ବିହାର ପଲିଟିକ୍ସ : ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେତେ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

Published: Oct 28, 2020, 1:56 pm IST

ପାଟନା : ଆଜିଠାରୁ ଆରମ୍ଭ ହୋଇଛି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ । ମୋଟ 243ଟି ଆସନ ମଧ୍ୟରୁ ଆଜି 16ଟି ଜିଲ୍ଲାର 71ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ 1 ହଜାର 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି ।  ପ୍ରଥମ ପର୍ଯ୍ୟାୟରେ 1066 ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଶତାଧିକ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା ।

ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଶତାଧିକ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଗମ୍ଭୀର ଅପରାଧିକ ମାମଲା ରହିଛି । ଆରଜେଡି ପକ୍ଷରୁ ସର୍ବାଧିକ 54 ପ୍ରତିଶତ ପ୍ରାର୍ଥୀଙ୍କୁ ଟିକଟ ପ୍ରଦାନ କରାଯାଇଛି । 22 ଜଣ ଆରଜେଡି ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବା ଜଣାପଡିଛି। ସେହିପରି ଚଳିତ ଥର ଏକାକୀ ଲଢୁଥିବା ଏଲଜେପିର 20 ଜଣ ପ୍ରାର୍ଥୀ ବା 49 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଅପରାଧିକ ମାମଲା ରହିଥିବା 13 ଜଣ (45 %), ଜେଡିୟୁ ପକ୍ଷରୁ ଅପରାଧିକ ମାମଲା ରହିଥିବା 10 ଜଣ ପ୍ରାର୍ଥୀ (29%) ଏବଂ କଂଗ୍ରେସ ପକ୍ଷରୁ 9ଜଣ ପ୍ରାର୍ଥୀଙ୍କୁ (43 %) ଟିକଟ ପ୍ରଦାନ କରାଯାଇଛି ।  ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରଏସଏଲପି, ଜନ ଅଧିକାର ପାର୍ଟି, ଏନସିପି, ବିଏସପି ପକ୍ଷରୁ ଯଥାକ୍ରମେ 14, 14, 8 ଏବଂ 5 ଜଣ ଅପରାଧିକ ମାମଲା ରହିଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ 502 ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡିଛି । (ଏଜେନ୍ସି)

Related posts