ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଶିଶୁ ମନ୍ଦିର ପାର୍ଶ୍ଵ ଜାମପଲ୍ଲୀ ରାସ୍ତା ଛକ ପାଖରେ ଥିବା ଏକ ଦୋକାନ ଘର ଉପରେ ଥିବା ବିଦ୍ୟୁତ ତାରରେ ଲୁହା ଫ୍ଲେକ୍ସ ବ୍ୟାନର୍ ଫ୍ରେମ ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କୁଲାଡ଼ ଗ୍ରାମର ଜଣେ ଜଣାଶୁଣା ତଥା ସୁନାମଧନ୍ୟ ରୋଷେୟା ଭାବରେ ପରିଚିତ ବନମାଳୀ ପାତ୍ର (ଟୁନାପାତ୍ର) ଙ୍କ ବଡ଼ପୁଅ ବିଶ୍ୱଜିତ ପାତ୍ର (୨୫) ଆଜି ସକାଳେ ସମୟରେ ଭଞ୍ଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଥିବା ଏକ ଦୋକାନ ଘର ଉପରେ ବିଦ୍ୟୁତ ଆଘାତରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି।
ଆଜି ସକାଳ ସମୟରେ ବାଗଦେବୀ ରୋଡ଼ ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଏକ ଟିଫିନ ହୋଟେଲ ଉପରେ ବୋର୍ଡ ମାରିବାକୁ ଯାଇଥିବା ବେଳେ ବିଦ୍ଵୁତ୍ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳର ଲୋକମାନେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସେ ଭଞ୍ଜନଗର ସହରର ରେଡ୍ କ୍ରସ୍ ରୋଡ ଠାରେ ରହୁଥିଲେ। ଅତି ଜଣାଶୁଣା ରୋଷେୟା ଟୁନା ପାତ୍ରଙ୍କ ଦୁଇପୁଅ ମଧରୁ ବିଶ୍ଵଜିତ ପାତ୍ର ବା ବଳିଆ ହେଉଛନ୍ତି ଘରର ବଡପୁଅ। ଆଜି ବିଶ୍ଵଜିତଙ୍କ ଆକସ୍ମିକ ଦୁର୍ଘଟଣା ମୃତ୍ୟୁକୁ ନେଇ ପରିବାର ଲୋକେ ଭାଂଗି ପଡ଼ିଛନ୍ତି। ତତ୍ ସହିତ ଏହି ଘଟଣାରେ ସ୍ଥନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


