ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ ଝଡ, ସଂସଦ ଓ ବିଧାନସଭା ମୁଲତବି

Published: Jul 28, 2022, 1:09 pm IST

ଭୁବନେଶ୍ବର: ଆଜି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନକୁ ନେଇ ହଟ୍ଟଗୌଳ ହୋଇଛି। ଏହାକୁ ନେଇ ସଂସଦରେ ବିଜେପି ମହିଳା ସାଂସଦମାନେ ପ୍ରବଳ ବିରୋଧ କରିଛନ୍ତି।

ଆଜି ସଂସଦ କାର୍ଯ୍ୟ ସମୟରେ ଅଧୀର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ। ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ମତିଇରାନୀ ପ୍ରମୁଖ ମହିଳା ସାଂସଦମାନେ ହଟ୍ଟଗୋଳ କରିଥିଲେ। ପରେ ସବୁ ମହିଳା ସାଂସଦ ଏକାଠି ହୋଇ ଏହାର ତୀବ୍ର ବିରୋଧ କରିଥିଲେ। ତୁରନ୍ତ ଅଧୀର ରଂଜନ ସଂସଦରେ କ୍ଷମା ମାଗନ୍ତୁ ବୋଲି ଦାବୀ କରିଥିଲେ।

ପରବର୍ତ୍ତି ସମୟରେ ରାଜ୍ୟସଭାରେ ମଧ୍ୟ ଏହାକୁ ନେଇ ପ୍ରବଳ ବିରୋଧ କରାଯାଇଥିଲା। ଅଧୀର ରଂଜନ ରାଷ୍ଟ୍ରକୁ ଅପମାନିତ କରିଛନ୍ତି ବୋଲି କହିଥିଲେ। ସାଂସଦ ତୁରନ୍ତ ତାଙ୍କର ବକ୍ତବ୍ୟ ଫେରାଇ ନେବା ସହିତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ। ସଂସଦରେ ଏପରି ହାଙ୍ଗାମା ଦ୍ବାରା ଉଭୟ ଗୃହକୁ ମୁଲତବୀ ରଖାଯାଇଛି।

ଏପଟେ ବିଧାନସଭାରେ ମଧ୍ୟ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ ଝଡ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ସଦସ୍ୟ କଂଗ୍ରେସ ହାଏ ହାଏ କରି ଗୃହ ଭିତରେ ହାଙ୍ଗାମା କରିଥିଲେ। ବିଜେପି ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ।

ଗୃହ କାର୍ଯ୍ୟ ସ୍ବାଭାବିକ କରିବା ଲାଗି ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ। ନିଜ ସ୍ଥାନକୁ ଫେରି ଯାଇ ପ୍ରଶ୍ନକାଳରେ ସାମିଲ ହେବା ଲାଗି ବାଚସ୍ପତି ବିରୋଧୀ ଦଳ ବିଧାୟକଙ୍କୁ ଅନୁରୋଧ କରିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଜାରି ରହିଥିଲା।  ଫଳରେ ବାଚସ୍ପତି ଗୃହକୁ ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Related posts