କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୋଗ ଦେଲେ ପି.ଅନ୍ୱେଷା ରେଡ୍ଡୀ, ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ନେଲେ ଦାୟିତ୍ଵ

Published: Jun 28, 2022, 8:53 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଆଇ.ଏ.ଏସ. ଦାୟିତ୍ଵ ନେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ପାଂଚ ଜଣ ମହିଳା ଜିଲ୍ଲାପାଳ କାର୍ଯ୍ୟ କରିସାରିଥିବା ବେଳେ ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇଛନ୍ତି। ୨୦୧୭ ବେଚର ଆଇଏଏସ ଅଧିକାରିଣୀ ମୟୁରଭଂଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। କଳାହାଣ୍ଡିରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ବଦଳି ହେବା ପରେ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ।

ଦାୟିତ୍ଵ ଗ୍ରହଣ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସରକାରୀ ଯୋଜନା ଗୁଡିକ କିପରି ତୃଣମୂଳ ସ୍ତରକୁ ପହଂଚି ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଲକ୍ଷ୍ୟ ପଥରେ ଆଗେଇ ଚାଲିବା ପାଇଁ ବାର୍ତା ଦେଇଛନ୍ତି ନୂତନ ଜିଲ୍ଲାପାଳ।

ଗତ ୧୯୭୨ ମସିହାରେ ଚନ୍ଦ୍ରମଣି ନାରାୟଣ ସ୍ୱାମୀ ପ୍ରଥମ ମହିଳା ଜିଲ୍ଲାପାଳ ଭାବେ କଳାହାଣ୍ଡିରେ ଯୋଗ ଦେଇଥିବା ବେଳେ ୧୯୮୦ ରେ ମୀନା ଗୁପ୍ତା, ୧୯୯୬ ରେ ଜି. ସୁବର୍ଣ୍ଣାରାଣି ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ୨୦୦୯ ମସିହାରେ ରୂପା ମିଶ୍ର, ୨୦୧୫ ରେ ଡ. ବୃନ୍ଦା ଡି ଯୋଗ ଦେଇଥିଲେ। ଷଷ୍ଠ ମହିଳା ଜିଲ୍ଲାପାଳ ଙ୍କ ଠାରୁ କଳାହାଣ୍ଡି ବାସୀ ଅନେକ ଆଶା ରଖିଥିବା ଜଣାପଡିଛି।

Related posts