ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ସମ୍ବଲପୁରରେ ଖେଳ ଆରମ୍ଭ କରିଦେଲେ କାର୍ତ୍ତିକ ପାଣ୍ଡିଆନ

Published: Feb 13, 2024, 8:08 am IST
pandian

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ତେବେ ଏହି ଗରମ ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ବିଜେପିର ହେଭି ୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପାଇଁ ଲଢେଇ କରିବେ। ତାଙ୍କର ଗତିବିଧିରୁ ସ୍ପଷ୍ଟ ହୋଇଛି ଯେ ସେ ସମ୍ବଲପୁକୁ ହି ନିଜର ମଇଦାନ ଭାବେ ବାଛିଛନ୍ତି।

ତେବେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ବଡ ସମର ସଜା ଆରମ୍ଭ କରିଦେଇଛି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ବିଜେଡି ନିଶ୍ଚିତ ବଡ ଗେମ କରିବ ଏବେଠାରୁ ତାହା ଜଳଜଳ ହୋଇ ଦେଖାଗଲାଣି। କାରଣ ସେହି ଲୋକସଭା ନିର୍ବାଚନ ମଣ୍ଡଳିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବାରମ୍ବାର ଗସ୍ତ କରି ବିଜେଡିର ପ୍ରଚାର ଆରମ୍ଭ କରିଦେଲେଣି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ସେ ବାହାରେ ଯେତିକି ପରିଶ୍ରମ କରୁଛନ୍ତି ଭିତିରିଆ ମଧ୍ୟ ଆହୁରି ଅଧିକ କାମ କରୁଛନ୍ତି।

ନିକଟରେ ସମ୍ବଲପୁରର ବହୁ ପ୍ରତୀକ୍ଷିତ ମା ସମଲେଇ ପ୍ରକଳ୍ପର ଉଦଘାଟନ କରାଯାଇଛି। ଯାହା ବିଜେଡି ପାଇଁ ଏକ ବଡ ଫାଇଦା ମିଳିବ ଏଥିରେ ସନ୍ଦେହ ନାହିଁ। ଏହି ପ୍ରକଳ୍ପ ପୂର୍ବରୁ ସେ ତାହାର ତଦାରଖ କରିବା ପାଇଁ ବହୁବାର ସମ୍ବଲପୁର ଗସ୍ତ କରିଛନ୍ତି। ସେହିପରି ‘ନୂଆ- ଓ’ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପ ଉଦାଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ବିଜେଡିକୁ ସଶକ୍ତ କରିବାରେ ଲାଗିଛନ୍ତି। ସେଠାରୁ ଯୁବ ଭୋଟରଙ୍କୁ ଆକୃଷ୍ଠ କରିବା ଏବଂ ସରକାର ସମ୍ବଲପୁର ବିକାଶରେ କିପରି ଅଛନ୍ତି ତାହାର ହିସାବ ସେ ଗୋଟି ଗୋଟି କରି ଦେବାରେ ଲାଗିଛନ୍ତି।

ତେବେ ସବୁଠାରୁ ବଡ କଥା ହେଲା ଯେ, ସେ ଜାନୁୟାରୀ ମାସରେ ସମ୍ବଲପୁର ମାଟିରେ ଧର୍ମେନ୍ଦ୍ରଙ୍କ ନାମ ନ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସଭାରେ ନାଆଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ।

ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି। ନିର୍ବାଚନ ଆସିଲେ କିଛି ନେତା ବଡବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ତାଙ୍କ ଦ୍ବାରା ହୋଇପାରୁ ନାହିଁ।

ସେତିକି ନୁହେଁ ଧର୍ମେନ୍ଦ୍ରଙ୍କୁ ତାଚ୍ଛଲ୍ୟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ କହିଥିଲେ ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନ ଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି। ଏପରି କଥା ଧର୍ମେନ୍ଦ୍ର ଶୁଣି ନିଶ୍ଚିତ ରାଗି ନାଲି ପଡିଥିବେ ଏଥିରେ ସନ୍ଦେହ ନାହିଁ।

ପୁଣି ଚଳିତ ମାସ ୧୧ ତାରିଖରେ ଭୋରରୁ ସମ୍ବଲପୁର ଗସ୍ତ କରିଥିଲେ ପାଣ୍ଡିଆନ। ସେଠାରେ ଜନସମାଗମରେ ପ୍ରାୟ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ହିସାବ ରଖିଲେ। ସମ୍ବଲପୁର ପାଇଁ ଟଙ୍କାର ବର୍ଷା କଲେ ପାଣ୍ଡିଆନ। ସେତିକି ନୁହେଁ ସେଠାରେ ବିଶାଳ ଜନସମାଜକୁ ଉଦବୋଧନ ମଧ୍ୟ ଦେଇଥିଲେ।

ସେହି ଗସ୍ତ ସମୟରେ ପାଣ୍ଡିଆନ ସେଠାକାର ଯୁବକମାନଙ୍କ ସହିତ କ୍ରିକେଟ ମଧ୍ୟ ଖେଳିଥିଲେ। ସେ ଖୁସିରେ ଖେଳ ଖେଳିଥିଲେ ମଧ୍ୟ ତାହା ରାଜ୍ୟ ରାଜନୀତିରେ ଥିଲା ବେଶ ଗରୁତ୍ବପୂର୍ଣ୍ଣ। ପରୋକ୍ଷରେ ସେ ଧର୍ମେନ୍ଦ୍ରଙ୍କୁ ଚେତେଇ ଦେଲେ ଯେ, ତମେ ଖେଳିବାକୁ ଚିନ୍ତା କରୁଥିବା ବେଳେ ଆମେ ଖେଳ ଆରମ୍ଭ କରିଦେଲାଣୁ।

Related posts