ଜୁଆଆଡ୍ଡା ଚଢ଼ାଉ: ୧୪ ଜୁଆଡ଼ି ଗିରଫ ହେବା ସହ ୯ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ

Published: Nov 22, 2020, 9:55 pm IST
ବ୍ରହ୍ମପୁର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମାର ପୂର୍ଣ୍ଣିମା ଶେଷ ହୋଇଯାଇଥିଲେ ମଧ୍ୟ ଅଭ୍ୟାସଗତ ଜୁଆଡ଼ିମାନେ ସେମାନଙ୍କ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଅଭ୍ୟାସଗତ ଜୁଆଡ଼ିମାନେ ବିଭିନ୍ନ ନିକାଞ୍ଚନ ସ୍ଥାନ, କୋଠଘର, ହୋଟେଲ୍‌, ପଡ଼ିଆରେ ଜମା ହୋଇ ଜୁଆଖେଳ ଖେଳୁଛନ୍ତି। ଏହାଦ୍ୱାରା ସେମାନେ ସର୍ବସ୍ୱନ୍ତ ହେବା ସହ ପରିବାର ଲୋକେ ମଧ୍ୟ ଦାଣ୍ଡର ଭିକାରୀ ସାଜୁଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି ସନ୍ଧ୍ୟା ସମୟରେ ଧର୍ମନଗରରେ ଚଢ଼ାଉ କରି ୧୪ଜୁଆଡ଼ିକୁ ଗିରଫ କରିବା ସହ ୯ ଲକ୍ଷ ୨୯ ହଜାର ଟଙ୍କା ଜବତ ହୋଇଛି।

ସୂଚନାଯୋଗ୍ୟ ଧର୍ମନଗର ଅଂଚଳରେ ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଥାନାଧିକାରୀ ସୁରେଶ ତ୍ରିପାଠୀ ଖବରପାଇ ଚଢ଼ାଉ କରିଥିଲେ। ଅତର୍କିତ ଚଢ଼ାଉରେ ଜୁଆଡ଼ିମାନେ ପୋଲିସ୍ ହାବୁଡ଼ରେ ପଡ଼ିବା ସହ ୯ଲକ୍ଷ ୨୯ ହଜାର ଟଙ୍କା, ୧୦୪ଟି ତାସ୍ କାଟା, ଜରିପାଲ ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Related posts