କରୋନା କଟକଣା ଭିତରେ ଏଇ ମହାନଗରରେ ଗଡିଲା ଲୋକାଲ୍‌ ଟ୍ରେନ୍‌

Published: Jun 15, 2020, 9:17 am IST

ମୁମ୍ବାଇ:  ଭାରତରେ କରୋନା  ସ୍ଥିତି ଅଣାୟତ୍ତ ରହିଛି । ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଏଠାରେ ଏବେ ଏକ ଲକ୍ଷରୁ ଅଧିକ ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇରୁ ପ୍ରାୟ 57 ହଜାରରୁ ଅଧିକ ସଂକ୍ରମିତ ମାମଲା ରହିଛି । ତେବେ କରୋନା ସହିତ ଯୁଦ୍ଧ କରୁଥିବା ଏହି ସହରରେ ଏବେ ଲୋକଲ ଟ୍ରେନ୍‌ର ଆରମ୍ଭ କରାଯିବା ନେଇ ସୂଚନା ରହିଛି ।  କରୋନା କଟକଣା ଭିତରେ ଆଜିଠୁ ମୁମ୍ବାଇରେ ଲୋକାଲ୍ ଟ୍ରେନ୍ ଗଡୁଛି । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲଓ୍ୱ ।

ତେବେ ଟ୍ରେନ୍‌ରେ ସାଧାରଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ନାହିଁ । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ହିଁ  ଟ୍ରେନ୍‌ରେ ଯାଇପାରିବେ।  ସେଥିଲାଗି ଯାତ୍ରୀମାନେ ଅଯଥାରେ ଷ୍ଟେସନରେ ଭିଡ଼ ନ ଲଗାଇବାକୁ କୁହାଯାଇଛି ।ଟ୍ରେନ୍ ଯାତ୍ରା ବେଳେ ସମସ୍ତ ପ୍ରକାର କରୋନା କଟକଣାକୁ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଜି ସକାଳ ସାଢେ ପାଞ୍ଚଟାରୁ ଆରମ୍ଭ ହୋଇଛି ଲୋକାଲ ଟ୍ରେନ୍ ଚଳାଚଳ। ଏହା ରାତି ସାଢ଼େ 11ଟା ପର୍ଯ୍ୟନ୍ତ ଚାଲିବ ।  ତେବେ ଏଥିରେ ଯାତ୍ରା କରୁଥିବା କର୍ମଚାରୀମାନେ ସେମାନଙ୍କର ଆଇଡି କାର୍ଡ ଦେଖାଇ ଷ୍ଟେସନରେ ଏଣ୍ଟ୍ରି କରିପାରିବେ । ଏହି କର୍ମଚାରୀମାନଙ୍କୁ କ୍ୟୁ ଆର୍‌ ଆଧାରିତ ଇ -ପାସ୍‌ ଦିଆଯିବ, ଯେଉଁଥିରେ କଲର କୋଡ୍‌ ମଧ୍ୟ ରହିବ ।

Related posts