ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ ଏନ୍‌ଆରସି : ଉଦ୍ଧବ ଠାକ୍‌ରେ

Published: Feb 2, 2020, 12:59 pm IST

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆରସି)କୁ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିବସେନାର ମୁ୍ଖପାତ୍ର ସାମ୍ନାରେ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଅଧିନିୟମ’ (ସିଏଏ) ନାଗରିକତା ଛଡାଇବା ପାଇଁ ନୁହେଁ, ଏହା ନାଗରିକତା ଦେଇଥାଏ । ଯଦି ଏନ୍‌ଆରସି ଲାଗୁ କରାଯିବ, ତେବେ ହିନ୍ଦୁ ଓ ମୁସଲମାନ ଦୁହିଁଙ୍କ ପାଇଁ ନାଗରିକତା ପ୍ରମାଣ କରିବା ବହୁତ କଷ୍ଟକର ହେବ । ମୁଁ ଏପରି କରିବାକୁ ଦେବି ନାହିଁ ବୋଲି ଉଦ୍ଧବ କହିଛନ୍ତି । ଏହା ପୂର୍ବରୁ ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସମର୍ଥନ କରିଥିଲେ । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଅଧିନିୟମର ସାମ୍ବଧାନିକ ବୈଧତାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୋଦି ସରକାର ଏହି ଆଇନ ସମ୍ପର୍କରେ କହିଛନ୍ତି ଯେ, ପାକିସ୍ତାନ, ଆଫଗାନିସ୍ଥାନ ଓ ବଙ୍ଗଳାଦେଶରେ ରହିଥିବା ତଥା ନିର୍ଯାତିତ ହେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଯଥା  – ହିନ୍ଦୁ, ଶିଖ, ଈସାଇ, ଜୈନ୍‌, ବୌଦ୍ଧ ଓ ପାର୍ସୀ ସମୁଦାୟଙ୍କ ଲୋକଙ୍କୁ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ । ହିନ୍ଦୁସ୍ତାନରେ ରହୁଥିବା ମୁସଲମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ । ସେହିପରି ଏନ୍‌ଆରସିକୁ ନେଇ ଏପର୍ଯ୍ୟନ୍ତ କିଛି ଯୋଜନା ପ୍ରସ୍ତୁତ ହୋଇନଥିବାର କହିଛନ୍ତି । (ଏଜେନ୍ସି)

Related posts