ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କର ବଣାଇ ହକି ଷ୍ଟାଡିୟମ୍‌ ସହ ବିକାଶମୂଳକ କାର୍ଯ୍ୟ ପରିଦର୍ଶନ

Published: Aug 3, 2022, 10:58 pm IST

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତର ତୃତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ସେ ସେଠାରେ ବିଭିନ୍ନ ପ୍ରକଳ୍ପ ସହ ଜିଲ୍ଲାର ଝିରଡ଼ାପାଲିଠାରେ ନିର୍ମାଣାଧୀନ ଭାରୀ ମୋଟର ଯାନ ଡ୍ରାଇଭିଂ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ ।

ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନ ଅର୍ଥ ୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏନ୍‌ବିସିସି ଦ୍ୱାରା କରାଯାଉଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ତିନିମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି ।

ଏହା କାର୍ଯ୍ୟକ୍ଷମ ହେଲେ ଭାରୀ ମୋଟର ଯାନ ଚାଳନା ଦକ୍ଷତା ତାଲିମ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବ । ଶ୍ରୀ ତ୍ରିପାଠୀ ବଣାଇ ବ୍ଲକ୍‌ର ବଇଦପାଲିସ୍ଥିତ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ୫-‘ଟି’ ଉପକ୍ରମରେ କରାଯାଉଥିବା ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ସେଠାରେ ସେ ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର, କମ୍ପୁ୍ୟଟର ଲାବ୍‌ ଇତ୍ୟାଦି ବୁଲି ଦେଖିବା ସମୟରେ ଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ଭାବବିନିମୟବେଳେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଏକ ଅନୁକୂଳ ଶୈକ୍ଷିକ ବାତାବରଣ ସୃଷ୍ଟି କରିଥିବା କହି ଛାତ୍ରୀମାନେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହା ପରେ ଇଡ଼୍‌କୋ ଦ୍ୱାରା ବଣାଇରେ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ସିନ୍ଥେଟିକ୍‌ ହକି ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟ ବୁଲିଦେଖି କାର୍ଯ୍ୟର ମାନ ବିଷୟରେ ସେଠାରେ ଅବସ୍ଥପିତ ଡିଭିଜନାଲ ମୁଖ୍ୟଙ୍କ ସହ ବାର୍ତ୍ତାଳାପ କରିଥିଲେ ।

Related posts