ବିଜେଡି ବରିଷ୍ଠ ନେତାଙ୍କର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

Published: Dec 19, 2022, 6:45 am IST
NaveenPatnaik

ଭୁବନେଶ୍ବର: ବିଜୁ ଜନତା ଦଳର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି। ନିକଟରେ ଦଳ ପଦ୍ମପୁର ଉପନିର୍ବାଚନରେ ଜିତିବା ପରେ ଏବଂ ଭୋଟ ଗ୍ରହଣ ପରେ ଦୁଇଥର ବୈଠକ କରିଥିଲା। ଏଥିରେ ସେହି ଉପନିର୍ବାଚନ ଦାୟିତ୍ବରେ ଥିବା ନେତାଙ୍କୁ ନେଇ ହୋଇଥିଲା ବୈଠକ। ହେଲେ ରବିବାରଦିନ ସବୁ ବରିଷ୍ଠ ନେତା, ବିଧାୟକ, ସାଂସଦ ଏବଂ ଜିଲ୍ଲା ସଭାପତିଙ୍କୁ ଡକାଯାଇଥିଲା।

ତେବେ ଏହି ବୈଠକରେ ଆସନ୍ତା ନିର୍ବାଚନ ପାଇଁ ଆଲୋଚନା ହୋଇଛି କି ନାହିଁ ତାହା କେହି କହି ନ ଥିଲେ। ହେଲେ ଆସନ୍ତା 26 ତାରିଖରେ ବିଜୁ ଜନତା ଦଳ ତାହାର ରୌପ୍ୟ ଜୟନ୍ତି ପାଳନ କରିବ। ସେଥିପାଇଁ ଦଳର ଏହି ନେତାମାନେ ଏକାଠି ହୋଇ ଏହାକୁ କିପରି ଧୂମଧାମରେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଥିଲା।

ବୈଠକ ଅନୁସାରେ ପ୍ରତିଷ୍ଠା ଦିବସରେ ପୁରୀ ଶ୍ରୀଜଗନ୍ନାଥ ଧାମରେ କରାଯିବ ଏକ ବିଶାଳ ସମାବେଶ। ସେହି ସମାବେଶକୁ କିପରି ସଫଳ କରାଯିବ ସେ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଏଥର ବିଜେଡି ତାହାର ପ୍ରତିଷ୍ଠା ଦିବସକୁ ବର୍ଷେ ପର୍ଯ୍ୟନ୍ତ ପାଳନ କରିବ ବୋଲି ନିଷ୍ପତି କରିଛି। ବର୍ଷତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ତରଫରୁ କରାଯିବ ସମାବେଶ।

ମୁଖ୍ୟତଃ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକମାନେ କିପରି ଅବଗତ ହେବେ ସେ ନେଇ ଦଳୀୟ କର୍ମିମାନେ କାର୍ଯ୍ୟ କରିବେ। ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ନିଷ୍ପତି ହୋଇଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ବର୍ତ୍ତମାନ ଦଳ ନୁହେଁ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇସାରିଛି। ଏହି ଆନ୍ଦୋଳନକୁ ଲୋକଙ୍କ ପାଖରେ ପ୍ରସାର ପ୍ରଚାର କରାଯିବ ବୋଲି ନିଷ୍ପତି ହୋଇଛି।

ବର୍ତ୍ତମାନ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳର ଏହି ପ୍ରତିଷ୍ଠା ଦିବସ ପ୍ରଚାର ପ୍ରସାର କ୍ଷେତ୍ରରେ ବେଶ ସାହାଯ୍ୟ କରିପାରିବ। ତାହାକୁ ଦୃଷ୍ଟିରେ ରଖି ବିଜେଡି ତାହାର ରଣନୀତି ପ୍ରସ୍ତୁତି କରି ଆଗୁଆ ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଦେଇଛି।

Related posts