ଖୋର୍ଦ୍ଧାରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Published: Aug 24, 2022, 6:23 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଆଜି ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଠେଙ୍ଗାହାଟ ଛକରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ଅଧିକ୍ଷିକ ଝସକେତନ ବରିହା ଖବର ପାଇଥିଲେ। ବିଳମ୍ବ ନକରି ଅବକାରୀ ଅଧିକ୍ଷିକ ଏବଂ ଅବକାରୀ ଉପ ଅଧିକ୍ଷିକାଙ୍କ ତତ୍ୱାବଧାନରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଭୈରବ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଘଟଣାସ୍ଥଳରୁ ସାମନ୍ତରାୟପୁର ଅଞ୍ଚଳର ଅଭିଯୁକ୍ତ ଅଜୟ ବେହେରା (୪୪) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୪୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।  ଜବତ ବ୍ରାଉନ ସୁଗାର ର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୩୬/୨୨-୨୩ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଏସଆଇ ବି ମନୋଜ ବାରିକ,ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜୈସ ଏବଂ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ଅବକାରୀ ଥାନା କର୍ମଚାରୀ ମାନେ ସାମିଲ ଥିଲେ।

Related posts