କଂଗ୍ରେସର ସମସ୍ତ ବିଧାୟକ ବିଜେଡିରେ ମିଶିବେ ବୋଲି କହିଲେ ସୌମ୍ୟରଂଜନ ପଟ୍ଟନାୟକ

Published: May 9, 2023, 7:35 am IST
SoumyaranjanP

ଭୁବନେଶ୍ବର: କଂଗ୍ରେସରେ ବର୍ତ୍ତମାନ ଯେଉଁ ନଅ ଜଣ ବିଧାୟକ ଅଛନ୍ତି ସେମାନେ କୁଆଡେ ସମସ୍ତେ ବିଜେଡିରେ ମିଶିବେ। ଏପରି ଏକ ଥଟ୍ଟା ପରିହାସରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, କଂଗ୍ରେସର ବିଧାୟକ ଦଳର ନେତାଙ୍କଠାରୁ ଆରମ୍ଭ କରି ତଳ ନେତା ପର୍ଯ୍ୟନ୍ତ ସମସ୍ତେ ବିଜେଡିକୁ ଡେଇଁବେ ବୋଲି ଅନେଇ ବସିଛନ୍ତି।

ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଓଡିଶାରେ କୌଣସି ଦଳ ଜିତିପାରିବ ନାହିଁ। କାରଣ ଯେଉଁ ବିରୋଧୀ ଦଳ ଅଛନ୍ତି ସେମାନେ ଜିତିବା ପରି କାମ କଲେ ସିନା ଜିତିବେ। ସେମାନେ ହାରିବା ପରି କାମ କରି ହାରୁଛନ୍ତି। ନିର୍ବାଚନରେ ଜିତିବାକୁ ହେଲେ ଅନ୍ୟକୁ ହରାଇବାକୁ ପଡିବ। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆମ ଦଳକୁ ହରାଇବା ପରି କୌଣସି ଦଳ ନାହିଁ। ନିର୍ବାଚନ ଜିତିବାର ତରିକା ବିରୋଧୀ ଦଳ କେହି ବୁଝି ପାରୁ ନାହାଁନ୍ତି।

ଯେଉଁ ନେତାମାନେ ଜିତିବାର ଶକ୍ତି ରହିଛି ସେମାନଙ୍କୁ ଆମ ଦଳ କୋଳେଇ ନେଉଛି। ଫଳରେ ସେମାନେ ଆମ ପାଖରେ ଜିତୁଛନ୍ତି। ସେହିପରି ବିଜେପିକୁ କଟୁ ସମାଲୋଚନା କରି ସୌମ୍ୟରଂଜନ କହିଛନ୍ତି ଯେ, ବିଜେପି ଆଉ ଦଳ ହୋଇ ରହି ନାହିଁ। ସେମାନଙ୍କ ପାଖରେ କାହାକୁ ହରାଇବାର ଶକ୍ତି ନାହିଁ। ଆମ ନେତା ନବୀନ ପଟ୍ଟନାୟକଙ୍କୁ ସାରା ଓଡିଶାର ଲୋକେ ଭଲ ପାଉଛନ୍ତି। ସେଥିବା ପର୍ଯ୍ୟନ୍ତ ଆମ ଦେହରେ କେହି ଟିପ ଦେଇପାରିବ ନାହିଁ।

Related posts