ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନକ୍ରମେ ସମସ୍ତ ସାମିଲ ସଂଗଠନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ଅସମାହିତ ସମସ୍ୟାର ସମାଧାନ ଲାଗି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ ରାଜ୍ୟର ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷାଧିକାରୀଙ୍କ ମାଧ୍ୟମରେମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।
ଶିକ୍ଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ନ୍ୟାଯ୍ୟ ଦାବି; ଅନୁଦାନ, ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ ଓ ଶୂନ୍ୟ ପଡ଼ିଥିବା ପଦରେ ନିଯୁକ୍ତି ନିମନ୍ତେ ପୂର୍ବରୁ ସରକାରୀ ସ୍ତରରେ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ପବିତ୍ର ବିଧାନସଭାରେ ଘୋଷଣା କରିଥିବା ଉଚ୍ଚସ୍ତରୀୟ କମିଟିର ସମୟାବଧି ଶେଷ ହେଲାପରେ ମଧ୍ୟ ଆଉ ୬ ମାସ ବୃଦ୍ଧିକୁ ଆଳକରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅନୁମାନ କରାଯାଉଛି। ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଅବସର ନେବାପରେ ପେନସନ୍ ମିଳୁ ନଥିବାରୁ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ବ୍ୟବସ୍ଥାନୁସାରେ ଅର୍ଥରାଶି ନପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହି ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଦୀର୍ଘ ୩୦ ବର୍ଷ ସେବା ଯୋଗାଇ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି।
ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ କୋର୍ଟର ନିର୍ଦ୍ଦେଶ ଥିଲେ ମଧ୍ୟ ସେମାନଙ୍କୁ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ମିଳୁନାହିଁ। ଅବସର ପରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ବାରଦୁଆର ଶୁଣ୍ଢିପିଣ୍ଡା ହେବା ସହିତ କେଉଁଠି ଦିନମଜୁରିଆ ଭାବେ କାମ କରିକରି ପରିବାର ପ୍ରତିପୋଷଣ ନକରି ପାରିବାରୁ ମୃତ୍ୟୁବରଣ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ନେତା ଥିବାବେଳେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆନ୍ଦୋଳନ ସ୍ଥଳକୁ ଆସି ଦେଇଥିବା ପ୍ରତିଶ୍ରୁତିକୁ ଦୀର୍ଘ ଦୁଇବର୍ଷ ଦୁଇମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ନିମନ୍ତେ ଟାଳଟୁଳ ନୀତି ଅବଲମ୍ବନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ସହିତ ବିଶ୍ୱାସରେ ବିଷ ଦେବା ସହିତ ସମାନ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରି ତୁରନ୍ତ ଏହି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଆଇନ୍ର ଗଣ୍ଡି ଭିତରେ ୧୯୮୧ ପେନସନ୍ ରୁଲ ଅନୁଯାୟୀ ପେନସନ୍ ପ୍ରଦାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟରେ ଆହୂତ ପ୍ରତିବାଦ ସଭାରେ ଦୃଢ଼ ଦାବି କରାଯାଇଛି। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସ୍ଥାନରେ ସରକାର ଅଦ୍ୟାବଧି ନିଯୁକ୍ତିର ବ୍ୟବସ୍ଥା ସୃଷ୍ଟି କରିନାହାଁନ୍ତି। ଏଣୁ ଅନେକ ବିଦ୍ୟାଳୟ ଜଣେ କିମ୍ବା ଦୁଇଜଣ ଶିକ୍ଷକରେ ଚାଲିଛି, ଫଳସ୍ୱରୂପ ସେହି ଅଞ୍ଚଳରେ ମାନବ ସମ୍ବଳ ବିକାଶ ବାଧାପ୍ରାପ୍ତ ହେଉଛି। ଯଦି ଏହିପରି ଅବସ୍ଥା ଜାରି ରହେ ତେବେ ଆଉ ବର୍ଷେ ଦୁଇବର୍ଷ ମଧ୍ୟରେ ଏହି ବିଦ୍ୟାଳୟଗୁଡ଼ିକ ଭାଙ୍ଗିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଣୁ ଏହି ବର୍ଗର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରି ଶିକ୍ଷା ଅଧିକାର ଆଇନକୁ ପାଳନ କରନ୍ତୁ ଓ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ କରି ନ୍ୟାୟଳୟର ନିର୍ଦ୍ଦେଶନାମାକୁ ସମ୍ମାନ ଦିଅନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ମତ ପ୍ରକାଶ ପାଇଛି।
ସେହିପରି ଅନୁଦାନ ଯୋଗ୍ୟ ବିଦ୍ୟଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ବିନା ପାରିଶ୍ରମିକରେ ଦୀର୍ଘ ୨୫ ରୁ ୩୦ ବର୍ଷଧରି ଶିକ୍ଷାଦାନ କରି ଆସୁଛନ୍ତି। ସେମାନଙ୍କର ବଞ୍ଚିବାର ରାହା ନାହିଁ ଓ ସେହି ଅନୁଦାନ ଯୋଗ୍ୟ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ କୌଣସି ସରକାରୀ ସୁବିଧା ଯଥା- ବହି, ପୋଷାକ, ସାଇକେଲ ଓ ମଧ୍ୟାହ୍ନ ଭୋଜନ ଆଦି ନମିଳିବା ଏକ ଦୁର୍ଭାଗ୍ୟଜନକ ଘଟଣା। ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମାନ ସୁବିଧା ଯୋଗାଇ ଦେବା ସରକାରଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଦାୟିତ୍ୱ ଓ କର୍ତ୍ତବ୍ୟ। ତେଣୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ବିରୋଧରେ ଆଜି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
ଶିକ୍ଷକ ଓ କର୍ମଚାରୀମାନଙ୍କର ବିଭିନ୍ନ ଦାବିଗୁଡ଼ିକ ମଧ୍ୟରେ “ଅନୁଦାନ ପାଉନଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଏବଂଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ, ଶୂନ୍ୟପଡ଼ିଥିବା ପଦବୀରେ ନିଯୁକ୍ତିର ବ୍ୟବସ୍ଥା, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେରେ ଥିବା ଅସଙ୍ଗତି ଦୂରୀକରଣ, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ ଏବଂ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି’ ଆଦି ଅନ୍ତର୍ଭୁକ୍ତ।
ଏହି କାର୍ଯ୍ୟକ୍ରମରେ ସମସ୍ତ ସାମିଲ ସଂଗଠନର ବ୍ଲକ, ଜିଲ୍ଲା ତଥା ରାଜ୍ୟର ନେତୃତ୍ୱଙ୍କ ସହିତ ଶିକ୍ଷକ, ଶିକ୍ଷିକା, ଶିକ୍ଷାକର୍ମଚାରୀ ମାନେ ଉପସ୍ଥିତ ରହି ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି।


