ରେସ୍ତୋରା ନିକଟରେ ସମ୍ପୃକ୍ତ କଣ୍ଟେନରକୁ ଅଟକାଇ ଥିଲେ। ଏଥିରେ ଗୋମାଂସ ଚାଲାଣ ଥିବା ଜଣାପଡିବା ପରେ କଣ୍ଟେନରକୁ ଟାଉନ ଥାନା ଜିମା ଦେଇଥିଲେ।

ପୋଲିସ କଣ୍ଟେନର(ଏପି-୩୯-ୟୁ-୬୭୬୬ ) ଜବତ କରିବା ସହ ପଶ୍ଚିମବଙ୍ଗ ମାଲଦା ଜିଲା ହରିଶ୍ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭେଜପୁର ଗ୍ରାମର ହରୁନ ଅଲ୍ଲି(୩୫) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜବତ ଗୋମାଂସ ୧୨ ଟନରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି। ଜବତ ଗୋମାଂସ ର କିଛି ଅଂଶକୁ ପ୍ରାଣୀଧନ ବିଭାଗ ନିକଟକୁ ପରୀକ୍ଷଣ ପାଇଁ ପଠାଇ ବଳକା ଗୋମାଂସ କୁ ନିକଟସ୍ଥ ଜଙ୍ଗଲରେ ପୋତିଛି ପୋଲିସ ।

ଏନେଇ ବଜରଙ୍ଗ ଦଳର କର୍ମୀ ରାଧାମୋହନ ପ୍ରଧାନଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ୭/୨୨ ରେ ଏକ ମାମଲା ରୁଜୁ ହୋଇଛି।  ପ୍ରକାଶ ଥାଉକି ୧୬ ନମ୍ବର ଜାତୀୟ ରାଜପଥ ଦେଇ କଲିକତା ଏବଂ ଆନ୍ଧ୍ର ଅଭିମୁଖେ ଦୈନିକ ଗୋମାଂସ ଚାଲାଣ କରାଯାଉଛି। କଣ୍ଟେନର ଭିତରେ ଚାଲାଣ ହେଉଥିବାରୁ ଅନେକ ସମୟରେ ଚାଲାଣକାରୀ ଖସି ଯାଉଥିବା ବେଳେ କିଛି କିଛି ଧରାପଡୁଛନ୍ତି।

ଗତ କିଛି ମାସ ତଳେ ଖୋର୍ଦ୍ଧା ନିକଟସ୍ଥ ତରତୁଆ, ଶରଧାପୁର ଏବଂ ଜଟଣୀ ଥାନା ବେଣାପଞ୍ଜୁରୀ ଅଞ୍ଚଳରୁ ପୋଲିସ ବିପୁଳ ପରିମାଣର ଗୋମାଂସ ଜବତ କରିଥିଲା। ତେବେ ଗୋମାଂସ ଚାଲାଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭିଏଚପି ଓ ବଜରଙ୍ଗ ଦଳ ଦାବି କରିଛନ୍ତି।

Related posts