ମା’ ନାରାୟଣୀଙ୍କ ପିଠରେ ବାଣପୁର ଏବଂ ବାଲୁଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ: ଏକାଧିକ ଆହତ

Published: Sep 23, 2020, 10:39 am IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମା’ ନାରାୟଣୀଙ୍କ ମନ୍ଦିର ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ଆହତ ହୋଇଛନ୍ତି। ଏବଂ ଏହାକୁ ନେଇ ଦୁଇ ଗୋଷ୍ଠୀ ତରଫରୁ ଭେଜିପୁଟ ଫାଣ୍ଡିରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଛି।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ ଘଟିକାରେ ମା’ ନାରାୟଣୀ ମନ୍ଦିର ପରିସରରେ ବାଣପୁର ଏକଡାଳିଆ ଗ୍ରାମର କିଛି ଶ୍ରଦ୍ଧାଳୁ ମାନେ ମା’ ଙ୍କ ପାଖେ ନିଜର ମାନସିକ ପୁରା କରିବା ପାଇଁ ଯାଇଥିଲେ। ସେହି ସମୟରେ ବାଲୁଗାଁର କିଛି ଯୁବକମାନେ ଉକ୍ତ ସ୍ଥାନରେ ପୂର୍ବରୁ ଉପସ୍ଥିତ ଥିଲେ ଏବଂ ସେଠାରେ ଆଣିଥିବା ପାର୍ସଲ ଖାଦ୍ୟ ଖାଉଥିଲେ। ହଠାତ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଏବଂ ଧୀରେ ଧୀରେ ତାହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ। ଫଳରେ ଏକାଧିକ ଜଣ ଆହତ ହୋଇଥିବାସ୍ଥଳେ ଗୋଟେ ବାଇକ ସମ୍ପୂର୍ଣ ଚୁରମାର ହୋଇଯାଇଛି।

ଖବର ପାଇ ଘଟଣାସ୍ଥଳରେ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସଦଳବଳେ ପହଁଚି ଗୋଷ୍ଠୀ ସଂଘର୍ଷକୁ ଆୟତ୍ତ କରିବା ସହ ଆହତଙ୍କୁ ମେଡିକାଲ ପଠାଇଥିଲେ। ଉଭୟ ଗୋଷ୍ଠୀର ଆହତମାନେ ବାଣପୁର ଏବଂ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହେଲେ ଏ ନେଇ ଖଲ୍ଲିକୋଟ ଥାନାରେ କେସ ନମ୍ବର ୪୦୭ ଏବଂ ୪୦୮ ରେ ଦୁଇ ଗୋଟି ମାମଲା ରୁଜୁହୋଇ ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Related posts