ଚୀନ୍‌କୁ ଝଟ୍‌କା ଦେଲା ସାମସଙ୍ଗ୍‌ : ମୋବାଇଲ୍‌ ଡିସ୍‌ପ୍ଲେ ଫ୍ୟାକ୍ଟ୍ରିକୁ ଭାରତକୁ ସ୍ଥାନାନ୍ତର କଲା

Published: Dec 12, 2020, 1:00 pm IST

ଲକ୍ଷ୍ନୌ : ଚୀନ୍‌କୁ ଝଟକା ଦେଇଛି ସାମସଙ୍ଗ୍‌ ।  ଦକ୍ଷିଣ କୋରିଆର ବହୁ ପ୍ରତିଷ୍ଠିତ ସ୍ମାର୍ଟଫୋନ୍‌ କମ୍ପାନୀ ସାମସଙ୍ଗ୍‌  ନିଜ ମୋବାଇଲ୍‌ ଓ ଆଇଟି ଡିସ୍‌ପ୍ଲେ ୟୁନିଟ୍‌କୁ ଚୀନ୍‌ରୁ ଭାରତକୁ ସ୍ଥାନାନ୍ତର କରିଛି । କରୋନା ଭାଇରସ ପରବର୍ତ୍ତୀ ପରସ୍ଥିତିରେ ଚୀନକୁ ଆଉ ଏକ ଅର୍ଥନୈତିକ ଝଟକା ଲାଗିଛି । ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତରେ 4825 କୋଟିର ନିବେଶ କରିବାକୁ ଯାଉଛି ।  ଉତ୍ତର ପ୍ରଦେଶର ନୋଇଡାରେ ସାମସଙ୍ଗ ପକ୍ଷରୁ ଏହାର ଏହି ନୂତନ ନିବେଶ କରାଯିବ ବୋଲି ଜଣାପଡିଛି ।  ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି । ଉତ୍ତର ପ୍ରଦେଶର ନୋଇଡାରେ କମ୍ପାନୀ ପକ୍ଷରୁ ଏକ ନୂତନ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଭାରତରେ ସାମସଙ୍ଗ୍‌ର ଏହା ପ୍ରଥମ ହାଇ-ଟେକ୍‌ନିକ୍‌ ପ୍ରୋଜେକ୍ଟ ।

2018ରେ ସାମସଙ୍ଗ ପକ୍ଷରୁ ଦିଲ୍ଲୀରେ ଏହାର ପ୍ରଥମ ୟୁନିଟ ସ୍ଥାପନ କରାଯାଇଥିଲା। ଏହି ସମୟରେ କମ୍ପାନୀ ପକ୍ଷରୁ 4915 କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦିଆଯାଇଥିଲା । ଉକ୍ତ ପ୍ରତିଶ୍ରୁତି ମୁତାବକ ଏହି ଉତ୍ପାଦନ ୟୁନିଟ ସ୍ଥାପନ କରାଯାଇଛି । ଏହି ୟୁନିଟରେ ପ୍ରତ୍ୟକ୍ଷ ରୂପରେ ପ୍ରାୟ 510 ନୂତନ ନିଯୁକ୍ତି ସୃଷ୍ଟି ହେବ । ସେହିପରି ଅପ୍ରତ୍ୟକ୍ଷ ରୂପରେ ବଡ ସଂଖ୍ୟାରେ ରୋଜଗାରର ଅବସରର ମିଳିବ ବୋଲି ସୂଚନା ରହିଛି । ସମଗ୍ର ବିଶ୍ୱରେ ବ୍ୟବହୃତ ଏଲଇଡି ଡିସପ୍ଲେର 70 ପ୍ରତିଶତ ସାମସଙ୍ଗ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଦକ୍ଷିଣ କୋରିଆ, ଭିଏତନାମ ଏବଂ ଚୀନରେ ରହିଥିବା ବେଳେ ଚୀନରେ ରହିଥିବା କମ୍ପାନୀ ଭାରତକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)

Related posts