ଏହି ଦିନ ଦେଖିବା ପାଇଁ ଆମେ ପଦକ ଜିତିଥିଲୁ କି?, କ୍ୟାମେରା ଆଗରେ କାନ୍ଦିବାକୁ ଲାଗିଲେ କୁସ୍ତି ଯୋଦ୍ଧା

Published: May 4, 2023, 9:52 am IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସହ ବିବାଦ ପରେ ଦିଲ୍ଲୀର ଜନ୍ତର ମନ୍ତରରେ ବିନେଶ ଫୋଗାଟ କାନ୍ଦିପକାଇଥିଲେ। ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିନେଶ କହିଥିଲେ ଯେ, ଯେତେବେଳେ ଆମେ ଦେଶ ପାଇଁ ପଦକ ଜିତିଥିଲୁ, ଆମେ କେବେ ଭାବି ନଥିଲୁ ଦିନେ ଆମକୁ ମଧ୍ୟ ଏହି ଦିନ ଦେଖିବାକୁ ପଡ଼ିବ। ମୁଁ ତ କହିବି ଯେ ଦେଶର କୌଣସି ଖେଳାଳି ଦେଶ ପାଇଁ ପଦକ ଜିତିବା ଉଚିତ୍ ନୁହେଁ।

କ୍ୟାମେରା ଆଗରେ କାନ୍ଦୁଥିବା ବିନେଶ ଫୋଗାଟ କହିଥିଲେ ଯେ, ଯେଉଁଠି ଆମେ ତଳେ ଶୋଉଥିଲୁ ବର୍ଷା ହେତୁ ସେଠାରେ ଏବେ ପାଣି ଜମିଯାଇଛି। ଯେଉଁଥିପାଇଁ ଆମେ ଶୋଇବା ପାଇଁ ଖଟ ମାଗିଥିଲୁ, କିନ୍ତୁ ପୋଲିସ ଆମକୁ ସେହି ଖଟ ଆଣିବାକୁ ଅନୁମତି ଦେଇ ନଥିଲା।

ଦିଲ୍ଲୀ ପୋଲିସକୁ ଦୋଷାରୋପ କରି ଧାରଣାରେ ବସିଥିବା ଶୀର୍ଷ ରେସଲର ବିନେଶ କହିଥିଲେ ଯେ, ଜଣେ ମଦ୍ୟପ ପୋଲିସ ଆମ ସହ ଅସଦାଚରଣ କରିଛି। ସେ ଗଣମାଧ୍ୟମକୁ କହିଛନ୍ତି, ଆମେ ଆମର ସମ୍ମାନ ପାଇଁ ଲଢୁଛୁ। କିନ୍ତୁ ଏହାର ଫଳ ହେଉଛି ଯେ, ଏଠାରେ ପୋଲିସ ଆମ ଛାତି ଛାତି ଧକ୍କା ଦେଇଛି।

ବିନେଶ ଆହୁରି କହିଛଥିଲେ ଯେ, ଏତେ ଦୁର୍ନୀତି କରିବା ପରେ ମଧ୍ୟ ବ୍ରିଜଭୂଷଣ ତାଙ୍କ ଘରେ ଆରାମରେ ଶୋଇଛନ୍ତି କିନ୍ତୁ ଆମକୁ ଏଭଳି ଅବସ୍ଥାରେ ରହିବାକୁ ପଡୁଛି। ଯେତେବେଳେ ଆମେ ଶୋଇବା ପାଇଁ କାଠ ଖଟ ମାଗିଥିଲୁ, ସେତେବେଳେ ପୋଲିସ୍ ଆମକୁ କହିଲା, ଶୋଇଯାଅ! ମରିଯାଅ।

ଡେପୁଟି କମିଶନର ଅଫ୍ ପୋଲିସ୍ (ନୂଆଦିଲ୍ଲୀ) ପ୍ରଣବ ତାୟଲ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ନେତା ସୋମନାଥ ଭାରତୀ ଅନୁମତି ବିନା ଏକ ଫୋଲ୍ଡିଂ ଖଟ ବିରୋଧ ସ୍ଥାନକୁ ଆଣିଥିଲେ। ଏହି ବିଷୟରେ ପଚରାଯିବା ପରେ ଭାରତୀଙ୍କ ସମର୍ଥକମାନେ ଆକ୍ରମଣାତ୍ମକ ହୋଇ ଟ୍ରକରୁ ଖଟ କାଢିବାକୁ ଚେଷ୍ଟା କରିଥିଲେ। ଏକ ଛୋଟ ଝଗଡା ପରେ ଭାରତୀ ଏବଂ ଅନ୍ୟ ଦୁଇଜଣଙ୍କୁ ହେପାଜତକୁ ନିଆଯାଇଥିଲା।

Related posts