ସ୍ଵାମୀ-ସ୍ତ୍ରୀର ପରିଚୟ ଦେଇ ଥାନାରେ ପହଞ୍ଚିଲେ ପୋଲିସ ଅଧିକାରୀ: ତଦାରଖ କଲେ ଆଇନ ବ୍ୟବସ୍ଥା

Published: May 9, 2021, 11:56 am IST

ମୁମ୍ବାଇ: ଗତ କିଛି ଦିନ ହେଲା କର୍ମଚାରୀଙ୍କ କାର୍ଯ୍ୟକଳାପ ପାଇଁ ମହାରାଷ୍ଟ୍ର ପୋଲିସ ପ୍ରଶାସନର ଛବି ଖରାପ ହେବାରେ ଲାଗିଛି। କିନ୍ତୁ ଏହାକୁ ଦେଖି ଆଉ କିଛି ଅଧିକାରୀ ପୋଲିସର ଛବି ବଦଳାଇବା ପାଇଁ ଲାଗିପଡିଛନ୍ତି। ଲୋକମାନଙ୍କ ପ୍ରତି ପୋଲିସର କର୍ତ୍ତବ୍ୟ ଏବଂ ଦାୟିତ୍ଵାଧୀନତା ତଦାରଖ କରିବା ପାଇଁ କିଛି ଅଧିକାରୀ ଅଭିନବ ପ୍ରୟାସ କରିଛନ୍ତି। କିଛି ପୋଲିସ ଅଧିକାରୀ ନିଜର ବେଶ ବଦଳାଇ ବିଭିନ୍ନ ଥାନା ତଦାରଖ କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱଡ଼ ପୋଲିସ କମିଶନର କୃଷ୍ଣ ପ୍ରକାଶ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ମହିଳା ଆରକ୍ଷୀ ଅଧିକ୍ଷକଙ୍କ ସହ ମିଶି ପୋଲିସ କମିଶନର ପ୍ରକାଶ ସ୍ବାମୀ-ସ୍ତ୍ରୀ ଭାବେ ପରିଚୟ ଦେଇ ବିଭିନ୍ନ ଥାନାକୁ ଯାଇ କିଛି ଅଭିଯୋଗ କରିଥିଲେ।

ଏହି ସମୟରେ ସମ୍ପୃକ୍ତ ଥାନାର ପୋଲିସକର୍ମୀମାନଙ୍କ କାର୍ଯ୍ୟକଳାପକୁ ପରଖି ଥିଲେ। ଏହା ସହ ସହରର ଆଇନ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଥିଲେ। କମିଶନର କୃଷ୍ଣ ପ୍ରକାଶ କୁର୍ତ୍ତା ଏବଂ ଜିନ୍ସ ପ୍ୟାଣ୍ଟ ସାଥିରେ ଦାଢି କରି ନିଜ ବେଶ ବଦଳାଇଥିଲେ। ସେ ନିଜକୁ ଜମାଲ କମାଲ ଖାନ ନାଁରେ ନିଜକୁ ପରିଚୟ ଦେଇଥିଲେ।

ତେବେ କମିଶନର ପ୍ରକାଶ ତିନୋଟି ଥାନାରେ ମହିଳା ଆରକ୍ଷୀଙ୍କୁ ନିଜର ପତ୍ନୀର ପରିଚୟ ଦେଇ ଭିନ୍ନ ଭିନ୍ନ ଲିଖିତ ଅଭିଯୋଗ କରିଥିଲେ। ଗୋଟିଏ ଥାନାରେ ମାରପିଟ ଅଭିଯୋଗ କରିଥିବା ବେଳେ ଆଉ ଗୋଟିଏ ଥାନାରେ ସୁନା ଚେନ ସ୍ନେଚିଙ୍ଗ ଏବଂ ତୃତୀୟ ଥାନାରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ଵାରା ଅଧିକ ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ପୋଲିସ କମିଶନର ପ୍ରକାଶ କେତେଜଣ ପୋଲିସ କର୍ମୀଙ୍କ କର୍ତ୍ତବ୍ୟର ଅବହେଳା କରିଥିବା ଦେଖିବାକୁ ପାଇଥିଲେ। ତେଣୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ପ୍ରକାଶ କହିଛନ୍ତି।

Related posts