ବଡ଼ ଡକାୟତ ଯୋଜନାକୁ ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଧରା ପଡିଲେ ୭ କୁଖ୍ୟାତ ଡକାୟତ

Published: Jun 17, 2021, 5:47 pm IST

ଖୋର୍ଦ୍ଧା: ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଛି। ପୋଲିସ ହାତରେ ୭ କୁଖ୍ୟାତ ଡକାୟତ ଧରା ପଡିଛନ୍ତି। ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମେଣ୍ଢାଶାଳ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଭଙ୍ଗା ଘର ମଧ୍ୟରେ କେତେଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ସୂଚନା କୌଣସିମତେ ପୋଲିସ ଜାଣିବାକୁ ପାଇଥିଲା।

ଖୋର୍ଦ୍ଧା ଏସପି ଓ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ଟାଉନ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଅଞ୍ଚଳର ଶେଖ ଇବାଦୁଲ୍ଲା, ଶେଖ ଯୁସୁଫ, ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଅଞ୍ଚଳର ମଇନା ବେହେରା, ସନ୍ତୋଷ ସାହୁ, ଦିପୁ ପରିଡା, ଭାଲିଆବାଡ଼ି ଅଞ୍ଚଳର ବିପିନ ବେହେରା ଏବଂ ଚନ୍ଦକା ଥାନା ଅନ୍ତର୍ଗତ ହରିଡ଼ାମଡ଼ ଅଞ୍ଚଳର ଲକ୍ଷ୍ମୀଧର ବେହେରା।

ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ପୋଲିସ ଥାନାରେ ଚୋରି, ଡକାୟତି, ରାହାଜାନି ଭଳି ଏକାଧିକ ଅପରାଧିକ ମାମଲା ଥିବାର ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶେଖ ଇବାଦୁଲ୍ଲା ଏବଂ ଶେଖ ଯୁସୁଫ ପୂର୍ବରୁ ଗଡ଼ଖୋର୍ଦ୍ଧାରେ ଥିବା ଜଗନ୍ନାଥ ମନ୍ଦିରରୁ ଏବଂ ବାଟମଙ୍ଗଳା ଛକରେ ଥିବା ଏକ ପାନଦୋକାନରୁ ଚୋରି ଘଟଣାରେ ସାମିଲ ଥିବାର ପୋଲିସ ଜାଣିବାକୁ ପାଇଛି।

ଏ ସଂକ୍ରାନ୍ତରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ଚୋରା ହୁଣ୍ଡୀ ବାକ୍ସ, ବିସ୍କୁଟ, ସିଗାରେଟ, ସାନିଟାଇଜର, ଫେନୋଲ, ଟୁଥପେଷ୍ଟ ଆଦି ଜବତ କରିଛି। ତେବେ ସମସ୍ତ ସାତ ଜଣ ଡକାୟତଙ୍କ ନିକଟରୁ ଘଟଣାସ୍ଥଳରୁ ପୋଲିସ ଗୋଟାଏ ଖଣ୍ଡା, ଗୋଟେ ଫାର୍ଷା, ତିନି ଗୋଟି ଲୁହା ରଡ଼, ଚାରି ଗୋଟି ଟର୍ଚ୍ଚ ଲାଇଟ, ଦୁଇଟି ବାଇକ, ଗୋଟେ ହାତତିଆରି ନକ୍ସା ଏବଂ ଦୁଇ ଗୋଟି ମାଂସ କାଟିବା କାତି ଜବତ କରିଛି। ଉକ୍ତ ଚଢ଼ାଉରେ ଏସଆଇ ବିଜୟ କେତନ ବେହରା, ଏଏସଆଇ ଶରତ ଚନ୍ଦ୍ର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୨୩୯/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Related posts