ଭୋଟ ଗଣତିରେ ହୋଇପାରେ ଅନିୟମିତତା: ଇଭିଏମକୁ ଜଗିବା ପାଇଁ ନିବେଦନ କଲେ କୃଷକ ନେତା ରାକେଶ ଟିକାଏତ

Published: Mar 6, 2022, 1:54 pm IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଭୋଟ୍ ଦେବା ପରେ ଯେଉଁଠାରେ ଇଭିଏମ୍ ରଖାଯାଇଛି ସେହି ସ୍ଥାନଗୁଡିକୁ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି।

ଭାରତ କିଷାନ ୟୁନିଅନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଏତ ଶନିବାର ବୁଲନ୍ଦସହରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ଅସାଧୁ ପ୍ରକ୍ରିୟାରେ ଉତ୍ତରପ୍ରଦେଶର ଅତି କମରେ ୭୦ ଟି ଆସନ ଜିତିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଟିକାଏତ ଆଶଙ୍କା କରିଛନ୍ତି। ମତଗଣନା ପୂର୍ବରୁ ଷ୍ଟ୍ରଙ୍ଗ ରୁମ ପାଖରେ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି। ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ୍ ଗଣନା କରିବାକୁ ସେ କହିଛନ୍ତି।

ଗଣନାରେ ଅନେକ ଅନିୟମିତା ହୋଇପାରେ ବୋଲି ରାକେଶ ଟିକାଏତ ଆଶଙ୍କା କରିଛନ୍ତି। ମାର୍ଚ୍ଚ ୯ ଓ ୧୦ ତାରିଖ ଦିନ ଛୁଟି କରି ଚାଷୀଙ୍କୁ ମତ ଗଣନା ଉପରେ ନଜର ରଖିବାକୁ କହିଛନ୍ତି।

ପ୍ରକାଶ ଥାଉ କି ୭ ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ କରାଯାଉଛି। ଏପର୍ଯ୍ୟନ୍ତ ୬ ଟି ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ହୋଇଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ସୋମବାର, ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ପର୍ଯ୍ୟାୟରେ ଭୋଟ୍ ଗଣନା ମାର୍ଚ୍ଚ ୧୦ ତାରିଖରେ ଏକକାଳୀନ କରାଯିବ।

Related posts