ଜୁଆଆଡ୍ଡା ଉପରେ ଚଢ଼ାଉ: ୮ ଜୁଆଡ଼ି ଗିରଫ

Published: Oct 28, 2020, 10:52 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ଜୋର୍‌ଦାର କରାଯାଇଛି। ଟାଉନ୍‌ଥାନା ଅଂଚଳଟି ସହରର ମଧ୍ୟଭାଗରେ ଅବସ୍ଥିତ ଥିବାବେଳେ ଏଠାରେ ବଡ଼ଧରଣର ଜୁଆଆଡ୍ଡାମାନ ଚାଲିଥିବା ଜଣାପଡ଼ିଛି। ଜୁଆଡ଼ିମାନେ ରୀତିମତ ହୋଟେଲ୍‌, ନିକାଞ୍ଚନ ସ୍ଥାନମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଜୁଆଖେଳି ସ୍ୱର୍ବସ୍ୱାନ୍ତ ହେଉଛନ୍ତି। ତେବେ ଥାନା ପକ୍ଷରୁ ଯେତେ ଚଢ଼ାଉ କଲେ ବି ଏମାନେ ଏହାକୁ ଖାତିର ନ କରି ପୁଣି ଜୁଆଖେଳ ଜାରି ରଖୁଛନ୍ତି। ଏନେଇ ଗତକାଲି ମଧ୍ୟରାତ୍ରରେ ଟାଉନ୍ ଥାନା ପକ୍ଷରୁ କର୍ପୋରେସନ ରୋଡ଼୍ ନିକଟ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ୮ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୫୨ଯୋଡ଼ି ତାସ୍‌, ଜରି ପାଲ ମଧ୍ୟ ପୋଲିସ୍ ଜବତ କରିଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ୨୫ ତାରିଖ ରାତ୍ର ମଧ୍ୟରେ ଗେଟ୍‌ବଜାର ଓଆର୍‌ଟି କଲୋନୀରେ ଚଢ଼ାଉ ହୋଇ ୯ ଜଣ ଜୁଆଡ଼ିକୁ ଗିରଫ କରିଥିବା ଟାଉନ୍ ଥାନା ପୋଲିସ୍। ସେହିପରି ଗତ ୨୧ ତାରିଖ ରାତ୍ରରେ ମଧ୍ୟ ଏହି କର୍ପୋରେସନ ଅଂଚଳରେ ହିଁ ଚଢ଼ାଉ କରି ୧୧ ଜୁଆଡ଼ିକୁ ଗିରଫ କରିବା ସହ ୮୮ହଜାର ୪୦୦ ଟଙ୍କା ଜବତ କରିଥିଲା ଟାଉନ୍‌ଥାନା ପୋଲିସ୍। ତେବେ ସେହି ଅଂଚଳରେ ପୁଣି ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବାରୁ ସ୍ପଷ୍ଟ ବାରି ହେଉଛି ଯେ ଜୁଆଡ଼ିଙ୍କ ପୋଲିସ୍ ପ୍ରତି ଭୟ ନାହିଁ। ତେବେ ଟାଉନ୍‌ଥାନା ପକ୍ଷରୁ ଏଭଳି ବାରମ୍ବାର ଚଢ଼ାଉକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି।

Related posts