ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହଂସତୁଳି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ମନ୍ଦିରରେ ଗୁହାରି ପଡ଼ିବା ଉଦ୍ଦେଶ୍ୟରେ ନିଜ ହାତରେ ନିଜ ଜିଭ କାଟି ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ହଂସତୁଳି ଗାଁର କିରଣ ପାତ୍ର ନାମକ ଯୁବକ ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଥିଲେ। ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ମନ୍ଦିର ପାହାଚ ନିକଟରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
ପରେ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।


