ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ (ODRAF)ର ନବକଳେବର କରାଯାଇ ଏହାର ନାମକୁ ‘ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (State Disaster Response Force-SDRF)’ ଭାବେ ପରିବର୍ତ୍ତନ କରାଯିବ। ଏହା ସହ ଓଡ୍ରାଫ୍କୁ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଓ ସମର୍ପିତ ବାହିନୀରେ ପରିଣତ କରିବାକୁ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ।
ଏହା ସହିତ ଓଡ୍ରାଫ୍ ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ, ବାହିନୀର ନେତୃତ୍ୱ ଓ ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କ ନିଯୁକ୍ତି କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ସମୟରେ ଓଡ୍ରାଫ୍ ଦ୍ୱାରା ବିଭିନ୍ନ ପ୍ରଭାବିତ ଅଞ୍ଚଳରେ କରାଯାଇଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ମୁକାବିଲା ସମୟରେ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜ ଏବଂ ଭବିଷ୍ୟତରେ ବାହିନୀକୁ ଅଧିକ ଆଧୁନିକ ଓ ଦକ୍ଷ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ବାତ୍ୟା, ବନ୍ୟା, ଘୂର୍ଣ୍ଣିଝଡ଼ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତ୍ୱରିତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବାରେ ଏହି ନୂଆ ବ୍ୟବସ୍ଥା ସହାୟକ ହେବ।


