ବାଣପୁରରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଜବତ

Published: Dec 25, 2021, 3:48 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ଆଜି ସକାଳ ୮ ଘଟିକାରୁ ଅପରାହ୍ନ ୧ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୪ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୩୫୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଣପୁର ଥାନା ଏସଆଇ ଚନ୍ଦନ ଦାସ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ମୋବାଇଲ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ସବ ଇନ୍ସପେକ୍ଟର ସୁନିତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦୁଇ ଗୋଟି ମାମଲା ରୁଜୁ କରିଛି। ସେହିପରି ଭାବେ ଆଜି ଚଣ୍ଡେଶ୍ୱର ଅଞ୍ଚଳରୁ ଜଣେ ଦେଶୀ ମଦ ବେପାରୀକୁ ଅବକାରି ବିଭାଗ ଗିରଫ କରିଥିବାର ସୂଚନା ମିଳିଛି।

Related posts