ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଆଣିଲେ କୋଚ, ତଦନ୍ତ କରିବ ପୋଲିସ

Published: Dec 31, 2022, 9:21 pm IST

ଚଣ୍ଡିଗଡ଼/ଜିନ୍ଦ: ହରିୟାଣା କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି। ଏନେଇ ଯାଞ୍ଚ କରାଯିବ ଏବଂ ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯିବ ବୋଲି ଚଣ୍ଡିଗଡ ପୋଲିସ କହିଛି। ଏଥି ସହ ଆମ୍ ଆଦମୀ ପାର୍ଟି (ଏଏପି) କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଯଦି ଏହା ନହୁଏ, ତେବେ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଆମ୍ ଆଦମୀ ପାର୍ଟି କହିଛି। ରାଜ୍ୟର ଜଣେ ଜୁନିଅର ଆଥଲେଟିକ୍ସ କୋଚ ଗୁରୁବାର ଦିନ ମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଥିଲେ ଏବଂ ଗୋଟିଏ ଦିନ ପରେ ସେ ଅଭିଯୋଗ ଆଣି ପୋଲିସ ନିକଟରେ ପହଞ୍ଚିଥିଲେ। ତେବେ ମନ୍ତ୍ରୀ ଏହି ଅଭିଯୋଗକୁ ଭିତ୍ତିହୀନ କହି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ପୋଲିସ ଷ୍ଟେସନର ଜଣେ ଅଧିକାରୀ ହରିୟାଣା କ୍ରୀଡା ବିଭାଗର ମହିଳା ପ୍ରଶିକ୍ଷକଙ୍କ ଅଭିଯୋଗକୁ ଦେଖି କହିଛନ୍ତି ଯେ, ଅଭିଯୋଗ ପଞ୍ଜିକୃତ ହୋଇଛି ଏବଂ ସବୁ ଦିଗରୁ ତଦନ୍ତ କରାଯିବ। କ୍ରୀଡ଼ା ମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସନ୍ଦୀପ ସିଂ ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ଅଭିଯୋଗରେ ମହିଳା ପ୍ରଶିକ୍ଷକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବେ।

Related posts