ଧାମନଗର ଉପନିର୍ବାଚନ ପାଇଁ ଦ୍ବିତୀୟ ଦିନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

Published: Oct 29, 2022, 5:51 pm IST

ଧାମନଗର/ଭୁବନେଶ୍ୱର: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ।

ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ଏ ଅଞ୍ଚଳ ହେଉଛି ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି। ଏହି ବୀର ଭୂମିରେ ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ। ସୂରଜ ଜଣେ ଉଚ୍ଚ ଶିକ୍ଷିତ ଓ ଲଢୁଆ ଯୁବକ। ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି।

ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ହିମାଳୟ ଭଳି ଅତୁଟ ରହିଛି। ଏଠାକାର କୋଣ ଅନୁକୋଣରେ ଜନପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ସ୍ମୃତି ଜୀବିତ ଅଛି। ମାଆମାନେ ଦଳ ମତ ନିର୍ବିଶେଷରେ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ ଦେଉଛନ୍ତି। ଏ ଅଞ୍ଚଳର ଟାଣୁଆ ସ୍ତମ୍ଭ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସ୍ୱର୍ଗୀୟ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଜନତାଙ୍କ ଆସ୍ଥା ଅତୁଟ ରହିଛି । ଯୁବବର୍ଗ ଲଢୁଆ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି। ଏହି ସହଯୋଗ ବଳରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ଶ୍ରୀ ପ୍ରଧାନ ତିହିଡି ବ୍ଲକ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ମାଆ ସାମନ୍ତାଣିଶୁଣୀ ମନ୍ଦିରରେ ଦର୍ଶନ କରିଥିଲେ। ଭଦ୍ରକ ଜିଲ୍ଲା ଇଚ୍ଛାପୁର, ଶିରାପୁର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Related posts