ଜାତୀୟ ଚିକିତ୍ସକ ଦିବସରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?

Published: Jul 2, 2021, 1:56 am IST

ନୂଆଦିଲ୍ଲୀ, ଜାତୀୟ ଚିକିତ୍ସକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଚିକିତ୍ସକ ଗୋଷ୍ଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡାକ୍ତର ବି.ସି. ରାୟଙ୍କ ସ୍ମୃତିରେ ପାଳିତ ଏହି ଦିବସ ଆମ ଚିକିତ୍ସକ ସମାଜର ପ୍ରତୀକ । ଗତ ଦେଢବର୍ଷ ଧରି କରୋନା ବୈଶ୍ୱିକ ମହାମାରୀ ଭଳି ଜଟିଳ ପରିସ୍ଥିତିରେ ସେବା ପାଇଁ ସେ ଡାକ୍ତରମାନଙ୍କୁ ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଆଜି ଆୟୋଜିତ ଏକ  ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି ।

ବୈଶ୍ୱିକ ମହାମାରୀ କାଳରେ ଡାକ୍ତରମାନଙ୍କ ଅବଦାନର ସ୍ୱୀକୃତି ସ୍ୱରୂପ ସେ ସେମାନଙ୍କ ସେବାର ସ୍ମରଣ ସହ ମାନବତାର ସେବା କରିବା ସମୟରେ ଜୀବନ ଉତ୍ସର୍ଗ କରିଥିବା ଡାକ୍ତରମାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତ୍ୟେକ ଆହ୍ୱାନର ସମାଧାନ ଆମ ଡାକ୍ତର ଓ ବୈଜ୍ଞାନିକମାନେ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ନୂତନ ଓ ଦ୍ରୁତ ସଂକ୍ରମଣଗାମୀ ଭୂତାଣୁର ମୁକାବିଲା ଆମ ଡାକ୍ତରମାନେ ସେମାନଙ୍କ ଅଭିଜ୍ଞତା ଓ ବିଶେଷଜ୍ଞ ଜ୍ଞାନ ଯୋଗୁଁ କରିପାରୁଛନ୍ତି । ବହୁଦିନର ଅବହେଳିତ ମେଡିକାଲ ଭିତ୍ତିଭୂମି ଓ ଜନସାଧାରଣଙ୍କ ବ୍ୟସ୍ତତା ସତ୍ତ୍ୱେ ଅନେକ ଉନ୍ନତ ରାଷ୍ଟ୍ରଙ୍କ ତୁଳନାରେ ଆମର ଏକ ଲକ୍ଷ ପିଛା ସଂକ୍ରମଣ ହାର ବେଶ୍ ଆୟତ୍ତାଧୀନ ରହିଛି । ଜୀବନହାନୀ ସବୁବେଳେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ଅନେକ ଜୀବନ ବଞ୍ଚା ମଧ୍ୟ ଯାଇପାରିଛି । ଏହାର ଶ୍ରେୟ କଠିନ ପରିଶ୍ରମୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସରକାର ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ଉପରେ ମନ୍ତବ୍ୟଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନାର ପ୍ରଥମ ଲହରରେ ସ୍ୱାସ୍ଥ୍ୟସେବା ପାଇଁ ୧୫ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ମାତ୍ର ଚଳିତବର୍ଷ ବଜେଟ୍‌ରେ ଏ ବାବଦ ଦୁଇଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି ।

ସ୍ୱାସ୍ଥ୍ୟସେବା କମ୍ ଥିବା ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ନିମନ୍ତେ କେଡ୍ରିଟ ଗ୍ୟାରେଣ୍ଟି ଯୋଜନା ଅଧୀନରେ ୫୦ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ନୂତନ ଏମ୍ସ ଓ ମେଡିକାଲ କଲେଜମାନ ସ୍ଥାପନ କରାଯାଉଛି । ୨୦୧୪ ମସିହାରେ ଛଅଟି ଏମ୍ସ ଥିବାବେଳେ, ଆଉ ୧୫ଟି ନିମନ୍ତେ କାମ ଆରମ୍ଭ ହୋଇଯାଇଛି । ମେଡିକାଲ କଲେଜ ସଂଖ୍ୟା ଦେଢଗୁଣ ବୃଦ୍ଧି ପାଇଛି ।

ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ସ୍ଥାନ ସଂଖ୍ୟା ଦେଢଗୁଣ ବଢିଥିବାବେଳେ, ସ୍ନାତକୋତ୍ତର ସଂଖ୍ୟା ଶତକଡା ୮୦ଭାଗ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଡାକ୍ତରମାନଙ୍କ ସୁରକ୍ଷା ଲାଗି ସରକାର ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ମୋଦୀ କହିଛନ୍ତି । ଡାକ୍ତରମାନଙ୍କ ବିରୁଦ୍ଧରେ ହିଂସାକୁ ରୋକିବା ପାଇଁ କଢା ଆଇନ ଅଣାଯାଇଛି । କୋଭିଡ ଯୋଦ୍ଧାଙ୍କ ନିମନ୍ତେ ଏକ ମାଗଣା ବୀମା ଯୋଜନା ମଧ୍ୟ କରାଯାଇଛି ।

ଜନସାଧାରଣଙ୍କୁ ଟିକା ଓ କୋଭିଡ ଆବଶ୍ୟକ ମାର୍ଗଦର୍ଶିକା ପାଳନ କରିବା ପାଇଁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ଆହ୍ୱାନ ଜଣାଇଛନ୍ତି  । ଡାକ୍ତର ଭାଇ ଭଉଣୀମାନଙ୍କୁ ଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ନିବେଦନ କରିଛନ୍ତି । ଯୋଗ ଯାହାକି ସ୍ୱାଧୀନତା ପରେ ଗତ ଶତାବ୍ଦୀରେ ହିଁ ଗୁରୁତ୍ୱ ପାଇଥାନ୍ତା, ତାହା ଏବେ ପାଉଛି । କୋଭିଡରୁ ଆରୋଗ୍ୟ ପରେ ଯୋଗର ପ୍ରାମାଣିକ ଉପକାରିତା ତଥ୍ୟ ଉପସ୍ଥାପନ କରିଥିବାରୁ ସେ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ । ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ଏହି ତଥ୍ୟଭିତ୍ତିକ ବିଷୟକୁ ଏକ ମିଶନଭାବେ ଗ୍ରହଣ କରିପାରିବେ କି ବୋଲି ସେ ପଚାରିଥିଲେ । ଯୋଗ ସମ୍ପର୍କୀତ ବିଷୟବସ୍ତୁ ଆନ୍ତର୍ଜାତିକ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶ ପାଇପାରିବ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କ ଅଭିଜ୍ଞତାର ନଥିକରଣ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ଅଭିଜ୍ଞତା ସହ ରୋଗୀ ଲକ୍ଷଣ ଓ ଉପଚାର ବିଷୟକ ତଥ୍ୟଗୁଡିକର ନଥିକରଣ ବିସ୍ତୃତଭାବେ ହେବା ଦରକାର । ବିଭିନ୍ନ ଔଷଧ ଓ ଉପଚାରର ପ୍ରତିକ୍ରିୟା ଲିପିବଦ୍ଧ ହେଲେ ଏହା ଗବେଷଣା ଦିଗରେ ମଧ୍ୟ ସାହାଯ୍ୟ କରିବ । ଆମର ଡାକ୍ତରମାନେ ଯେତେ ସଂଖ୍ୟକ ରୋଗୀକୁ ସେବା ପ୍ରଦାନ କରିଛନ୍ତି ତାହା ବିଶ୍ୱରେ ବିରଳ ।

ଏବେ ସମଗ୍ର ବିଶ୍ୱ ଏହାକୁ ସ୍ୱୀକାର କରିଥିବା ସହ ବୈଜ୍ଞାନିକ ଅନୁଧ୍ୟାନ ପାଇଁ ଏହାର ଉପଯୋଗ କରିବା ଆବଶ୍ୟକ । ସଅଳ ରୋଗ ନିରୁପଣ ଓ ଟିକାକରଣ କିପରି ସାହାଯ୍ୟକାରୀ ଏ ସମ୍ପର୍କରେ ଆମକୁ ଗଭୀର ଅନୁଧ୍ୟାନ କରିବାକୁ ହେବ। ଗତ ଶତାବ୍ଦୀର ବୈଶ୍ୱିକ ମହାମାରୀ ସମ୍ପର୍କିତ ନଥିପତ୍ର ଉପଲବ୍ଧ ହେଉ ନ ଥିବା ବେଳେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଥିବାରୁ ଏବେ ଏହାର ନଥିକରଣ କରାଗଲେ ଏହା ମାନବ ସମାଜ ପାଇଁ ହିତକର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related posts