ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡ଼ାବାହାଲି ଗ୍ରାମରେ ବୁଧୁବାର ଦିନ ରନ୍ଧା ଦେଶୀ ମଦ ଭାଟିକୁ ନେଇ ମହିଳା ମାନେ ତାତି ଉଠିଲେ, ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେବାରୁ ମହିଳାମାନେ ନିଜେ ଜଙ୍ଗଲରେ ଥିବା ମଦ ଭାଟି ଭାଙ୍ଗି ଦେଇଛନ୍ତି।
ସୂଚନା ଅନୁଯାୟୀ, କୁକୁଡାବାହାଲି ଗାଁ ମୁଣ୍ଡ ଜଙ୍ଗଲରେ ଦୀର୍ଘ ଦିନ ଧରି ଦେଶୀ ରନ୍ଧା ମଦ ତିଆରି ହେଉଥିଲା। ଏନେଇ ମହିଳାମାନେ ବାରମ୍ବାର ଅବକାରୀ ଓ ପୋଲିସ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନିଆ ଯାଉନଥିଲା। ଶେଷରେ ଅସନ୍ତୋଷ ପ୍ରକାଶ କରି ମହିଳା ମାନେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅବକାରୀ ଓ ପୋଲିସ ଟିମ୍ ବିଳମ୍ବରେ ପହଞ୍ଚିଥିଲେ। ଏଥିରେ ମହିଳା ମାନେ ଉତ୍ତେଜିତ ହୋଇ ଅଫିସର ମାନଙ୍କୁ ଚଲାଇ ଚଲାଇ ଜଙ୍ଗଲ ନିକଟରେ ଥିବା ରନ୍ଧା ମଦ ଭାଟିକୁ ନେଇଥିଲେ। ଘଟଣା ସ୍ଥଳରେ ପହଞ୍ଚି ମହିଳାମାନେ ରନ୍ଧା ମଦ, ମହୁଲ ପୋଚ ଓ ରନ୍ଧା ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିଲେ।
ତେବେ ଅଭିଯାନ ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


