ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.ର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ

Published: Apr 2, 2023, 7:48 pm IST

ଭୁବନେଶ୍ବର: ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.ର ୧୮ତମ ପ୍ରତିଷ୍ଠା ଦିବସ ଶନିବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ ।

୨୦୦୫ ମସିହା ପବିତ୍ର ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଦିନ ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.(ଓପିଟିସିଏଲ) ପ୍ରତିଷ୍ଠା ହୋଇଥିଲା । କାର‌୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ,ଏବେ ଓପିଟିସିଏଲ ଏକ ଅଗ୍ରଣୀ ବିଦ୍ୟୁତ୍ ସଂଚାର ନିଗମ ଭାବରେ ସାରା ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଉତ୍ତମ କାର‌୍ୟ୍ୟ ଯୋଗୁଁ ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ପୁରସ୍କୃତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ଦେଶର ଶ୍ରେଷ୍ଠ ବିଦ୍ୟୁତ୍ ସରବରାହ ସଂସ୍ଥା ଭାବେ ଏହି ନିଗମ ସିବିଆଇପି ଦ୍ୱାରା ପୁରସ୍କୃତ ହେବା ଅତ୍ୟନ୍ତ ଗୌରବର କଥା ।

ଓଡିଶାର ପୁରପଲ୍ଲୀରେ ବିଦ୍ୟୁତ ସଂଚାରଣ ପାଇଁ ଏହି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଓପିଟିସିଏଲରେ ସଂଖ୍ୟାଧିକ ଝିଅମାନେ ଯୋଗଦେଇ ବିଦ୍ୟୁତ୍ ଟାଓ୍ୱାରରେ ଚଢି କାର୍ଯ୍ୟ କରୁଥିବା ବହୁତ ବଡ କଥା । ଏହା ଅନ୍ୟ ଝିଅମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏଥିରେ ଶକ୍ତି ସଚିବ ସଂଜୟ ସିଂ ଯୋଗ ଦେଇ ନିଜର ମତ ରଖିଥିଲେ।

ଉତ୍ସବରେ ନ୍ୟୁ ଡୁବୁରୀ, ଜୟନଗର,ମାଲକାନଗିରି, ତାରକେରା, ନୟାଗଡ,ରଣସିଂହପୁର ଆଦିସ୍ଥିତ ବିଭିନ୍ନ କ୍ଷମତା ସଂପନ୍ନ ଗ୍ରୀଡ୍ ସବ୍ ଷ୍ଟେସନଗୁଡିକୁ ଶ୍ରେଷ୍ଠ ଗ୍ରୀଡ୍ ଷ୍ଟେସନ ଭାବେ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଟ ସାମୁହିକ ପ୍ରୟାସ ପାଇଁ ପେନ୍ ସନ ଶାଖା,ଓପିଟିସିଏଲ୍ ମୁଖ୍ୟାଳୟ ଏବଂ ବିଭିନ୍ନ ଗ୍ରୀଡ୍ ସବ ଷ୍ଟେସନରେ ଅବସ୍ଥାପିତ ହୋଇ ଉତ୍ତମ କାର‌୍ୟ୍ୟ ସଂପାଦନ କରିଥିବା ୧୭ଜଣ ବିଭିନ୍ନ ଜୋନର ପରିଚାଳନା ନିର୍ଦ୍ଦେଶକ, ପରିଚାଳକ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର‌୍ୟ୍ୟକ୍ରମରେ ନିମାଇଁକାନ୍ତ ରାଉତରାୟଙ୍କ ନିର୍ଦ୍ଦେଶନାରେ ଓପିଟିସିଏଲ ସାସ୍କୃତିକ କ୍ଲବ ତରଫରୁ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

Related posts