ଚାଲି ଚାଲି ଚେନ୍ନାଇରୁ ବାଣପୁର ଆସିଲେ ଦୁଇ ଯୁବକ: ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା

Published: May 1, 2020, 7:24 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକ ମାନେ ଦୁସ୍ଥ ସ୍ଥିତିରେ ଜୀବନଯାପନ କରୁଛନ୍ତି। ଏପରିକି କିଛି ଶ୍ରମିକ ସାଇକେଲରେ ୧୭ ଶହ କିମି ଆସିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେହିପରି ଭାବରେ ବାଣପୁର ବ୍ଲକ୍‌ର ଦୁଇ ଯୁବକ ଚେନ୍ନାଇରୁ ଓଡିଶା ପର୍ଯ୍ୟନ୍ତ ରାସ୍ତାକୁ ଚାଲଚାଲି ଅତିକ୍ରାନ୍ତ କରିଛନ୍ତି। ଦୁଇ ଯୁବକ ହେଉଛନ୍ତି ବଡସିରେଇପୁରର କପିଳାଶ ପରିଡା ଏବଂ ନାଚୁଣୀର ବାବୁଲା ଜେନା। ଉଭୟ ବିଗତ ସାତ ମାସ ହେବ ଚେନ୍ନାଇର ସମଲକୋଟରେ କାମ କରୁଥିଲେ। ଏପ୍ରିଲ୍‌ ମାସ ୨୨ ତାରିଖରୁ ଦୁଇ ଯୁବକ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ବାଣପୁରରେ ପହଞ୍ଚିଛନ୍ତି। ପାଖାପାଖି ୧୩୦୦କିମି ରାସ୍ତାକୁ ଉଭୟ ପାଦରେ ଚାଲି ଚାଲି ଅତିକ୍ରାନ୍ତ କରିଥିବା ବେଳେ ଅଳ୍ପ କିଛି ସ୍ଥାନରେ କିଛି ଗାଡିବାଲାଙ୍କ ପକ୍ଷରୁ ଲିଫ୍ଟ ପ୍ରଦାନ କରାଯାଇଥିଲା। ଦୁଇ ଯୁବକ ପହଞ୍ଚିବା ପରେ ବାବୁଲା ନାଚୁଣୀ ଚାଲିଯାଇଥିଲେ ଏବଂ କପିଳାଶ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପହଞ୍ଚିବା ପରେ କପିଳାଶ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ବିଡିଓ ଶିବାନନ୍ଦ ସ୍ଵାଇଁଙ୍କୁ ଫୋନ୍‌ କରି ଜଣାଇଥିଲେ। ପ୍ରଥମ ପ୍ରବାସୀ ଭାବରେ ନରେନ୍ଦ୍ରପୁର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଆସିଥିବାରୁ କପିଳାଶଙ୍କୁ ସରପଞ୍ଚ ପ୍ରକାଶ ଚନ୍ଦ୍ର ବରାଳ ପାଛୋଟି ନେଇଥିଲେ।

Related posts