ବିଏସଏଫ ଯବାନଙ୍କ ମେସରେ ଗୁଳି ବିନିମୟ, ଅଭିଯୁକ୍ତଙ୍କ ସମେତ ପାଞ୍ଚଜଣ ସୈନିକଙ୍କ ମୃତ୍ୟୁ

Published: Mar 6, 2022, 2:24 pm IST

ଅମୃତସର: ପଞ୍ଜାବର ଅମୃତସରରେ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସଏଫ) ର ଏକ ମେସରେ ଗୁଳି ବିନିମୟ ହେବାର ଖବର ରହିଛି। ଏହି ଦୁର୍ଘଟଣାରେ ୫ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଚିନ୍ତାଜନକ ରହିଛି। ଏହି ଦୁର୍ଭାଗ୍ୟଜନକ ଘଟଣା ଆଜି ଅମୃତସରର ଖାସା ଠାରେ ଥିବା ୧୪୪ ତମ ବାଟାଲିୟନର ମୁଖ୍ୟାଳୟରେ ଘଟିଥିଲା, ଯେତେବେଳେ କନଷ୍ଟେବଳ ସତ୍ତାପ୍ପା ହଠାତ୍ ଗୁଳି ଚଳାଇଥିଲେ। ଏହି ଘଟଣାରେ ଅଭିଯୁକ୍ତ କନଷ୍ଟେବଳ ସତ୍ତାପ୍ପାଙ୍କ ସମେତ ୫ ଜଣ ସୈନିକ ପ୍ରାଣ ହରାଇଛନ୍ତି।

ଏହି ଘଟଣାରେ ଆହତ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୀମା ସୁରକ୍ଷା ବଳର ଅଧିକାରୀ ସୂଚନା ଦେଇଛନ୍ତି। ଗୁଳି ବିନିମୟର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ସୈନିକମାନଙ୍କ ମଧ୍ୟରେ ହେଡ କନଷ୍ଟେବଳ ଡିଏସ ତୋରାସାକର, ହେଡ କନଷ୍ଟେବଳ ବଲଜିନ୍ଦର କୁମାର, କନଷ୍ଟେବଳ ରତନ ଚାନ୍ଦ ମଧ୍ୟ ଅଛନ୍ତି।

ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମା ନିକଟ ଅଟ୍ଟାରୀ-ୱାଘା ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଖାସା ଅଞ୍ଚଳରେ ଥିବା ଫୋର୍ସର ଭୋଜନାଳୟରେ ଏହି ଘଟଣା ଘଟିଛି।

Related posts