କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଚଳଚଞ୍ଚଳ ହେବ କଟକ ସହର। ଏଥର ମହୋତ୍ସବରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍। ଏଥିପାଇଁ ଜିଲ୍ଲା ପ୍ରଶାସନ ସର୍ତ୍ତମୂଳକ ଅନୁମତି ଦେଇଛି। ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆ ଓ ଏହାର ୫ କିଲୋମିଟର ପରିଧିକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ନିର୍ଦ୍ଦେଶ ଜାରି କରିଛନ୍ତି।
ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ଏହି ଐତିହାସିକ ମହୋତ୍ସବ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ନିଜ ନିଜର କଳା, ସଂସ୍କୃତି ଓ ପରମ୍ପରା ପ୍ରଦର୍ଶନ କରିବେ। ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡ୍ସ୍ପିକର ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାର ହୋଇପାରିବ। ଏହାଦ୍ୱାରା ଦର୍ଶକ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ।
ଅନ୍ୟପଟେ ଚଳିତବର୍ଷ ବାଲିଯାତ୍ରାକୁ ୫୦ ଲକ୍ଷରୁ ଅଧିକ ଲୋକ ଆସିବାର ଆକଳନ କରାଯାଇଛି। ବହୁ ବିଶିଷ୍ଟ ଅତିଥି ଓ ଭିଭିଆଇପିଙ୍କ ଆଗମନକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ। ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ପଡ଼ିଆ ଓ ଏହାର ୫ କିଲୋମିଟର ପରିଧିରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲାଗୁ ହୋଇଛି।
କେବଳ ଡ୍ରୋନ୍ ନୁହେଁ, ପାରାଗ୍ଲାଇଡର, ପାରାମୋଟର, ହ୍ୟାଙ୍ଗ ଗ୍ଲାଇଡର, ମାଇକ୍ରୋଲାଇଟ୍ ବିମାନ, ହଟ୍ ଏୟାର ବେଲୁନ୍ ଓ ୟୁଏଭି ଉଡ଼ାଣ ମଧ୍ୟ ନିଷିଦ୍ଧ କରାଯାଇଛି। ନିୟମ ଉଲ୍ଲଂଘନ କଲେ ଉପକରଣ ଜବତ ସହ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏହି ସମୟରେ ଉଡ଼ନ୍ତା ଉପକରଣ ବ୍ୟବହାର କରିବାକୁ ଚାହୁଁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ୍ ସେକ୍ସନରୁ ପୂର୍ବାନୁମତି ନେବାକୁ ପଡ଼ିବ। ତେବେ ରାତି ୧୧ଟା ଯାଏଁ ସାଂସ୍କୃତିକ ଆସରର ଅନୁମତି ଏବଂ ଡ୍ରୋନ୍ ଉଡ଼ାଣ ଉପରେ କଡ଼ା କଟକଣା ମଧ୍ୟରେ ଏଥର ବାଲିଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।


