ଭୁବନେଶ୍ବର : ଶ୍ରାବଣ ମାସର ପ୍ରଥମ ସୋମବାରରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜାନୀତିରେ ବିଭ୍ରାଟ ଦେଖାଦେଇଛି। ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ବିବାଦରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହୋଇଥିବାର ଜଣା ଯାଇଛି ।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରୁ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି। ଶ୍ରାବଣ ମାସର ବିଶେଷ ‘ପାଉଣା’ ବଣ୍ଟନକୁ କେନ୍ଦ୍ର କରି ବ୍ରାହ୍ମଣ ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦର ସମାଧାନ ହୋଇନଥିବାରୁ ମନ୍ଦିରର ନିୟମିତ ପୂଜାପାଠ ବାଧାପ୍ରାପ୍ତ ହୋଇଛି।
ସୋମବାର ସକାଳେ ବଡୁ ସେବାୟତମାନେ ମନ୍ଦିରରେ ପହଞ୍ଚି ନିଜ ନିର୍ଦ୍ଧାରିତ ସେବା ସମ୍ପନ୍ନ କରିଥିଲେ। ମାତ୍ର ପୂଜାପଣ୍ଡା ସେବାୟତମାନେ ନୀତିରେ ସାମିଲ ନ ହେବାରୁ ବାବା ଲିଙ୍ଗରାଜଙ୍କର ନିୟମିତ ପୂଜା ସମ୍ପନ୍ନ ହୋଇପାରିନଥିଲା। ତେବେ ଏହାର ପ୍ରଭାବ ଭକ୍ତଙ୍କ ସମାଗମ ଉପରେ ପଡ଼ିନଥିଲା। ହଜାର ହଜାର ଶିବଭକ୍ତ ମନ୍ଦିରରେ ପହଞ୍ଚି ପୂଜା ବିନାହିଁ ଜଳଲାଗି କରି ମହାଦେବଙ୍କ ଦର୍ଶନ କରିଥିଲେ।
ଶ୍ରାବଣର ପ୍ରଥମ ସୋମବାର ଶିବଭକ୍ତଙ୍କ ପାଇଁ ଅତ୍ୟନ୍ତ ପବିତ୍ର ହୋଇଥିବାରୁ ମନ୍ଦିରରେ ଅସାଧାରଣ ଭିଡ଼ ପରିଲକ୍ଷିତ ହୋଇଥିଲା। କିନ୍ତୁ ଏଭଳି ନୀତି ବିଭ୍ରାଟ ଯୋଗୁଁ ଅନେକ ଭକ୍ତ ନିରାଶ ହୋଇଥିଲେ। ସେବାୟତମାନଙ୍କ ମଧ୍ୟରେ ଥିବା ବିବାଦର ଶୀଘ୍ର ସମାଧାନ କରି ମନ୍ଦିରରେ ସ୍ୱାଭାବିକ ପୂଜାନୀତି ପୁନରାରମ୍ଭ କରିବାକୁ ଭକ୍ତମାନେ ଦାବି କରିଛନ୍ତି।


